ETV Bharat / state

ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଥାନା ଅଧିକାରୀ ନିଲମ୍ବିତ, ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା କୁଇ ସମାଜ

author img

By

Published : Aug 12, 2023, 9:31 AM IST

Updated : Aug 12, 2023, 10:00 AM IST

ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ ନିଲମ୍ବିତ କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ । ଅଧିକ ପଢନ୍ତୁ

Phiringia Police IIC Suspended
Phiringia Police IIC Suspended

Phiringia Police IIC Suspended

ଫୁଲବାଣୀ: ଫିରିଙ୍ଗିଆ ଥାନା ପୋଡ଼ି ଘଟଣା । ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ନିଲମ୍ବିତ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ । କର୍ତ୍ତବ୍ୟରେ ଅବହେଳା ସାଙ୍ଗକୁ ଥାନା ପୋଡ଼ି ବେଳେ ଥାନା ଛାଡ଼ି ଚାଲି ଯାଇଥିବା ଯୋଗୁଁ ଡିଜିପି ତାଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି ।

ତେବେ ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ପରେ ତାଙ୍କୁ କନ୍ଧମାଳ ଏସପି ଫୁଲବାଣୀ ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଥିଲେ ଏବଂ ଗତକାଲି ତାଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି । ନିଲମ୍ବିତ ଆଇଆଇସି ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ନେଇ ପୂର୍ବରୁ ଅଭିଯୋଗ ହେଇ ଆସୁଥିଲା । ସୂଚନା ଥାଉ କି, ଜଣେ ଗଞ୍ଜେଇ ବେପାରୀ ଗଞ୍ଜେଇ କିଣିବା ପାଇଁ ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁକୁ ଯାଇଥିଲା । ପୋଲିସ ଏକ ବୋଲେରୋରେ ସେଠାକୁ ଗଞ୍ଜେଇ ନେଇଥିଲା । ସେହି ସମୟରେ ସେହି ବୋଲେରୋକୁ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ଵରଞ୍ଜନ କହଁର ଏବଂ ଗ୍ରାମବାସୀ ଅଟକ ରଖି ଏହାର ଭିଡିଓ ଉତ୍ତୋଳନ କରିଥିଲେ । ପରେ ସେମାନେ ସେହି ଭିଡିଓକୁ କନ୍ଧମାଳ ଏସପିଙ୍କ ପାଖକୁ ପଠାଇ ଥାନା ଆଇଆଇସି ଏବଂ ତାଙ୍କର ସହଯୋଗୀଙ୍କ ବିରୋଧରେ ଗଞ୍ଜେଇ ଚୋରାଚାଲାଣ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହି ଘଟଣାରେ କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଆଜି ଫିରିଙ୍ଗିଆ ଅଞ୍ଚଳବାସୀ ରାସ୍ତା ଅବରୋଧ କରିବା ପରେ ଥାନାରେ ଲଗାଇଥିଲେ ନିଆଁ ।

ଥାନା ପୋଡି ଘଟଣାକୁ ନେଇ କୁଇ ସମାଜର ସାମ୍ବାଦିକ ସମ୍ମିଳନୀ: ସେହିପରି ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ନେଇ ଗତକାଲି(ଶୁକ୍ରବାର) ସମିତି କାର୍ଯ୍ୟାଳୟରେ କୁଇ ସମାଜ ସେବା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଥାନା ପୋଡ଼ିରେ ସମ୍ପୃକ୍ତ ନଥିବା ଲୋକଙ୍କୁ ପୋଲିସ ଗିରଫ କଲେ କିମ୍ବା ଅତ୍ୟାଚାର କରୁଛି । ତେଣୁ ଯେଉଁମାନେ ଘଟଣାରେ ସାମିଲ ଅଛନ୍ତି ସେମାନଙ୍କୁ ପୋଲିସ ଗିରଫ କରୁ ବୋଲି କୁଇ ସମାଜ ସେବା ସମିତି କର୍ମକର୍ତ୍ତା ଦାବି କରିଛନ୍ତି ।

ତେବେ ଥାନା ପୋଡି ଘଟଣାକୁ ଆମେ ନିନ୍ଦା କରୁଛୁ । ହେଲେ ଯେଉଁ ଭିଡିଓ ଭାଇରାଲ୍ ନେଇ ଏଭଳି କାଣ୍ଡ ଘଟିଲା ତାହା ଉପରେ ପୋଲିସର ବରିଷ୍ଠ ଅଧିକାରୀ କିଛି ପଦକ୍ଷେପ ନେଲେ ନାହିଁ । ସେହିପରି ପୋଲିସ ଗଞ୍ଜେଇ ଜବତ ନାଁରେ ଗ୍ରାମରେ ପଶି ଲୋକଙ୍କ ଘରୁ ସୁନା ଗହଣା ଲୁଟିଲା । ପୋଲିସର ଏତାଦୃଶ କାର୍ଯ୍ୟକୁ ନେଇ ଲୋକେ ସଂଗଠିତ ହେଲେ । ଯାହା ଫଳରେ ଏତେ ବଡ କାଣ୍ଡ ଘଟିଲା । ପ୍ରକୃତରେ ଏହି ଘଟଣାରେ ଯେଉଁମାନେ ସାମିଲ ଅଛନ୍ତି ପୋଲିସ ସେମାନଙ୍କୁ ଗିରଫ କରିବାରେ ଆମର କୌଣସି ଆପତ୍ତି ନାହିଁ । କିନ୍ତୁ ନୀରିହ ଲୋକଙ୍କୁ ପୋଲିସ ନିର୍ଯାତନା ଦେବା ବନ୍ଦ କରୁ ବୋଲି କହିଛନ୍ତି କୁଇ ସମାଜ ସେବା ସମିତି କର୍ମକର୍ତ୍ତା ।

ଏହା ମଧ୍ୟ ପଢନ୍ତୁ- ଫିରିଙ୍ଗିଆ ଥାନା ପୋଡି ଘଟଣା, ନିରୀହ ଲୋକଙ୍କୁ ପୋଲିସ ଗିରଫ କଲେ ଆନ୍ଦୋଳନ ହେବ: ବିଜେପି

ସେହିପରି ଫିରିଙ୍ଗିଆ ଥାନା ଦାୟିତ୍ୱରେ ଥିବା ଅଧିକାରୀ ତପନ୍ କୁମାର ନାହକଙ୍କ ଏତଲା ଅନୁଯାୟୀ ୮୫ ଜଣ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି । କିନ୍ତୁ ଆହୁରି ଅନ୍ୟାନ ୩୦୦ ଜଣ ଏଥିରେ ଉଲ୍ଲେଖ କରାଯାଇଛି । ଏହି ୩୦୦ ଜଣ କିଏ ବୋଲି କୁଇ ସମାଜ ପ୍ରଶ୍ନ ଉଠାଇଛି । ପୋଲିସ ଜାଣିଶୁଣି ଏଭଳି କରିଛି ବୋଲି ସେମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗିରଫ ବ୍ୟକ୍ତିଙ୍କୁ ପଶୁ ପରି ମାଡ ମରାଯିବା ମାନବିକ ଅଧିକାରର ଉଲ୍ଲଘଂନ ହେଉଛି । ତେଣୁ ସେମାନଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ନୀରିହ ଲୋକଙ୍କୁ ଗିରଫ ନ କରିବାକୁ ଦାବି କରିଛି କୁଇ ସମାଜ ।

ଏହା ହେଲେ ୧୫ ଦିନ ମଧ୍ୟରେ ଅଞ୍ଚଳରେ ଶାନ୍ତି ଫେରି ଆସିବ ବୋଲି କୁଇ ସମାଜ ସେବା ସମିତି ସଭାପତି ସୁଦର୍ଶନ କହଁର କହିଛନ୍ତି । ଏହା ନହେଲେ ଆଗାମୀ ଦିନରେ ସାମାଜ ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ମାନବାଧିକାରଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ ଦିଆଯାଇଛି । ତେବେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଇଂ ଅବନୀ କୁମାର କହଁର, କୋଷାଧ୍ୟକ୍ଷ ଭବିନ୍ଦ୍ର କହଁର ଓ ନାରୀ ସଭାନେତ୍ରୀ ସୌଦାମିନୀ କହଁର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କନ୍ଧମାଳ

Last Updated : Aug 12, 2023, 10:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.