ETV Bharat / state

ଭକ୍ତିରେ ବାଧକ ସାଜିଛି ଭୟ, ଏହି ଗାଁରେ ଭାଙ୍ଗିଛି ୫୦୦ ବର୍ଷର ପରମ୍ପରା

author img

By

Published : Oct 3, 2022, 6:40 PM IST

ଭକ୍ତିରେ ଡୋରି ବାନ୍ଧିଛି ଭୟ, ଏହି ଗାଁରେ ଭାଙ୍ଗିଛି ୫୦୦ ବର୍ଷର ପରମ୍ପରା
ଭକ୍ତିରେ ଡୋରି ବାନ୍ଧିଛି ଭୟ, ଏହି ଗାଁରେ ଭାଙ୍ଗିଛି ୫୦୦ ବର୍ଷର ପରମ୍ପରା

ଭୟ ପାଇଁ ବନ୍ଦ ରହିଛି ଦୁର୍ଗାପୂଜା । ୫୦୦ବର୍ଷ ପୁରୁଣା ପରମ୍ପରାରେ ଭୟ ଡୋରି ବାନ୍ଧିଛି । ରାଜା ରାଜୁଡା ଅମଳରୁ ହୋଇ ଆସୁଥିବା ଦୂର୍ଗାପୂଜା ବନ୍ଦ ରହିଛି । ପୂଜାରେ ତ୍ରୁଟି ପାଇଁ ଯଦୁମଣି ରଣବାଡ଼ ପରିବାର ବଂଶ ଲୋପ ପାଇଥିବା କଥା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଅଧିକ ପଢନ୍ତୁ

କେନ୍ଦ୍ରପଡା: ଦୁଇ ବର୍ଷ ପରେ କଟକଣା ମୁକ୍ତ ଦଶହରା ପାଳୁଛନ୍ତି ରାଜ୍ୟବାସୀ । ଆଦିଶକ୍ତି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ସାନିଧ୍ୟ ଲାଭ କରିଛନ୍ତି ଶ୍ରଦ୍ଧାଳୁ । ଯୁଗେ ଯୁଗେ ମା'ଙ୍କ କରୁଣା ରହି ଆସିଛି । ରାଜଧାନୀରୁ ନେଇ ଗାଁ ଗଣ୍ଡା ମା'ଙ୍କ ଆଗମନରେ ଉତ୍ସାହିତ ହୋଇଛନ୍ତି । ପୂଜା ମଣ୍ଡପ ଓ ଶକ୍ତି ପୀଠ ଚଳଚଞ୍ଚଳ ହୋଇଛି । ହେଲେ କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଗାଁରେ କିଛି ନିଆରା ଦେଖିବାକୁ ମିଳିଛି । ଭୟ ପାଇଁ ଗାଁରେ ପୂଜା ବନ୍ଦ ରହିଛି । ୫୦୦ବର୍ଷ ପୁରୁଣା ପରମ୍ପରାରେ ଭୟ ଡୋରି ବାନ୍ଧିଛି ।

ରାଜା ରାଜୁଡା ଅମଳରୁ ହୋଇ ଆସୁଥିବା ଦୂର୍ଗାପୂଜା ବନ୍ଦ ରହିଛି । ପୂଜାରେ ତ୍ରୁଟି ପାଇଁ ଯଦୁମଣି ରଣବାଡ଼ ପରିବାର ବଂଶ ଲୋପ ପାଇଥିବା କଥା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଫଳରେ ଏହି ଗାଁରେ ପୂଜା ବନ୍ଦ ରହିବା ସହିତ ପୂଜା ହୋଇଆସୁଥିବା ସ୍ଥାନ ଜଙ୍ଗଲରେ ପରିଣତ ହୋଇଛି । ନିକିରାଇ ଗାଁରେ ରାଜା ରାଜୁଡା ସମୟରେ ଯଦୁମଣି ରଣବାଡ଼ ପ୍ରଥମେ ବସତି ସ୍ଥାପନ କରିଥିଲେ । ଏହି ଅଞ୍ଚଳରେ ପ୍ରଥମ ଦୁର୍ଗାପୂଜା ଆରମ୍ଭ କରିଥିଲେ ।

ଭକ୍ତିରେ ଡୋରି ବାନ୍ଧିଛି ଭୟ, ଏହି ଗାଁରେ ଭାଙ୍ଗିଛି ୫୦୦ ବର୍ଷର ପରମ୍ପରା

ଦୀର୍ଘ ୪୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ପୂଜା ହୋଇ ଆସୁଥିଲା । ଗତ ୫୦ ବର୍ଷ ମଧ୍ୟରେ ପୂଜାରେ ବିଘ୍ନ ଘଟିଥିଲା । ପୂଜାରେ କୌଣସି ତ୍ରୁଟି ରହିବା କାରଣରୁ ଯଦୁମଣିଙ୍କ ପରିବାରର ତିନି ପୁଅଙ୍କ କୌଣସି ସନ୍ତାନ ସନ୍ତତି ହୋଇନଥିଲେ । ଶେଷ ପୁତ୍ର ରାଧାକୃଷ୍ଣ ରଣବାଡ଼ଙ୍କ ଅନ୍ତେ ତାଙ୍କ ପତ୍ନୀ ସରସ୍ବତୀ ରଣବାଡ଼ ପୂଜା ପ୍ରଥା ଜାରି ରଖିଥିଲେ । ତେବେ ରାଧାକୃଷ୍ଣଙ୍କ ସମେତ ଅନ୍ୟ ଦୁଇଭାଇ ପୂଜାରେ ସଂକଳ୍ପ କରିବା ପାଇଁ ବସିଥିବାରୁ ସେମାନଙ୍କ ଅକାଳ ମୃତ୍ୟୁ ହୋଇଥିବା କୁହନ୍ତି ସ୍ଥାନୀୟ ଲୋକେ ।

କେବଳ ସେତିକି ନୁହେଁ ସରସ୍ବତୀ ରଣବାଡ଼ ସୁଦୂର କୂଳସାହିରେ ରହୁଥିବା ନିଜ ନଣନ୍ଦଙ୍କ ପୁଅ ଅର୍ଥାତ ରଣବାଡ଼ ପରିବାରର ଝିଅର ପୁଅକୁ ଏଠାରେ ଅବସ୍ଥାପିତ କରି ଏହି ପୂଜା ଦାୟିତ୍ବ ଦେଇଥିଲେ । ପୂଜାରେ ସଂକଳ୍ପ ପାଇଁ ବସିଥିବା ସରସ୍ବତୀଙ୍କ ଭଣଜାଙ୍କ ତିନିମାସ ମଧ୍ୟରେ ଅକାଳ ମୃତ୍ୟୁ ହୋଇଥିଲା । ଏହି ଘଟଣା ସେମାନଙ୍କ ମନରେ ଭୟକୁ ଆହୁରି ବଢାଇଥିଲା । ସେବେଠୁ ଏହି ଗାଁରେ ପୂଜା ବନ୍ଦ ରହିଛି ।

ଏହା ବି ପଢନ୍ତୁ...କାଠଗଡ଼ାରେ ସୁନା ଚାନ୍ଦିରେ ଝଟକୁଛନ୍ତି ମହିଷାମର୍ଦ୍ଦିନୀ

ପୂଜା ହେଉଥିବା ସ୍ଥାନରେ ଅନାବନା ଗଛ ଉଠି ଜଙ୍ଗଲ ହୋଇଛି । ଦିନେ ଯେଉଁ ସ୍ଥାନରେ ମନ୍ତ୍ର ଉଚ୍ଚାରଣରେ ଗଗନପବନ କମ୍ପୁଥିବା ଆଜି ସେଠି ନିରବତାର ବାତାବରଣ । ଗାଁ ଲୋକଙ୍କୁ ଏଠାରେ ପୁଣିଥରେ ପୂଜା ଆରମ୍ଭ କରିବା ପାଇଁ କହିବା ମାତ୍ରେ ସେମାନଙ୍କ ମନରେ ଅଜଣା ଭୟ ସଞ୍ଚାର ହେଉଛି । ସରସ୍ୱତୀ ରଣବାଡ଼ଙ୍କ ମୃତ୍ୟୁ ପରେ ଜମିଦାର ରଣବାଡ଼ ପରିବାର ରହୁଥିବା ଘର ଓ ମା'ଙ୍କ ଆସ୍ଥାନ ମାଟିରେ ମିଶିଯାଇଥିବାବେଳେ, ଏଠାରେ ମା'ଙ୍କ ପୂଜା ଓ ଆନନ୍ଦ ଉଲ୍ଲାସର ଏକମାତ୍ର ମୁକ ସାକ୍ଷୀ ଭାବେ ଛିଡା ହୋଇ ରହିଛି ।

ଭଙ୍ଗା ମାଟି କାନ୍ଥଟିଏ । ମା'ଙ୍କ ମେଢଟି ଉଇ ଖାଇଯାଇ ମାଟିରେ ମିଶିଯାଇଥିବାବେଳେ, ରଣବାଡ଼ ପରିବାରର ଏହି ପୈତୃକ ସମ୍ପତ୍ତି ତଥା ମା' ବିଜେ କରିଥିବା ସ୍ଥାନକୁ ଯିବା ପାଇଁ କେହି ସାହସ କରୁନଥିବା କହିଛନ୍ତି ଗ୍ରାମବାସୀ । ପୂର୍ବ ନିକିରାଇର ରଣବାଡ଼ ପରିବାର ମା'ଙ୍କ ପୂଜାରେ ସମ୍ପୂର୍ଣ୍ଣ ଲୋପ ପାଇଛି । ତେବେ ସତରେ କଣ ଏପରି ହୋଇପାରେ ଏହି ଦ୍ବନ୍ଦ୍ବରେ ରହିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.