ଗାଁକୁ ନାହିଁ ରାସ୍ତା, ଘଞ୍ଚ ଜଙ୍ଗଲ ମଧ୍ୟରେ ଜନ୍ମନେଲା ଶିଶୁକନ୍ୟା

author img

By

Published : May 14, 2022, 10:22 PM IST

ଗାଁକୁ ନାହିଁ ରାସ୍ତା, ଘଞ୍ଚ ଜଙ୍ଗଲ ମଧ୍ୟରେ ଶିଶୁକନ୍ୟାକୁ ଜନ୍ମଦେଲେ ଗର୍ଭବତୀ

କନ୍ଧମାଳ ଜିଲ୍ଲା ପସରା ପଞ୍ଚାୟତ ଉଡାନସିଂ ଗ୍ରାମକୁ ନାହିଁ ସୁଗମ ରାସ୍ତା । ଫଳରେ ଘଞ୍ଚ ଜଙ୍ଗଲ ମଧ୍ୟରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ଗର୍ଭବତୀ । ଅଧିକ ପଢନ୍ତୁ

ଫୁଲବାଣୀ: ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଫଳରେ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଗର୍ଭବତୀଙ୍କୁ ୧ କିଲୋମିଟର ଷ୍ଟ୍ରେଚରରେ ବୋହି ଆଣିବା ପରେ ଶେଷରେ ଅଧା ବାଟରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ଗର୍ଭବତୀ । ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ପସରା ପଞ୍ଚାୟତ ଉଡାନସିଂ ଗ୍ରାମରେ ଦେଖିବାକୁ ମିଳିଛି ।

ପସରା ପଞ୍ଚାୟତ ଉଡାନସିଂ ଗ୍ରାମର କୈଳାଶ କହଁରଙ୍କ ପତ୍ନୀ ସୁମତୀ ଆଜି ପ୍ରସବ ଯନ୍ତ୍ରଣା ପାଇଥିଲେ । ଆଶା ଦିଦି ସୁନୀତା ବେହେରା ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ପ୍ରମୋଦ ସାହୁ, ଡ୍ରାଇଭର୍ ଶିବରାମ ମଲିକ ଓ ଆଟେଣ୍ଡାଣ୍ଟ୍ ମିଥୁନ କହଁର ରୋଗୀଙ୍କୁ ଆଣିବା ପାଇଁ ବାହାରିଥିଲେ । ରାଇପଦା ନିକଟ ପିଟମାହାଠାରୁ ଆଉ ଆଗକୁ ଯିବା ପାଇଁ ରାସ୍ତା ନ ଥିବାରୁ ଗାଡ଼ି ସେଠାରେ ଅଟକି ଯାଇଥିଲା । ସେଠାରୁ ଷ୍ଟ୍ରେଚର ନେଇ ଗର୍ଭବତୀଙ୍କୁ ଆଣିବା ପାଇଁ ଆମ୍ବୁଲାନ୍ସ କର୍ମଚାରୀ ଚାଲି ଚାଲି ଯାଇଥିଲେ । ଇତି ମଧ୍ୟରେ ଗ୍ରାମବାସୀ ଗର୍ଭବତୀ ସୁମତିଙ୍କୁ ନେଇ ଘରୁ ବାହାରି ଆସିଥିଲେ ।

ଗାଁକୁ ନାହିଁ ରାସ୍ତା, ଘଞ୍ଚ ଜଙ୍ଗଲ ମଧ୍ୟରେ ଶିଶୁକନ୍ୟାକୁ ଜନ୍ମଦେଲେ ଗର୍ଭବତୀ

ବାଟରେ ଜଙ୍ଗଲ ଭିତରେ ସୁମତି ଆଶା ଦିଦିଙ୍କ ସହାୟତାରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଆମ୍ବୁଲାନ୍ସ କର୍ମଚାରୀ ସେହି ସ୍ଥାନରୁ ଷ୍ଟେଚର ଯୋଗେ ପ୍ରସୂତି ମହିଳା ଓ ନବଜାତକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପରେ ଗାଡ଼ିରେ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଉଭୟ ମାଆ ଓ ଶିଶୁକନ୍ୟାଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ ଥିବା କୁହାଯାଇଛି । ସୂଚନା ଥାଉ କି, ଜିଲ୍ଲାର ଶତାଧିକ ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନାହିଁ । ଗ୍ରାମବାସୀ ଯାତାୟାତରେ ବହୁ ଅସୁବିଧା ଭୋଗୁଛନ୍ତି ।

ବିଶେଷ କରି ଏହି ଦୁର୍ଗମ ଅଞ୍ଚଳ ମାନଙ୍କରେ କେହି ରୋଗରେ ପଡ଼ିଲେ ଗାଁରେ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ । ବାଧ୍ୟ ହୋଇ ଜରୁରୀ ସମୟରେ ରୋଗୀଙ୍କୁ ଦୋଳାରେ ବୋହିକି ନେବାକୁ ପଡ଼ିଥାଏ । କନ୍ଧମାଳ ଜିଲ୍ଲା ପାଇଁ ଏହା ନୂଆ ନୁହେଁ । ପିଟମାହା ଠାରୁ ଉଡ଼ାନସିଂ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତା ନାହିଁ । ବାଟରେ ପଡୁଥିବା ବୃତ୍ତଙ୍ଗ ନଦୀ ଉପରେ ପୋଲ ନ ଥିବାରୁ ଲୋକେ ଏହାକୁ ପାର ହେବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁ ପର୍ଯ୍ୟନ୍ତ ଥିବା ଏକ ମାଟି ରାସ୍ତା ପ୍ରାୟ ୨୦ ବର୍ଷ ତଳେ ନିର୍ମାଣ ହୋଇଥିଲା । ମରାମତି କରାଯାଇ ନ ଥିବାରୁ ଏହି ରାସ୍ତା ଆଉ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.