ETV Bharat / city

କାଠଗଡ଼ାରେ ସୁନା ଚାନ୍ଦିରେ ଝଟକୁଛନ୍ତି ମହିଷାମର୍ଦ୍ଦିନୀ

author img

By

Published : Oct 2, 2022, 4:05 PM IST

goddess durga silver attires at khathagada sahi cuttack
କାଠଗଡ଼ାରେ ସୁନା ଚାନ୍ଦିରେ ଝଟକୁଛନ୍ତି ମହିଷାମର୍ଦ୍ଦିନୀ

ଆଜି ଜଗତଜନନୀଙ୍କ ମହାସପ୍ତମୀ ପୂଜା । କଟକର ସମସ୍ତ ପୂଜା ମଣ୍ଡପରେ ବେଶ ଆଡମ୍ବରେ ଚାଲିଛି ମା'ଙ୍କ ସପ୍ତମୀ ପୂଜା । ପୂଜା ମଣ୍ଡପରେ ମହଣ ମହଣ ସୁନା ରୂପାରେ ସଜେଇ ହୋଇଛନ୍ତି ଜଗତ ଜନନୀ । ଅଧିକ ପଢ଼ନ୍ତୁ

କଟକ: ପାର୍ବଣର ଆଗମନରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତ ଜନନୀ ମା' ଦୁର୍ଗା। ମା'ଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି ପୁରଠୁ ପଲ୍ଲୀ । ସବୁଆଡେ ପୂଜାର ମାହଲ। କଟକର ବାଉନ ବଜାର ତେପନ ଗଳିରେ ଜମୁଛି ଶାରଦୀୟ ଦୁର୍ଗା ପୂଜା । ସହରର ସମସ୍ତ ମଣ୍ଡପରେ ଏବେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । କଟକରେ ୧୭୦ ଟି ମଣ୍ଡପ ମଧ୍ୟରୁ ୨୮ ଟି ମଣ୍ଡପରେ ଚାନ୍ଦି ମେଢ ରହିଛି । ଏହି ୨୮ ଟି ମଧ୍ୟରୁ କାଠଗଡା ମଣ୍ଡପ ବେଶ ଆକର୍ଷଣୀୟ । ଏଠାରେ ଅଢେଇ କୁଇଣ୍ଟାଲ ଚାନ୍ଦି ସାଙ୍ଗକୁ ସୁନା ମକୁଟରେ ଝଲସୁଛନ୍ତି ମା' ।

କାଠଗଡ଼ାରେ ସୁନା ଚାନ୍ଦିରେ ଝଟକୁଛନ୍ତି ମହିଷାମର୍ଦ୍ଦିନୀ

କଟକ ସହରର ୨୮ଟି ଚାନ୍ଦି ମେଢ଼ ମଧ୍ୟରୁ କାଠଗଡା ସାହି ପୂଜା ମଣ୍ଡପ ଅନ୍ୟତମ । ୧୯୬୩ ମସିହା ପୂର୍ବରୁ ଏହି ମଣ୍ଡପରେ ହରପାର୍ବତୀ ପୂଜା କରାଯାଉଥିଲା । ପରବର୍ତ୍ତୀ ସମୟରେ ଅର୍ଥାତ ୧୯୬୩ ମସିହାରେ ଏଠାରେ ପ୍ରଥମେ ମୃଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ କରାଯାଇଥିଲା । ଚାଳ ଘରେ ଆରମ୍ଭ ହୋଇଥିଲା ମା'ଙ୍କ ପ୍ରଥମ ପୂଜା । ସହରର ଅନେକ ମଣ୍ଡପରେ ଦୁର୍ଗା ପୂଜା ଦେଖି କମିଟି ଏଠାରେ ଦୁର୍ଗାପୂଜା ପାଇଁ ନିଷ୍ପତ୍ତି ନେଇଥିଲା । ସେବେଠାରୁ ଏହି ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଉଛି । ସବୁଠାରୁ ବଡ଼ କଥା ହେଉଛି କଟକର ଏହି ଗୋଟିଏ କମିଟି ଯେଉଁଠାରେ ଦୁଇଟି ସ୍ଥାନରେ ପୂଜା କରାଯାଇଥାଏ ।

ଗୋଟିଏ ଏହି ମଣ୍ଡପରେ ଏବଂ ଅନ୍ୟ ଗୋଟିଏ ଘରୋଇ ପୂଜା କରାଯାଇଥାଏ । ଏହାକୁ କାଠଗଡା ପୂଜା କମିଟି ପରିଚାଳନା କରିଥାଏ । ୨୦୦୮ ମସିହାରେ ଏହି ମଣ୍ଡପରେ ଚାନ୍ଦି ମେଢ଼ ଆରମ୍ଭ କରାଯାଇଥିଲା । ସାହି ଲୋକଙ୍କ ସାହାଯ୍ୟରେ ପ୍ରାୟ ଅଢେଇ କ୍ବିଣ୍ଟାଲ ଚାନ୍ଦିରେ ନିର୍ମାଣ ହୋଇଥିଲା ମଣ୍ଡପ । କଟକର ଚାନ୍ଦି ମେଢ଼ମାନଙ୍କ ମଧ୍ୟରେ ଏହା ୧୦ ନମ୍ବର ସ୍ଥାନରେ ରହିଛି । ଅର୍ଥାତ ସହରର ୧୦ ନମ୍ବର ମଣ୍ଡପ ଭାବରେ ଏଠାରେ ଚାନ୍ଦି ନିର୍ମାଣ କରାଯାଇଥିଲା । ସେହିପରି ୨୦୧୬ରେ ପ୍ରାୟ ୨କେଜି ସୁନାରେ ମା'ଙ୍କ ମକୁଟ ନିର୍ମାଣ କରାଯାଇଥିଲା । ମା'ଙ୍କ ମକୁଟ ସାଙ୍ଗକୁ ଅଳଙ୍କାର, ପାର୍ଶ୍ଵ ଦେବାଦେବୀଙ୍କ ଅଳଙ୍କାର ବେଶ ଆକର୍ଷଣୀୟ ହୋଇଛି । କେବଳ ସେତିକି ନୁହେଁ ଏହି ମଣ୍ଡପରେ ଏକ ସ୍ୱରନ୍ତ୍ରତା ହେଉଛି ସାହିରେ ବସବାସ କରୁଥିବା ସମସ୍ତଙ୍କ ଘରେ ଘରେ ଲଡୁ ଭୋଗ ବଣ୍ଟା ଯାଇଥାଏ । ପରମ୍ପରା ଅନୁଯାୟୀ ଏହି ଭୋଗ ସମସ୍ତଙ୍କୁ ଦିଆ ଯାଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ: ମହାମାୟାଙ୍କ ମହାସପ୍ତମୀ, ସୁନାବେଶରେ ଦର୍ଶନ ଦେଲେ ମାଆ ତାରିଣୀ

କଟକ ସହରରେ ଦିନକୁ ଦିନ ଚାନ୍ଦି ମେଢ଼ର ସଂଖ୍ୟା ବୃଦ୍ଧି ପାଉଛି । ଆସନ୍ତା ବର୍ଷ କଟକରେ ଆହୁରି ୫ଟି ଚାନ୍ଦି ମଣ୍ଡପ ଦେଖିବାକୁ ମିଳିବ । ଦୀର୍ଘ ଦୁଇ ବର୍ଷ ପରେ ବେଶ ଆଡ଼ମ୍ବର ଭାବେ କଟକରେ ଦୁର୍ଗା ପୂଜା ପାଳନ ହେଉଛି । ଶ୍ରଦ୍ଧାଳୁଙ୍କ ମନ ମୋହୁଛି ଆକର୍ଷଣୀୟ ତୋରଣ ସହ ଆଖି ଝଲସା ମେଢ଼ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.