ETV Bharat / state

ଅଙ୍ଗନବାଡି କର୍ମୀଙ୍କ ବିଶାଳ ବିକ୍ଷୋଭ ସମାବେଶ

author img

By

Published : Dec 28, 2022, 1:02 PM IST

Anganwadi workers protest
ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

ପୁଣି ଗର୍ଜିଲେ ଅଙ୍ଗନବାଡି କର୍ମୀ । ସହରରେ ପ୍ରତିବାଦ ଶୋଭଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ ବିକ୍ଷୋଭ । ଅଧିକ ପଢ଼ନ୍ତୁ

ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

ଭବାନୀପାଟଣା : ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ ଆସୋସିଏସନ ପକ୍ଷରୁ ୮ ଦଫା ଦାବି ନେଇ କଳାହାଣ୍ଡିରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୀର୍ଘ ଗୋଟିଏ ମାସରୁ ଊର୍ଦ୍ଧ୍ବ ସମୟ ଧରି ଜିଲ୍ଲାର ୧୩ଗୋଟି ବ୍ଳକରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଗୁଡ଼ିକରେ ଆମରଣ ଅନଶନରେ ବସିଛନ୍ତି ପାଚିକା ସଂଘ ଓ ଅଙ୍ଗନବାଡି କର୍ମୀ ।

ଆଜି ବିଭିନ୍ନ ଦାବି ଲିଖିତ ପ୍ଲାକାର୍ଡ ସାଙ୍ଗକୁ ବିଭିନ୍ନ ସ୍ଲୋଗାନମାନ ଦେଇ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା ଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଆଗାମୀ ସମୟରେ ସେମାନଙ୍କ ଦାବି ପୂରଣ ନହେଲେ ବାଧ୍ୟ ହୋଇ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଏହି ଶୋଭାଯାତ୍ରାରେ ଅଙ୍ଗନବାଡି କର୍ମଚାରୀମାନେ ସେମାନଙ୍କ ନିଯୁକ୍ତିକୁ ସରକାରୀ ମାନ୍ୟତା ଦେବାପାଇଁ ଦାବି କରିଛନ୍ତି । ଏହାସହ କର୍ମୀମାନଙ୍କୁ ମାସିକ ୨୧ ହଜାର ଟଙ୍କା ଏବଂ ସହାୟିକାମାନଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା ପ୍ରଦାନ ପାଇଁ ଦାବି କରିଛନ୍ତି । ଏହାସହ ମିନି ଅଙ୍ଗନବାଡିକର୍ମୀଙ୍କୁ ଅଙ୍ଗନବାଡି କର୍ମୀର ମାନ୍ୟତା ଭଳି ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହି ଶୋଭାଯାତ୍ରାରେ ଭବାନୀପାଟଣା ବାଲାଜି ମନ୍ଦିରଠାରୁ ୫୩ ହଜାରରୁ ଊର୍ଦ୍ଧ୍ୱ ଅଙ୍ଗନବାଡି କର୍ମୀ ଓ ପାଚିକା କର୍ମୀ ସାମିଲ ହୋଇଥିଲେ । ତେବେ ରାଜରାସ୍ତାରେ ଏମାନେ ଶୋଭାଯାତ୍ରା କରିବାରୁ ଦୀର୍ଘ ୩ ଘଣ୍ଟା ଧରି ଚକଅଖ ଜାମ ହୋଇ ପଡ଼ିଥିଲା । ସେପଟେ ଯଥାଶୀଘ୍ର ରାଜ୍ୟ ସରକାର ଅଙ୍ଗନବାଡି କର୍ମୀଙ୍କ ଦାବିକୁ ପୂରଣ ନକଲେ ଆସନ୍ତା ଦିନରେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଅଙ୍ଗନବାଡି କର୍ମୀମାନେ ଚେତାବନୀ ଦେଇଛନ୍ତି ।

ଏ ସମ୍ପର୍କରେ ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ ଆସୋସିଏସନ ସଭାପତି ପ୍ରେମଲତା ସାମନ୍ତରାୟ କହିଛନ୍ତି "ଗତ ନଭେମ୍ବର ୨୧ରୁ ଆମେ ଯେଉଁ ଧାରଣା ଜାରି ରହିଛି ତାହାର ସମାଧାନ ଏଯାଏଁ ହୋଇନି । ଏହି ଧାରଣା ଆଜି ଆମର ୩୮ ଦନିରେ ପହଞ୍ଚିଛି । କିନ୍ତୁ ସରକାର ଆମ ଦାବିକୁ କର୍ଣ୍ଣପାତ କରୁନାହାଁନ୍ତି । ତେବେ ଯେହେତୁ ଗଭର୍ଣ୍ଣରଙ୍କର ପ୍ରୋଗ୍ରାମ ଅଛି ତେଣୁ ଆଜି ଆମେ ଏହି ଆନ୍ଦୋଳନ କରିଛୁ । ଜିଲ୍ଲାପାଳଙ୍କୁ ଭେଟି ଆମ ସମସ୍ୟାର ସମାଧାନ ପାଇଁ ଜଣାଇବୁ । ଏହାସହ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ଦେବୁ । ତେବେ ଆମର ପ୍ରଥମ ଦାବି ହେଲା ଆମର ଯେଉଁ ୬ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ବହିଷ୍କାର କରିଯାଇଛି ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଉ । ଯେପର୍ଯ୍ୟନ୍ତ ସରକାରୀ କର୍ମଚାରୀ ମାନ୍ୟତା ନମିଳିଛି ଆମକୁ ମାସିକ ୧୮ ହଜାର ଟଙ୍କା ଦରମା ଦିଆଯାଉ । ସେହିପରି ଅବସରକାଳୀନ ୫ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ଓ ମାସିକ ୨ହଜାର ଟଙ୍କା ପେନସନ, ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ରକୁ ଅଙ୍ଗନବାଡି ଘୋଷଣା କରାଯାଉ, ସହାୟିକାମାନଙ୍କୁ ମାସିକ ଅନ୍ୟୁନ ୯ ହଜାର ଟଙ୍କା ଦରମା ପ୍ରଦାନ, କୌଣସି ଅଙ୍ଗନବାଡି କର୍ମଚାରୀ ଅକର୍ମଣ୍ୟ ହେଲେ ତାଙ୍କୁ ଅନ୍ୟୁନ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ, ଗାଁ ସମିତି ଅଧୀନରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଉ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.