ETV Bharat / state

କନ୍ଧମାଳରେ ବିପୁଳ ପରିମାଣର ଗଞ୍ଜେଇ ଜବତ: ଜଣେ ଅଭିଯୁକ୍ତ ଗିରଫ, ଜଣେ ଫେରାର

author img

By ETV Bharat Odisha Team

Published : Sep 19, 2023, 12:01 PM IST

ବିପୁଳ ପରିମାଣର ଗଞ୍ଜେଇ ଜବତ
ବିପୁଳ ପରିମାଣର ଗଞ୍ଜେଇ ଜବତ

କନ୍ଧମାଳରେ ଗଞ୍ଜେଇ ଚାଲାଣକାରୀଙ୍କୁ ନିସ୍ତାନ ନାହିଁ । ଦୁଇଟି ସ୍ଥାନରୁ ଗଞ୍ଜେଇ ଜବତ କରିଛି ପୋଲିସ ଓ ଅବକାରୀ ବିଭାଗ । ଫିରିଙ୍ଗିଆରେ 220 କେଜି ଗଞ୍ଜେଇ ଜବତ । ଗୋଚ୍ଛାପଡ଼ାରେ ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

କନ୍ଧମାଳରେ ବିପୁଳ ପରିମାଣର ଗଞ୍ଜେଇ ଜବତ

ଫୁଲବାଣୀ: ଦିନକୁ ଦିନ କନ୍ଧମାଳରେ ବୃଦ୍ଧି ପାଇବାରେ ଲାଗିଛି ନିଶା ବେପାରୀଙ୍କ ଉପଦ୍ରବ । କନ୍ଧମାଳ ଜିଲ୍ଲାରେ ପୋଲିସ ଓ ଅବକାରୀ ବିଭାଗର କଡ଼ା ସୁରକ୍ଷା ଥିଲେ ମଧ୍ୟ ଅବାଧରେ ଚାଲିଛି ଗଞ୍ଜେଇ ଚାଲାଣ । ତେବେ ହାଇୱା ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢ଼ାଉ କରିଛି ଅବକାରୀ ବିଭାଗ । ମୋଟ 220 କିଲୋ ଗଞ୍ଜେଇ ଅବକାରୀ ବିଭାଗ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଗାଡି ଡ୍ରାଇଭର ଫେରାର ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଫୁଲବାଣୀ ସଦର ଅବକାରୀ ବିଭାଗର ଅଧିକାରୀ ଶ୍ରୀଧର ହେମ୍ରମଙ୍କ ସହ ଏକ ଟିମ ଫିରିଙ୍ଗିଆ ଗୋଛାପଡା ମୁଖ୍ୟ ରାସ୍ତାର ମାଝିପଡ଼ା ଗାଁ ନିକଟରେ ଏକ ହାଇୱାକୁ ଅଟକାଇ ଥିଲେ । ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖି ଗାଡ଼ିରେ ଥିବା ଗାଡି ଡ୍ରାଇଭର କୌଶଳ କ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଟ୍ରକର ନମ୍ବରରୁ ଟ୍ରକଟି ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡ଼ିଥିଲା । ଏହି ଘଟଣା ସଂକ୍ରାନ୍ତରେ ସଦର ଅବକାରୀ ବିଭାଗ ଏକ ମାମଲା ମଧ୍ୟ ରୁଜୁ କରିଛି ।

ତେବେ ଏହି ଚଢ଼ାଉରେ ଏଏସଆଇ ଭୃଗୁପତି ଡିଗାଲ, ସୁରଜ କୁମାର ମୁଦୁଲି ଓ ପ୍ରଦୀପ କୁମାର ମଳିକଙ୍କ ସହ ସଦାଶିବ ରଣା,ଏମ ସଂଜୀବ କୁମାର,ସଚିନ ଗୁରୁ, ଜଗନ୍ନାଥ ପ୍ରମୁଖ ଉପସ୍ଥିତ ଥିଲେ। ଅବକାରୀ ବିଭାଗର କର୍ମଚାରୀ ଏହି ଚଢ଼ାଉରେ ଉପସ୍ଥିତ ଥିବା ବେଳେ କିଭଳି ଭାବରେ ଟ୍ରକ ଡ୍ରାଇଭର ଜଣକ ଫେରାର ହେଲା ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସେହିପରି କନ୍ଧମାଳ ଜିଲ୍ଲା ଗୋଛାପଡାରେ ମଧ୍ୟ ପୋଲିସ ଗତକାଲି ଏକ ବାଇକ ସହ ୨୧କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏଥିସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ବାଇକ ଚାଲାକ ଜଣକ କୁଏରମାଣ୍ଡୁ ଗାଁର ବିନିଶ୍ୱର ଦିଗାଲଙ୍କ ପୁଅ ରାଜକିଶୋର ଦିଗାଲ ବୋଲି ଜଣାପଡିଛି । ଗତକାଲି ସକାଳୁ ଗୋଚ୍ଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ପାଟ୍ରୋଲିଂ କରୁଥିଲା ।

ଏହା ମଧ୍ୟ ପଢନ୍ତୁ- ଅଟୋ ସିଟ୍‌ ତଳେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ଟିମ୍‌

ସେହି ସମୟରେ ବାଲନ୍ଦାପଡ଼ାଠାରୁ ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାର କେନ୍ଦୁଗୁଡ଼ା ଘାଟି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକକୁ ଧରିଥିଲେ । ବାଇକ୍‌ ପଛପଟେ ବୋଝେଇ ହୋଇଥିବା ବସ୍ତାକୁ ଯାଞ୍ଚ କରିବାରୁ ଏଥିରୁ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା ପୋଲିସ । ତେବେ ଏହି ଘଟଣାରେ ବାଇକ ଚାଳକଙ୍କୁ ପୋଲିସ ଗିରଫ କରିଥିଲା । ବାଇକ ଚାଲାକ ଜଣକ ପେସାଦାର ଗଞ୍ଜେଇ ମାଫିଆ ବୋଲି ପୋଲିସ ସୂତ୍ରରୁ ଜଣା ପଡ଼ିଛି । ଏହି ଘଟଣାରେ ଗୋଛାପଡା ଥାନା ପକ୍ଷରୁ ୧୪୫/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାଇକ ଚାଲାକକୁ କୋର୍ଟ ଚାଳଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.