ETV Bharat / state

ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ, ୧୮ଟି ଟିମ୍ ସାମିଲ

author img

By ETV Bharat Odisha Team

Published : Jan 6, 2024, 11:36 AM IST

Updated : Jan 6, 2024, 12:40 PM IST

ଭିତରକନିକାରେ  ପକ୍ଷୀ ଗଣନା
Bhitarkanika bird census

Bhitarkanika bird census: ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । 18 ଟିମ ବାଇନାକୁଲର ସାହାଯ୍ୟରେ କରୁଛନ୍ତି ଗଣନା । ଅଧିକ ପଢନ୍ତୁ

Bhitarkanika bird census

କେନ୍ଦ୍ରାପଡା: ଚିଲିକା ପରେ ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ଭିତରକନିକା ଜାତୀୟ ଉଦ୍ୟାନରେ ଆଜି ପକ୍ଷୀ ଗଣନା ଆରମ୍ଭ ହୋଇଛି । ପକ୍ଷୀ ବିହାର ଭାବେ ପରିଚିତ ଭିତରକନିକା ଏବଂ ତତ୍‌ସଂଲଗ୍ନ ଆଦ୍ରଭୂମିରେ ଭିଡ଼ ଜମାଇଥିବା ବିଦେଶାଗତ ପକ୍ଷୀଙ୍କୁ ଗଣନା କରୁଛନ୍ତି 18ଟି ଟିମ୍ । ଆଜି ଦିନ ତମାମ ପକ୍ଷୀ ଗଣନା ଜାରି ରହିବ । ଏଥିପାଇଁ ଶୁକ୍ରବାର ତାଲିମ ନେଇଥିଲେ ଟିମର ସଦସ୍ୟ ।

ଆଜି ସକାଳ 6ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । କନିକା ରେଞ୍ଜ ଅଧିନରେ 2ଟି ଟିମ, ରାଜନଗର ରେଞ୍ଜ ଅଧିନରେ 6ଟି ଟିମ, ଗହୀରମଥା ରେଞ୍ଜ ଅଧିନରେ 3ଟି ଟିମ, ମହାକାଳପଡ଼ା ରେଞ୍ଜ ଅଧିନରେ 2ଟି ଟିମ ଓ କୁଜଙ୍ଗ ରେଞ୍ଜ ଅଧିନରେ 5ଟି ଟିମ ସକାଳୁ ପକ୍ଷୀ ଗଣନା କାର୍ଯ୍ୟ କରୁଛନ୍ତି । ଭିତରକନିକା ପାଟିଆ, ଭାଣ୍ଡିତୁଠ ପାଟିଆ, ବଗଗହନ, ଖୋଳା, ନଳିତାପାଟିଆ, ଦୂର୍ଗାପୁର ମୁହାଣ, ଲକ୍ଷ୍ମୀପ୍ରସାଦଡିଆ, କାଳୀଭଞ୍ଜଡ଼ିଆ ସହ କଣ୍ଡିଆଖାଇରେ 2ଟି ଟିମ ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ସେହିପରି ରାଜନଗର ରେଞ୍ଜ ଅଧିନରେ ଥିବା ଜଉଦିଆ, ସାତଭାୟା, ମଗରକନ୍ଦା, 16ନମ୍ବର ଘେରି, ଅଙ୍ଗାରପାଟିଆ, ଚିଞ୍ଚିରିମୁହାଣ, କାକରପାଟିଆ, ଧାନଦିଆ, ରାଜପୁର, ଏକମାଣିଆ ଓ ହଂସୁଆ ପୋଲ ପର୍ଯ୍ୟନ୍ତ 6ଟି ଟିମ ଗଣନା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଚିଲିକାରେ ଅଛନ୍ତି 11 ଲକ୍ଷ 37 ହଜାର ପକ୍ଷୀ

ସମସ୍ତ ଟିମ ପାଇଁ ବାଧ୍ୟତାମୂଳକ ଭାବେ ବାଇନାକୁଲର, ଭିଏଚଏଫ, ଜିପିଏସ ବୋଟ ବ୍ୟବସ୍ଥା କରାଯାଇଛି । ପକ୍ଷୀ ଗଣନା ସମ୍ପର୍କରେ ତଥ୍ୟ ଉପସ୍ଥାପନ ସହ ସେମାନଙ୍କର ଜୀବନଶୈଳୀ, ଖାଦ୍ୟ ଓ ସେମାନେ କେଉଁ ସ୍ଥାନରୁ ଆସିଛନ୍ତି ସେନେଇ ତଥ୍ୟ ସଂଗ୍ରହ କରାଯାଉଛି । ଏଥିପାଇଁ ଏହି ଦଳଗୁଡିକ ପ୍ରଶିକ୍ଷଣ ନେଇ ଗଣନା କାର୍ଯ୍ୟ ଜାରି ରଖିଛନ୍ତି । ଡିଏଫଓ, ଡ଼ିଏସପି, ଏସିଏଫ, ପ୍ରାଣୀବିତ, ପକ୍ଷୀ ବିଶାରଦଙ୍କ ଭଳି ଅଭିଜ୍ଞ ଅଧିକାରୀଙ୍କ ଅଧିନରେ ଏହି ଟିମ ଆଜି ଅପରାହ୍ନ ପର୍ଯ୍ୟନ୍ତ ପକ୍ଷୀ ଗଣନା କରିବେ ବୋଲି ସୂଚନା ମିଳିଛି ।

ଆଜି ପକ୍ଷୀ ଗଣନା ସରିବା ପରେ ଆସନ୍ତା 10 ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ଆରମ୍ଭ ହେବ । ତିନି ଦିନ ପର୍ଯ୍ୟନ୍ତ ଗଣନା ଜାରି ରହିବ । ଏଥିପାଇଁ ଶୁକ୍ରବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି ଭିତରକନିକା । ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଭିତରକନିକା ଆସିବାକୁ ବାରଣ କରାଯାଇଛି । ରାଜନଗର ବନଖଣ୍ଡର 4ଟି ରେଞ୍ଜରେ କୁମ୍ଭୀର ଗଣନା ହେବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Jan 6, 2024, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.