ETV Bharat / state

Phiringia police station Mishap: ଶାନ୍ତି ଫେରାଇ ଆଣିବାକୁ ଆମ ପୋଲିସର ଶାନ୍ତି କମିଟି ବୈଠକ

author img

By

Published : Aug 13, 2023, 10:40 PM IST

Updated : Aug 13, 2023, 10:55 PM IST

Etv Bharat
Etv Bharat

କନ୍ଧମାଳ ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ପରେ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଲାଗି ଶାନ୍ତି କମିଟି ବୈଠକ କଲା ଆମ ପୋଲିସ । ଅଧିକ ପଢନ୍ତୁ

Phiringia police station Mishap: ଶାନ୍ତି ଫେରାଇ ଆଣିବାକୁ ଆମ ପୋଲିସର ଶାନ୍ତି କମିଟି ବୈଠକ

ଫୁଲବାଣୀ: କନ୍ଧମାଳ ଫିରିଙ୍ଗିଆ ଥାନାରେ ଆଜି ଆମ ପୋଲିସର ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ପରେ ଶାନ୍ତି ଫେରାଇ ଆଣିବା ଲାଗି ଲୋକଙ୍କୁ ବୁଝାସୁଝା କରିଛନ୍ତି ପୋଲିସ ଅଧିକାରୀ । ବିନା ପ୍ରମାଣରେ କାହାକୁ ଗିରଫ କରାଯାଇ ନାହିଁ ବୋଲି କହିବା ସହ ଜନସାଧାରଣଙ୍କ ମତ ମଧ୍ୟ ଲୋଡ଼ିଥିଲେ । ଏହି ବୈଠକରେ ଗ୍ରାମର ଅନେକ ବୁଦ୍ଧିଜୀବୀ ଓ ସମିତି ସଭ୍ୟ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକ ଓ ଶାନ୍ତି କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କାମାଣ୍ଡାଣ୍ଟ ପ୍ରଦୀପ୍ତ କୁମାର ରାଉତ, ଅଷ୍ଟମ ଆଇଆରବି ସୁବେଦାର ଦାଶରଥି ସୁରେନ, ଏସଡିପିଓ ସୁପ୍ରଶନ ମଲିକ, ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁଙ୍କ ସହ ଫିରିଙ୍ଗିଆ ବ୍ଲକର ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ, ବଣିକ ସଙ୍ଘ ସଦସ୍ୟ ଓ ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ । ବୈଠକରେ ଅଧିକାରୀମାନେ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଏହା ବି ପଢନ୍ତୁ- ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଥାନା ଅଧିକାରୀ ନିଲମ୍ବିତ, ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା କୁଇ ସମାଜ

ଆଶ୍ବାସନାରେ କୌଣସି ନିରୀହ କିମ୍ବା ଘଟଣାରେ ସମ୍ପୃକ୍ତ ନଥିବା କୌଣସି ବ୍ୟକ୍ତିକୁ ଗିରଫ କରାଯିବ ନାହିଁ ବୋଲି କହିବା ସହ ଯଦି କାହାର ନା ଅଛି ପ୍ରମାଣ ନ ହେଲେ ଗିରଫ କିମ୍ବା ହଇରାଣ କରାଯିବ ନାହିଁ ବୋଲି କହିଥିଲେ । ପରେ ଜନସାଧାରଣଙ୍କ ମତ ଲୋଡ଼ିବା ପରେ ଜନ ସାଧାରଣ ନିଜ ମତ ରଖିଥିଲେ । ଶାନ୍ତି ଫେରାଇ ଆଣିବା ସହ କେହି ଭୟଭୀତ ନ ହୋଇ ଥାନା ଅଧିକାରୀଙ୍କ ନିର୍ଭୟରେ ଆଲୋଚନା କରିପାରିବେ ବୋଲି ଅଧିକାରୀମାନେ ବୈଠକରେ କହିଥିଲେ ।

ସୂଚନା ଥାଉ କି ଗତ ୩ ତାରିଖ ରାତିରେ ଜଣେ ଗଞ୍ଜେଇ ବେପାରୀ ଗଞ୍ଜେଇ କିଣିବା ପାଇଁ ବୁଢ଼ାକାମ୍ବା ଗାଁକୁ ଯାଇଥିଲା । ପୋଲିସ ଏକ ବୋଲେରୋରେ ସେଠାକୁ ଗଞ୍ଜେଇ ନେଇଥିଲା । ସେହି ସମୟରେ ସେହି ବୋଲେରୋକୁ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ଵରଞ୍ଜନ କହଁର ଏବଂ ଗ୍ରାମବାସୀ ଅଟକ ରଖି ଏହାର ଭିଡିଓ ଉତ୍ତୋଳନ କରିଥିଲେ । ପରେ ସେମାନେ ସେହି ଭିଡିଓକୁ କନ୍ଧମାଳ ଏସପିଙ୍କ ପାଖକୁ ପଠାଇ ଥାନା ଆଇଆଇସି ଏବଂ ତାଙ୍କର ସହଯୋଗୀଙ୍କ ବିରୋଧରେ ଗଞ୍ଜେଇ ଚୋରାଚାଲାଣ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । କିନ୍ତୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ବିଳମ୍ବ ହେବା ପରେ ଫିରିଙ୍ଗିଆ ଅଞ୍ଚଳବାସୀ ଥାନାରେ ଲଗାଇଥିଲେ ନିଆଁ ।

ଏହି ଘଟଣାରେ ରାଜ୍ୟ ପୋଲିସ ନିର୍ଦ୍ଦେଶକ ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ନାହାକଙ୍କୁ ନିଲମ୍ବିତ କରିଥିବା ବେଳେ ଏଯାବତ ଏହି ଘଟଣାରେ 19 ଜଣଙ୍କୁ ଗିରଫ କରାଯାଇଛି । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ ଯୋଗୁଁ ଥାନାର ପ୍ରାୟ 70ରୁ 80 ପ୍ରତିଶତ ପୋଡ଼ି ହୋଇ କ୍ଷତିଗ୍ରସ୍ତ ହୋଇଛି ।

ଇଟିଭି ଭାରତ, କନ୍ଧମାଳ

Last Updated :Aug 13, 2023, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.