ETV Bharat / state

କନ୍ଧମାଳରେ ମାଓ ପୋଷ୍ଟର: ୪ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ମାଓ ସଂଗଠନ

author img

By ETV Bharat Odisha Team

Published : Aug 31, 2023, 1:02 PM IST

Updated : Aug 31, 2023, 2:12 PM IST

କନ୍ଧମାଳରେ ଲାଗିଲା ମାଓ ପୋଷ୍ଟର
କନ୍ଧମାଳରେ ଲାଗିଲା ମାଓ ପୋଷ୍ଟର

କନ୍ଧମାଳରେ ଲାଗିଲା ମାଓ ପୋଷ୍ଟର । ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ସମର୍ଥନ କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ମାଓ ସଂଗଠନ । ଅଧିକ ପଢନ୍ତୁ

କନ୍ଧମାଳରେ ମାଓ ପୋଷ୍ଟର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରେ ମାଓ ପୋଷ୍ଟର ମାରି ଦବଦବା ଜାହିର୍ କରିଛି ଲାଲବାହିନୀ । ମାଓ ଆଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେ ଆଜି(ଗୁରୁବାର) ସକାଳୁ ଅନେକ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଘାଟି ସାହି, ମାଝୀ ପଡା, ଦରଘା ବାଲି ପ୍ରଭୃତି ଅଞ୍ଚଳରେ ଏହି ପୋଷ୍ଟର ଲାଗିଛି । ଯାହାକୁ ନେଇ ସେହି ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏମିତିକି ସେହି ରାସ୍ତା ଦେଇ ଯିବାଆସିବା କରୁଥିବା ଲୋକେ ମଧ୍ୟ ଭୟଭୀତ ହୋଇପଡିଛନ୍ତି ।

ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବିଏନ ଡିଭିଜନର ସଚିବ ବିଜୟ ନାଁ ଲେଖା ହୋଇଥିବା ଦେଖାଯାଇଛି । ଏଥିରେ ମାଓ ସଂଗଠନ ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ସମର୍ଥନ କରିବା ସହ ପୋଲିସ ଓ ସରକାରଙ୍କ ଦମନ ମୂଳକ କାର୍ଯ୍ୟକଳାପକୁ ନିନ୍ଦା କରିଛି । ଏଥିପାଇଁ ଆଜି କନ୍ଧମାଳ, ବୌଦ୍ଧ, ନୟାଗଡ, କଳାହାଣ୍ଡି ଆଦି ୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏହି ବନ୍ଦକୁ ସଫଳ କରିବାକୁ ଚାଷୀ, ଆଦିବାସୀ, ଦଳିତ, ଛାତ୍ର,ବୁଦ୍ଧିଜୀବୀ ସମେତ ବିଭିନ୍ନ ସଂଗଠନକୁ ଆହ୍ବାନ କରାଯାଇଛି । ଏ ସରକାର କିମ୍ବା ସ୍ଥାନୀୟ ବିଧାୟକ ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିପାରିବ ନାହିଁ । ତେଣୁ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନକୁ ବର୍ଜନ କରିବା ସହିତ ଜନ ଆନ୍ଦୋଳନକୁ ଆଗକୁ ନେବା ପାଇଁ ଆହ୍ବାନ କରିଛି କେକେବିଏନ ସଂଗଠନ ।

ଏହାମଧ୍ୟ ପଢନ୍ତୁ: ଫିରିଙ୍ଗିଆ ଥାନା ପୋଡି ଘଟଣା, ଦକ୍ଷିଣାଞ୍ଚଳ ଆଇଜିଙ୍କୁ ସାକ୍ଷାତ କଲେ କନ୍ଧମାଳ ମିଳିତ ମଞ୍ଚର କର୍ମକର୍ତ୍ତା

ପୋଷ୍ଟରେ ଆହୁରି ଲେଖାଯାଇଛି, ଫିରିଙ୍ଗିଆ ଥାନା ପୋଡି ଘଟଣା ଲୋକଙ୍କ ସାମ୍ବିଧାନିକ ଅଧିକାରୀ ଥିଲା । ଏହାକୁ କେକେବିଏନ ଜିଭିଜନାଲ କମିଟି ସମର୍ଥନ କରିବା ସହିତ ଦୋଷୀ ସରକାର ଓ ପୋଲିସ ଅଧିକାରୀଙ୍କ ଅସାମ୍ବିଧାନିକ ଓ ଅମାନବୀୟ ଘଟଣାକୁ ନିନ୍ଦା କରୁଛି । ଗଞ୍ଜେଇ ଚାଷୀ ଏଠାକାର ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ମିଳିତ ଜାତିସଂଘ ଗଞ୍ଜେଇକୁ ଔଷଧ ତାଲିକାରେ ବର୍ଗୀକରଣ କରିଥିବା ବେଳେ ସେଥିରେ ମଧ୍ୟ ଭାରତ ପ୍ରତିନିଧି ଅଛି । ତେଣୁ ସରକାର ଗଞ୍ଜେଇ ଚାଷକୁ ଔଷଧ ତାଲିକାଭୁକ୍ତ କରି ମାନ୍ୟତା ପ୍ରଦାନ କରୁ ନଚେତ୍ ବିକଳ୍ପ ଚାଷ ବ୍ୟବସ୍ଥା କରୁ ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇଛି ।

ଫିରିଙ୍ଗିଆ ଥାନା ପୋଡି ଘଟଣାରେ ସରକାର ଓ ପୋଲିସ ଅଧିକାରୀ ଦୋଷୀ । ସେମାନଙ୍କ ଉପରେ ତତ୍କାଳୀନ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଓଲଟା ଲୋକଙ୍କୁ ମାଡ ମାରିବା, ଆରେଷ୍ଟ କରି ଜେଲ ପଠାଇବା, ୩୦୦ ଲୋକଙ୍କ ନାଁରେ କେସ୍ ରୁଜୁ କରିବା ତତ୍କାଳ ବନ୍ଦ କରି ଓ ଗିରଫ ହୋଇଥିବା ଲୋକଙ୍କୁ ତୁରନ୍ତ ଛାଡିବା ଦାବିରେ ଆଜି ବନ୍ଦ ଡାକରା ଦିଆଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।

ଇଟିଭି ଭାରତ, କନ୍ଧମାଳ

Last Updated :Aug 31, 2023, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.