ETV Bharat / state

ଜନଜାତି ଗୌରବ ଦିବସରେ କନ୍ଧମାଳରେ ବିରାଟ ଶୋଭାଯାତ୍ରା, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

author img

By

Published : Nov 15, 2022, 7:37 PM IST

ଜନଜାତି ଗୌରବ ଦିବସରେ କନ୍ଧମାଳରେ ବିରାଟ ଶୋଭାଯାତ୍ରା
ଜନଜାତି ଗୌରବ ଦିବସରେ କନ୍ଧମାଳରେ ବିରାଟ ଶୋଭାଯାତ୍ରା

କନ୍ଧମାଳରେ ଜନଜାତି ଗୌରବ ଦିବସ ଅବସରରେ ଶୋଭାଯାତ୍ରା । ହଜାର ହଜାର ଜନଜାତିଙ୍କ ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିରାଟ ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ଅଧିକ ପଢନ୍ତୁ

ଫୁଲବାଣୀ: ଆଜି ମହାନ ଜନଜାତି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ପାଳନ କରାଯାଇଛି । ଫୁଲବାଣୀ ସହରରେ ବିରାଟ ଶୋଭାଯାତ୍ରା ସହିତ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଅଂଶଗ୍ରହଣ କରିଥିଲେ ।

ଜନଜାତି ଗୌରବ ଦିବସରେ କନ୍ଧମାଳରେ ବିରାଟ ଶୋଭାଯାତ୍ରା

ହଜାର ହଜାର ଜନଜାତିଙ୍କ ସମେତ ନିଜେ କେନ୍ଦ୍ର ମନ୍ତ୍ରୀ ଫୁଲବାଣୀର ମାଦିକୁନ୍ଦା ଛକରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିରାଟ ଶୋଭାଯାତ୍ରାରେ ବାହାରି କରୋନେସନ ପଡ଼ିଆରେ ଆସି ପହଞ୍ଚିଥିଲେ । ଏହାପରେ ସେଠାରେ ଆୟୋଜିତ ସାଧାରଣ ସଭାରେ ମନ୍ତ୍ରୀ ବିଶେଶ୍ୱର ଟୁଡୁ, ଟ୍ରାଇଫେଡ଼ ଅଧ୍ୟକ୍ଷ ପବିତ୍ର କହଁର, ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ତଥା ଭାରତୀୟ ନାଗରୀୟ କାର୍ଯ୍ୟ ପ୍ରମୁଖ ଭଗବାନ ସାହାଙ୍କ ସମେତ ବହୁ ଜନଜାତି ନେତା ଉପସ୍ଥିତ ରହିଥିଲେ ।

ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ସହିତ ସେମାନଙ୍କ ପରମ୍ପରାକୁ ଯଦି କେହି ଅଧିକ ଗୁରୁତ୍ୱ ଦେଇଛି ତାହା କେବଳ ବିଜେପି ଦେଇଛି ବୋଲି କେନ୍ଦ୍ର ମନ୍ତ୍ରୀ ମତପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ମାନଙ୍କ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ଭାବେ ମାନ୍ୟତା ଦେଇଥିଲେ । ଏଥିପାଇଁ ଆମେ ଆଜି ସରକାରୀ ଏବଂ ବେସରକାରୀ ସ୍ତରରେ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସକୁ ମହା ଆଡମ୍ବରରେ ପାଳନ କରୁଛୁ ବୋଲି କହିଥିଲେ ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ।

ଏହା ମଧ୍ୟ ପଢନ୍ତୁ-ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ଆଶ୍ୱସ୍ତି, ଇନପୁଟ୍ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

''ଦେଶରେ ଅନେକ ସରକାର ଆସିଛନ୍ତି, ଆଦିବାସୀଙ୍କ ବିକାଶ ନାରେ ବହୁତ କଥା କହିଛନ୍ତି । କିନ୍ତୁ ବାସ୍ତବରେ ମୁଁ ଆଜି ଗର୍ବର ସହ କହିବି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଦିବାସୀଙ୍କ ବିକାଶ କରିବା ପାଇଁ ବିଚାର କରି ଗୋଟିଏ ବିଭାଗ କରିଥିଲେ । ତାପରେ ୨୦୧୪ ମସିହା ପରଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀଙ୍କ ଶିକ୍ଷା ଓ ଅର୍ଥନୀତିକୁ ଗୁରୁତ୍ବ ଦେଇ ଆସୁଛନ୍ତି । ଗତ ବର୍ଷ ଆଜିର ଦିନରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ଘୋଷଣା କରିଥିଲେ ନରେନ୍ଦ୍ର ମୋଦି । ତେଣୁ ଚଳିତ ବର୍ଷ ଦେଶର କୋଣ ଅନୁକୋଣରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି । ''

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.