ETV Bharat / state

୮ ଦଫା ଦାବି ପୂରଣ ପାଇଁ ଅଙ୍ଗନବାଡି କର୍ମୀଙ୍କ ରାଲି

author img

By

Published : Dec 29, 2022, 11:25 AM IST

Anganwadi workers protest
ଦାବି ପୂରଣ ପାଇଁ ଅଙ୍ଗନବାଡି କର୍ମୀ ବିଶାଳ ରାଲି

ପୁଣି ଗର୍ଜିଲେ ଅଙ୍ଗନବାଡି କର୍ମୀ । ସହରରେ ପ୍ରତିବାଦ ଶୋଭଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ ବିକ୍ଷୋଭ । ଅଧିକ ପଢ଼ନ୍ତୁ

ଦାବି ପୂରଣ ପାଇଁ ଅଙ୍ଗନବାଡି କର୍ମୀ ବିଶାଳ ରାଲି

କେନ୍ଦ୍ରାପଡ଼ା: ଜିଲ୍ଲାରେ ବିଶାଳ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରିଛି ଭାରତୀୟ ମଜଦୂର ସଂଘ । ଗତକାଲି ଜିଲ୍ଲାର ୭ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟିର ୩ହଜାରରୁ ଊର୍ଦ୍ଧ୍ବ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକା ତିନିମୁହାଣୀ ରାମ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।

ସେଠାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଗତ ନଭେମ୍ବର ୨୩ ତାରିଖରୁ ସଂଘ ଭୁବନେଶ୍ୱରର ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଥିଲେ ହେଁ ରାଜ୍ୟସରକାର ଏମାନଙ୍କ ଦାବିକୁ କର୍ଣ୍ଣପାତ କରୁନାହାଁନ୍ତି । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟସରକାରଙ୍କ ପାଖରେ ପହଞ୍ଚାଯିବ ।

ସଂଘର ଜିଲ୍ଲା ସମ୍ପାଦିକା ପୁଷ୍ପଲତା ରଥଙ୍କ ଦାବି ଅନୁଯାୟୀ, ଗତ ୨୦୧୮ ମସିହାରୁ ଅଙ୍ଗନବାଡି କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ କର୍ମୀଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ତେଣୁ ନିଲମ୍ବନ ଆଦେଶ ଉଠାଯାଇ ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ ବୋଲି ଦାବି ଉଠିଛି ।

ସେହିପରି ସମାନ କାମକୁ ସମାନ ଦରମା ନୀତିରେ ସ୍ଥାୟୀ ନିଯୁକ୍ତି ନମିଳିବା ଯାଏଁ ଅଙ୍ଗନବାଡି କର୍ମଚାରୀମାନଙ୍କୁ ମାସକୁ ୧୮ ହଜାର ଟଙ୍କା ଦରମା, ମିନି ଅଙ୍ଗନବାଡି ଉଚ୍ଛେଦ, ସହାୟିକା ମାନଙ୍କୁ ୯ ହଜାର ଟଙ୍କା ଦରମା ସମେତ ଛତୁଆ ପ୍ରତିବଦଳରେ ହିତାଧିକାରୀ, ଶିଶୁ ଏବଂ ଗର୍ଭବତୀଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ ଓ ଅଙ୍ଗନବାଡି ରୋଷେଇ ବାବଦରେ ଖର୍ଚ୍ଚ ହେଉଥିବା ଟଙ୍କାର ସଠିକ ଆକଳନ ପାଇଁ ଦାବି କରିଛି ସଂଘ ।

ତେବେ ଦୀର୍ଘ ୩୮ଦିନ ଧରି ଆନ୍ଦୋଳନ ଚାଲିଥିଲେ ହେଁ ସରକାର ଏପର୍ଯ୍ୟନ୍ତ ଆମ ଦୁଃଖ ଶୁଣୁନାହାଁନ୍ତି । ଯେ ପର୍ଯ୍ୟନ୍ତ ଆମ ସମସ୍ୟାର ସମାଧାନ ନହୋଇଛି ସେତେ ଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛି ସଂଘ । କୌଣସି ପ୍ରତିକାର ନବାହାରିଲେ ବାଧ୍ୟହୋଇ ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକା ଲୋୟର ପିଏମଜିରେ ଆତ୍ମାହୁତି ଦେବାକୁ ମଧ୍ୟ ଧମକ ଦେଇଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ. ଅଙ୍ଗନବାଡି କର୍ମୀଙ୍କ ବିଶାଳ ବିକ୍ଷୋଭ ସମାବେଶ

ଏ ସମ୍ପର୍କରେ ଜିଲ୍ଲା ସମ୍ପାଦିକା ପୁଷ୍ପଲତା ରଥ କହିଛନ୍ତି ''ଆଜିକୁ ୩୮ଦିନ ହେଲାଣି ଅର୍ଥାତ ନଭେମ୍ବର ୨୧ରୁ ଆଜି ପର୍ଯ୍ୟନ୍ତ ଆମେ ଆମ ଦାବି ପୂରଣ ପାଇଁ ସଂଘର୍ଷ କରୁଛୁ । ଏନେଇ ଭୁବନେଶ୍ବର ଲୋୟର ପିଏଜିରେ ଆମ ଦଳର କର୍ମୀମାନେ ଧାରଣା ମଧ୍ୟ ଦେଇଛନ୍ତି । ତଥାପି ସରକାର ଆମ କଥା ଶୁଣୁନାହାଁନ୍ତି । ଏ ସମ୍ପର୍କରେ ଆମେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାର ଥିଲା । ଯାହା ଦସ୍ତଖତ ଅଭିଯାନ ଥିଲା । ଆମେ ଦାବିପତ୍ରରେ ଦସ୍ତଖତ କରିଛୁ । ଏହି ଦାବିପତ୍ର ନେଇ ଆମେ ଜିଲ୍ଲାପାଳଙ୍କୁ ଦେବୁ ଓ ତାଙ୍କୁ ସାକ୍ଷାତ କରିବୁ । ଆମର ମୁଖ୍ୟତଃ ୮ ଦଫା ଦାବି ରହିଛି । ପ୍ରଥମ ଦାବି ହେଉଛି ଯେଉଁଭଳି ଅନ୍ୟାୟ ଭାବେ ୬ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି ସେମାନଙ୍କୁ ପ୍ରଥମେ ନିଯୁକ୍ତି ଦିଆଯାଉ । ଅଙ୍ଗନବାଡ଼ି କର୍ମୀଙ୍କୁ ସର୍ବନିମ୍ନ ମାସିକ ୧୮ ହଜାର ଟଙ୍କା ଦରମା ଦିଆଯାଉ ଯେପର୍ଯ୍ୟନ୍ତ ସରକାରୀ କର୍ମଚାରୀ ନକରିଛନ୍ତି । ସେହିପରି ଅବସରକାଳୀନ ୫ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ଓ ମାସିକ ୨ହଜାର ଟଙ୍କା ପେନସନ, ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ରକୁ ଅଙ୍ଗନବାଡି ଘୋଷଣା କର ଏବଂ ସହାୟିକାମାନଙ୍କୁ ମାସିକ ଅନ୍ୟୁନ ୯ ହଜାର ଟଙ୍କା ଦରମା ପ୍ରଦାନ, କୌଣସି ଅଙ୍ଗନବାଡି କର୍ମଚାରୀ ଅକର୍ମଣ୍ୟ ହେଲେ ତାଙ୍କୁ ଅନ୍ୟୁନ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ, ଗାଁ ସମିତି ଅଧୀନରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଉ ।''

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.