ETV Bharat / state

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By

Published : Dec 28, 2022, 2:28 PM IST

Young man dead body rescued in forest
ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ

ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ଯୁବକ କରିନାହାଁନ୍ତି ଆତ୍ମହତ୍ୟା । ସ୍ବାମୀଙ୍କୁ କରାଯାଇଛି ଯୋଜନାବଦ୍ଧ ହତ୍ଯା । ଅଧିକ ପଢ଼ନ୍ତୁ

ଭବାନୀପାଟଣା : ଜଙ୍ଗଲ ମଧ୍ୟରେ ଥିବା ପଥର ଉପରେ ପଡିଛି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ। ଯୁବକଙ୍କ ମୃତଦେହକୁ ଦେଖି ଏହା ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବାଙ୍କାକୁଣ୍ଡରୁ ଗାଁର ପିନା ସାହୁ ଗତ ରବିବାର ଦିନ ସନ୍ଧ୍ୟାରେ କୌଣସି କାମରେ ନିଜ ବାଇକ ନେଇ ଘରୁ ବାହାରି ଥିଲେ ।

ହେଲେ ପିନା ଆଉ ଘରକୁ ଫେରିନଥିଲେ । ପିନାଙ୍କର ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ । କିନ୍ତୁ ପିନା ସାହୁଙ୍କ କୌଣସି ଖୋଜ ଖବର ପାଇନଥିଲେ ପରିବାରଲୋକେ । ଏନେଇ ପିନାଙ୍କ ପରିବାର ସ୍ଥାନୀୟ ସରପଞ୍ଚ ମମତା ମାଝୀଙ୍କୁ ଜଣାଇଥିଲେ ।

ପରଦିନ ଅର୍ଥାତ ସୋମବାର ଦିନ ସନ୍ଧ୍ୟାରେ କନକସର୍ପା ଗାଁ ଜଙ୍ଗଲରେ ପିନା ସାହୁଙ୍କ ବାଇକକୁ ଦେଖି ଗ୍ରାମବାସୀ ତାଙ୍କ ପରିବାରକୁ ଖବର ଦେଇଥିଲେ । ଖବରପାଇ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। କନକସର୍ପା ଗାଁ ଜଙ୍ଗଲରେ ଯୁବକ ପିନାଙ୍କ କ୍ଷତବିକ୍ଷତ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ।

ଖବରପାଇ ବିଜେପୁର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହାପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିବାପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା ପୋଲିସ ।

ଏହି ଘଟଣାକୁ ନେଇ ପିନା ସାହୁଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ନେଇ ପିନା ସାହୁଙ୍କ ସ୍ତ୍ରୀ ରେବତୀ ସାହୁ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରିଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ପିନାଙ୍କ ସମ୍ପର୍କୀୟଙ୍କୁ ପଚରାଉପଚରା କରିବ । ଏହାସହ ପନାଙ୍କର କାହା ସହ ଶତୃତା ଥିଲା କି ଓ କିଏ ପିନାଙ୍କର ଶତୃ ତାହାର ମଧ୍ୟ ତଦନ୍ତ କରିବ ପୋଲିସ । ଖୁବଶୀଘ୍ର ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତକଙ୍କ ପରିବାର ଲୋକେ ଗୁହାରି କରିଛନ୍ତି । ଅନ୍ୟପକ୍ଷରେ ପିନାଙ୍କ ମୃତ୍ୟୁପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । କିଏ ଓ କାହିଁକି ଏ ହତ୍ୟାକାଣ୍ଡ ଘଟାଇଲା ତାହାର କାରଣ ଖୋଜୁଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.