ETV Bharat / state

ବାଇକକୁ ଧକ୍କା ଦେଲା ହାଇୱା, ଶିଶୁ ମୃତ ବାପା ଓ ମାଆ ଗୁରୁତର

author img

By

Published : Jul 3, 2023, 9:35 PM IST

severe road accident in kalahandi
କଳାହାଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ପଛପଟୁ ହାଇୱା ଧକ୍କା ଦେବା ଯୋଗୁଁ ୧୦ ମାସର ଶିଶୁ ମୃତ ବାପା ଓ ମାଆ ଗୁରୁତର । ଅଧିକ ପଢ଼ନ୍ତୁ

ବାଇକକୁ ଧକ୍କା ଦେଲା ହାଇୱା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମିର୍ଜାପୁର ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବାଇକକୁ ପଛପଟୁ ଧକ୍କା ଦେଲା ହାଇୱା । ଦୁର୍ଘଟଣାରେ ୧୦ ମାସ ଶିଶୁର ମୃତ୍ୟୁ ହୋଇଥିବା ବେଳେ ବାପା, ମାଆ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ସୋନପୁର ଜିଲ୍ଲା ବିନିକା ଅଞ୍ଚଳର ସୋହେବ ଶବର ସନ୍ଧ୍ୟାରେ ବାଇକ ଯୋଗେ ଧର୍ମଗଡ଼ ଦେଇ ବେହେରା ଗାଁକୁ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ସାଙ୍ଗରେ ସ୍ତ୍ରୀ ଓ ୧୦ ମାସର ଶିଶୁ ପୁତ୍ର ମଧ୍ୟ ଥିଲେ । ଏହି ସମୟରେ ଧର୍ମଗଡ଼ ଥାନା ଅନ୍ତର୍ଗତ ମିର୍ଜାପୁର ଛକ ନିକଟରେ ପଛପଟୁ ଆସୁଥିବା ଏକ ହାଇୱା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତିନି ଜଣ ବାଇକରୁ ଛିଟିକି ପଡ଼ିଥିଲେ । ଫଳରେଘଟଣା ସ୍ଥଳରେ ହିଁ ୧୦ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ମାଆ ଓ ବାପା ଗୁରୁତର ଆହତ ହୋଇଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ପର୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁଇ ଜଣଙ୍କୁ ଧର୍ମଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରା ଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇୱା ଗାଡିକୁ ଜବତ କରିବା ସହ ସମ୍ପୃକ୍ତ ଚାଳକକୁ ଅଟକ ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ: ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯିବାରୁ 6 ମୃତ, 3ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ପ୍ରକାଶ ଥାଉକି, ନିକଟରେ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ଧୁଲୁଘାଟିରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଢୁଲୁଘାଟି ତଳକୁ ଏକ ପଣସ ବୋଝେଇ ପିକ୍‌ଅପ ଭ୍ୟାନ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ । ନବରଙ୍ଗପୁର ଜିଲ୍ଲା ପାତ୍ରପୁଟ ପଞ୍ଚାୟତର ପ୍ରାୟ ୧୫ ଜଣ ପଣସ ବ୍ୟବସାୟୀ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳକୁ ପଣସ ବିକ୍ରି କରିବା ପାଇଁ ଏକ ପିକ୍‌ଅପ ଭ୍ୟାନ ଯୋଗେ ଆସୁଥିଲେ । ରାତିରେ ଢୁଲୁଘାଟି ଅଞ୍ଚଳରେ ଭୀଷଣ ବର୍ଷା ହେବା କାରଣରୁ ରାସ୍ତା ସାରା କାଦୁଅ ହୋଇଥିଲା । ଫଳରେ ପିକ୍‌ଅପ ଭ୍ୟାନଟି ଭାରସାମ୍ୟ ହରାଇ ପ୍ରଥମେ ଏକ ଗଛରେ ପିଟି ହୋଇଯାଇଥିଲା । ଏହାପରେ ୪୦ ଫୁଟ ଘାଟି ତଳକୁ ଭ୍ୟାନ୍‌ଟି ଓଲଟି ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେପଟେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.