କଲେଜ କର୍ତ୍ତୃପକ୍ଷଙ୍କ ଛତ୍ରଛାୟା ତଳେ କନିଷ୍ଠ କିରାଣୀ, ଗିରଫ ପରେ ବି ହୋଇନାହାନ୍ତି ନିଲମ୍ବିତ

author img

By

Published : Nov 28, 2021, 1:41 PM IST

ଗିରଫ ପରେ ହେଉନି କାର୍ଯ୍ୟାନୁଷ୍ଠାନ

ଗିରଫ ଅଭିଯୁକ୍ତ କନିଷ୍ଠ କିରାଣୀ ( Junior clerk) ପ୍ରତି ଅହେତୁକ ଅନୁକମ୍ପା ଦେଖାଉଛନ୍ତି କଲେଜ କର୍ତ୍ତୃପକ୍ଷ । ଗିରଫଦାରିକୁ ସପ୍ତାହେ ପୁରିଥିବା ବେଳେ ନିଲମ୍ବନ ତ ଦୂରର କଥା ଏନେଇ ସମ୍ପୃକ୍ତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇନାହିଁ । ଏଭଳି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରୁ (Pattamundai women college) । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଗିରଫ ଅଭିଯୁକ୍ତ କନିଷ୍ଠ କିରାଣୀ ( Junior clerk) ପ୍ରତି ଅହେତୁକ ଅନୁକମ୍ପା ଦେଖାଉଛନ୍ତି କଲେଜ କର୍ତ୍ତୃପକ୍ଷ । ଗିରଫଦାରିକୁ ସପ୍ତାହେ ପୁରିଥିବା ବେଳେ ନିଲମ୍ବନ ତ ଦୂରର କଥା ଏନେଇ ସମ୍ପୃକ୍ତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇନାହିଁ । ଗିରଫ ହୋଇ ଜେଲରେ ଥିବା ଜଣେ ସରକାରୀ କର୍ମଚାରୀକୁ ନିଲମ୍ବନରୁ ବଞ୍ଚାଇବା ପାଇଁ ପ୍ରାଣପଣେ ଲାଗିପଡିଛନ୍ତି କଲେଜ କର୍ତ୍ତୃପକ୍ଷ ଆଉ ଏଥିରେ ସହଯୋଗ କରୁଛି ଜିଲ୍ଲା ପ୍ରଶାସନ । ଏଭଳି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରୁ (Pattamundai women college) ।

କଲେଜ କର୍ତ୍ତୃପକ୍ଷଙ୍କ ଛତ୍ରଛାୟା ତଳେ କନିଷ୍ଠ କିରାଣୀ

ପୂର୍ବରୁ ବାରମ୍ବାର ନିଯୁକ୍ତି, କଲେଜର ଦୁର୍ନୀତି ସମ୍ପର୍କରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଚୁପ ହୋଇ ବସିଥିବା ବେଳେ ପ୍ରଶାସନିକ ସାହସ ପାଇ ଏଠାରେ ନିଯୁକ୍ତି ପାଇଥିବା କିଛି ଅସାଧୁ କର୍ମଚାରୀ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଅଭିଯୋଗ ଅନୁଯାୟୀ ପଟ୍ଟାମୁଣ୍ଡାଇ ବେଲତଳ ଅଞ୍ଚଳର ଲକ୍ଷ୍ମୀପ୍ରିୟା ରାଉତ ନାମକ ଜଣେ ଜନୈକା ମହିଳା ଗତ ୨ ତାରିଖ ଦିନ ଘରେ ଥିବା ବେଳେ ମନୋଜ ରାଉତ ନାମକ ଜଣେ ବ୍ୟକ୍ତି ଏବଂ ତା'ର ସହଯୋଗୀ ଲକ୍ଷ୍ମୀପ୍ରିୟା ଓ ତାଙ୍କ ସ୍ବାମୀଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ହୋଇଥିଲା। ପଟ୍ଟାମୁଣ୍ଡାଇ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ପଟ୍ଟାମୁଣ୍ଡାଇ ଜୁନିୟର ମହିଳା ମହାବିଦ୍ୟାଳୟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିବା ଜଣାପଡିଥିଲା।

ତେବେ ପ୍ରାରମ୍ଭରେ ପୋଲିସ ଅଭିଯୁକ୍ତ ମନୋଜକୁ ଫେରାର ଦର୍ଶାଉଥିବା ବେଳେ ମନୋଜ କିନ୍ତୁ ଅନାୟାସରେ କଲେଜକୁ ଯାଆସ କରି କଲେଜ କର୍ମଚାରୀ ଉପସ୍ଥାନରେ ଦସ୍ତଖତ କରୁଥିଲା। ତେବେ ଏନେଇ ସ୍ଥାନୀୟ ଜନସାଧାରଣ ଉଭୟ ପଟ୍ଟାମୁଣ୍ଡାଇ ପୋଲିସ ଓ ସମ୍ପୃକ୍ତ କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିବା ପରେ ଗତ ୧୫ ତାରିଖ ଦିନ ଅଭିଯୁକ୍ତ ମନୋଜ ରାଉତକୁ କଲେଜ ସମ୍ମୁଖରୁ ପଟ୍ଟାମୁଣ୍ଡାଇ ପୋଲିସ ଗିରଫ କରିବାରେ ସମର୍ଥ ହୋଇଥିଲା।

ଆଇନ ଅନୁଯାୟୀ ଜଣେ ସରକାରୀ କର୍ମଚାରୀ ଯଦି କୌଣସି ଫୌଜଦାରୀ ମାମଲାରେ ସମ୍ପୃକ୍ତ ଥାଆନ୍ତି ତେବେ ଅଭିଯୋଗ ପାଇଲେ ଉପରିସ୍ଥ ଅଧିକାରୀ ଉକ୍ତ କର୍ମଚାରୀ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ନିୟମରେ ରହିଛି । ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ମନୋଜଙ୍କ ନାମରେ ଫୌଜଦାରୀ ମାମଲା ଥାଇ ସେ କଲେଜ କର୍ମଚାରୀ ଉପସ୍ଥାନରେ ୨ରୁ ୧୫ତାରିଖ ପର୍ଯ୍ୟନ୍ତ ଦସ୍ତଖତ କରୁଥିବା ଅଭିଯୋଗ କରିଥିଲେ । ଏହାପରେ ବି କୌଣସି ପଦକ୍ଷେପ ନେଇନଥିଲେ ଅଧ୍ୟକ୍ଷ ।

ଅପରପକ୍ଷରେ ଗତ ୧୫ତାରିଖ ଅପରାହ୍ନରେ କଲେଜରୁ ଖାଇବାକୁ ଯାଇ ଜଣେ କର୍ମଚାରୀ କଲେଜକୁ ନ ଫେରିବା ଓ ଯେକୌଣସି ଉତ୍ସରୁ ହେଉନା କାହିଁକି ଉକ୍ତ କର୍ମଚାରୀ ଜଣଙ୍କୁ ପୋଲିସ ଗିରଫ କରିଥିବା ଜାଣି ସୁଦ୍ଧା ଆଜି ପର୍ଯ୍ୟନ୍ତ କଲେଜର ଜୁନିୟର ଆସିଷ୍ଟାଣ୍ଟ କର୍ମଚାରୀ ମନୋଜ ରାଉତକୁ ନିଲମ୍ବନ ନକରିବା ପଛରେ ଅଧ୍ୟକ୍ଷ ଓ କଲେଜ ପରିଚାଳନା ସମିତି ସଭାପତି ତଥା କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କ କଣ ଉଦ୍ଦେଶ୍ୟ ରହିଛି ସେ ନେଇ ପ୍ରଶ୍ନ ଉଠିଛି । ଆଇନଜୀବୀଙ୍କ ମତାନୁସାରେ କୌଣସି ସୂତ୍ରରୁ ଯଦି ସରକାରୀ କର୍ମଚାରୀ ଗିରଫ ହୋଇ ଗୋଟିଏ ଦିନ ଜେଲଦଣ୍ଡ ଭୋଗିଥିଲେ ମଧ୍ୟ ତାଙ୍କୁ ସଙ୍ଗେସଙ୍ଗେ ନିଲମ୍ବନ କରିବା ପ୍ରକ୍ରିୟା ରହିଛି । ହେଲେ ଅସାଧୁ କର୍ମଚାରୀକୁ ଘଣ୍ଟ ଘୋଡାଇବା ପାଇଁ ପ୍ରୟାସ କରାଯାଉଥିବା ଦେଖିବାକୁ ମିଳିଛି । ଏ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନାହାନ୍ତି ।

କେବଳ ଗୋଟିଏ ନୁହେଁ ପୂର୍ବରୁ ମଧ୍ୟ ଲୁଥେରାନ ମହିଳା ସମିତି କେଳେଙ୍କାରୀ ଘଟଣାରେ ଗିରଫ ହୋଇ ଜେଲ ଯିବାପରେ ମଧ୍ୟ କର୍ମଚାରୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଥିଲା ଜିଲ୍ଲା ପ୍ରଶାସନ । ଏବେ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ଘଟଣାରେ ପଦକ୍ଷେପ ନେଇ ଅଭିଯୁକ୍ତ କର୍ମଚାରୀକୁ ନିଲମ୍ବନ କରୁଛି ନା ଆଇନକୁ ଫୁ କରି ଉଡାଉଛି ତାହା ଦେଖିବାକୁ ବାକି ରହିଲା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.