ETV Bharat / state

ଶୀତ ପାଲିଙ୍କିରେ ଗାଁଠୁ ସହର... ଗରିବ ପାଇଁ କି ଅବା ଶୀତ କି ଅବା ବସନ୍ତ

author img

By ETV Bharat Odisha Team

Published : Dec 15, 2023, 10:19 PM IST

Cold wave sweeps in Kandhamal
Cold wave sweeps in Kandhamal

Cold wave sweeps in Kandhamal: ରାଜ୍ୟରୁ ଲଘୁଚାପ ଅପସରି ଯିବା ପରେ ବଢ଼ିଛି ଶୀତ ଲହରି । ଟୋପା ଟୋପା କାକର ସହ ଘନ କୁହୁଡ଼ିର ଚାଦରରେ ଘୋଡ଼ାଇ ହୋଇଛି ସାରା କନ୍ଧମାଳ ଜିଲ୍ଲା । ଅଧିକ ପଢ଼ନ୍ତୁ

Cold wave sweeps in Kandhamal

ଫୁଲବାଣୀ: ରାଜ୍ୟରୁ ଲଘୁଚାପ ଅପସରି ଯିବା ପରେ ବଢ଼ିଛି ଶୀତ ଲହରି । ଶୀତର ଅନନ୍ୟ ଅନୁଭୂତି ସାଉୁଁଟୁଛି ସାରା ରାଜ୍ୟ । ଶୀତର ସ୍ପର୍ଶ ନିଆରା, ଶୀତର ଅନୁଭୂତି ନିଆରା ଆଉ ଶୀତର ସ୍ମୃତି ବି ନିଆରା । ସେଥିପାଇଁ ତ କବିଟିଏ ଲେଖେ " ସ୍ମୃତି ଶୀତ ସକାଳର କଅଁଳ ଖରାର ତାତି" । ଶୀତୁଆ ସକାଳ ସହ କଅଁଳ ଖରାର ତାତିକୁ ଉପଭୋଗ କରୁଛନ୍ତି କନ୍ଧମାଳବାସୀ । ଟୋପା ଟୋପା କାକର ସହ ଘନ କୁହୁଡ଼ିର ଚାଦରରେ ଘୋଡ଼ାଇ ହୋଇଛି ସାରା କନ୍ଧମାଳ ଜିଲ୍ଲା । ହେଲେ ଏହି ଶୀତ ସମସ୍ତଙ୍କ ପାଇଁ ସମାନ ନୁହେଁ । କାହା ପାଇଁ ଶୀତର ପହିଲି କିରଣ ଖୁସିର ସମ୍ଭାର ନେଇ ଆସିଥାଏ ତ କାହା ପାଇଁ ଦୁଃଖର ବୋଝ । ଗରିବଟିଏ ପାଇଁ କି ଅବା ଶୀତ କି ଅବା ବସନ୍ତ । ଶୀତକୁ ଖାତିର ନକରି ପେଟ ପାଟଣା ପାଇଁ ଥରଥର ଥଣ୍ଡାରେ ବାହାରକୁ ବାହାରିବାକୁ ପଡ଼େ ।

ତେବେ ଗତ କିଛି ଦିନ ହେଲା କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଏବେ ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ସେପଟେ ସକାଳ 10ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ ରହୁଛି । କୁହୁଡି ଯୋଗୁଁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ 10ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକ । ସେପଟେ ସଞ୍ଜ ନଇଁବା କ୍ଷଣି ଥଣ୍ଡା ମାଡି ଆସୁଛି । ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । ବୃଦ୍ଧ ଠାରୁ ପିଲା ସଭିଏଁ ଏବେ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି ।

ସେପଟେ ଜିଲ୍ଲାର ବାଲିଗୁଡା, ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ବ୍ରାହ୍ମଣୀ ଗାଁ, ଫିରିଙ୍ଗିଆ, ଲୁଇସିଙ୍ଗ, ବାଲନ୍ଦାପଡା, ଶାଢ଼ିଙ୍ଗୀଆ ଆଦି ଅଞ୍ଚଳରେ ମଧ୍ଯ ତାପମାତ୍ରା ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ଅନ୍ୟପଟେ ଥଣ୍ଡା ଦାଉରୁ ରକ୍ଷା ପାଇବାକୁ କିଏ ମର୍ଣ୍ଣିଂୱର୍କ କରୁଛି ତ କିଏ ଏକ୍ସରସାଇଜ଼ କରୁଥିବା ଦେଖିବାକୁ ମିଳୁଛି । ଏହାସହ କିଏ ଗରମାଗରମ ଚା ଓ କଫିର ମଜା ନେଇ ଶୀତୁଆ ଶକାଳୁ ସାଙ୍ଗ ସାଥୀଙ୍କ ସହ ଖଟି କରୁଛି । ସକାଳୁ ସକାଳୁ ଚା ଦୋକାନରେ ଭିଡ ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢ଼ନ୍ତୁ......ଖସୁଛି ପାରଦ ବଢୁଛି ଥଣ୍ଡା, 10 ଡିଗ୍ରୀ ତଳେ ରାଜ୍ୟର 7 ସହର

ଅନ୍ୟପକ୍ଷରେ ଏବେ ପର୍ଯ୍ୟଟନ ଋତୁ ହୋଇଥିବାରୁ କନ୍ଧମାଳର ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବଣଭୋଜିର ଆସର ସାଙ୍ଗଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ଏହି ଶୀତ ସମସ୍ତଙ୍କ ପାଇଁ ସମାନ ନୁହେଁ । ଜିଲ୍ଲାରେ ଥଣ୍ଡା ସାଙ୍ଗକୁ ଘନ କୁହୁଡି ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଶୀତକୁ ସାଥୀ କରିଛି ଗରିବ । ନା ଥଣ୍ଡା ନା ଜାଡ଼ କାହାକୁ ଖାତିର ନକରି ରୋଜଗାର ପାଇଁ ଥରିଥରି ବାହାରକୁ ବାହାରୁଛି ଗରିବ ଲୋକଟିଏ । ତେବେ ଜିଲ୍ଲାରେ ଥଣ୍ଡାର ପ୍ରକୋପ ଏତେ ବଢିଛି ଯେ, ଶୀତ ବସ୍ତ୍ର ବି କାମ ଦେଉନି । ଆଗକୁ ଆହୁରି ତାପମାତ୍ରା ଖସିବ ଥଣ୍ଡା ଆହୁରି ବଢ଼ିବ ତେଣୁ ସ୍ଥାନୀୟ ପ୍ରଶାସନ ଗରିବ ବୃଦ୍ଧା-ବୃଦ୍ଧଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ଅସହାୟ ଗରିବ ଲୋକ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.