ETV Bharat / state

ଠିକା ନିଯୁକ୍ତି ଉଚ୍ଛେଦ ବ୍ୟବସ୍ଥା: ପ୍ରାଥମିକ ଶିକ୍ଷକଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ

author img

By

Published : Oct 19, 2022, 1:06 PM IST

primary teacher union Press Meet over contractual requirement system
ଠିକା ନିଯୁକ୍ତି ଉଚ୍ଛେଦ ବ୍ୟବସ୍ଥା: ପ୍ରାଥମିକ ଶିକ୍ଷକଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ

ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଜାରି ହୋଇଥିବା ବିଜ୍ଞପ୍ତି ତାଲିକାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ କରିଛନ୍ତି ।

ଭବାନୀପାଟଣା: ଚୁକ୍ତିଭିତ୍ତିକ ଠିକା କର୍ମଚାରୀଙ୍କ ଟ୍ୟାଗ ହଟିଯାଇଛି । ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ହେଲେ ଏହି ତାଲିକାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବାଦ ଦିଆଯାଇଛି । ଯାହାକୁ ନେଇ ପ୍ରାଥମିକ ଶିକ୍ଷକ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଠିକା ନିଯୁକ୍ତି ଉଚ୍ଛେଦ ବ୍ୟବସ୍ଥା

ସରକାରଙ୍କ ଏହି ନିୟମକୁ ତୀବ୍ର ବିରୋଧ କରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏନେଇ କଳାହାଣ୍ଡି ଜିଲ୍ଲା ସଙ୍ଘ ବିଶ୍ୱଜିତ ବେହେରା କହିଛନ୍ତି, " ଗତ ୨୦୦୧ ମସିହାରେ ରାଜ୍ୟ ସରକାର ଆର୍ଥିକ ସ୍ଥିତି ଦୁର୍ବଳ ଅଛି ବୋଲି ୧୫୦୦ ଟଙ୍କାରେ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ ପଦରେ ଶିକ୍ଷିତ ଓ ତାଲିମ ପ୍ରାପ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି କରିଥିଲେ । ସେମାନଙ୍କୁ ପ୍ରଥମେ ୭ ବର୍ଷ ଓ ପରେ ୬ ବର୍ଷ ପରେ ନିୟମିତ କରିଥିଲେ । ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବର୍ତ୍ତମାନ ପ୍ରକାଶ ହୋଇଥିବା ବିଜ୍ଞପ୍ତିରେ ବାଦ ଦିଆଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, ଉଚ୍ଚ ବିଦ୍ୟାଳୟ ଓ ଅନ୍ୟ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଯିବା ସହ ୬ ବର୍ଷର ଇଂକ୍ରିମେଣ୍ଟ ଦେବାପାଇଁ ନିଷ୍ପତ୍ତି ନିଆଯାଇ ଥିବା ନେଇ ସୂଚନା ଦିଆଯାଇଥିଲା । ଯଦି ରାଜ୍ୟ ସରକାର ବାଦ ପଡିଥିବା ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ ଘୋଷଣା କରିବା ସହିତ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ନ କଲେ ଆଗାମୀ ଦିନରେ ପ୍ରାଥମିକ ଶିକ୍ଷକ ସଙ୍ଘ (ଏନପିଏସ) ସମଗ୍ର ରାଜ୍ୟରେ ଆନ୍ଦୋଳନ କରିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟରୁ ଉଚ୍ଛେଦ ହେଲା ଠିକା ନିଯୁକ୍ତି ବ୍ୟବସ୍ଥା, ନିୟମିତ ହେବେ ୫୭ ହଜାର କର୍ମଚାରୀ

ସୂଚନା ଥାଉକି, ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ । ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ରାଜ୍ୟରୁ ଗ୍ରୁପ୍‌-ବି, ସି ଓ ଡି ଠିକା ନିଯୁକ୍ତି ଉଚ୍ଛେଦ ହେଲା ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ୨୦୧୩ ଅଧିନିୟମ ଅନୁଯାୟୀ ନିଯୁକ୍ତ କର୍ମଚାରୀମାନେ ସ୍ଥାୟୀ ହୋଇଛନ୍ତି । ଚୁକ୍ତି ଭିତ୍ତିକ କର୍ମଚାରୀ ନିଯୁକ୍ତି ନେଇ ସରକାର ୨୦୧୩ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଚୁକ୍ତି ଭିତ୍ତିକ କର୍ମଚାରୀ ନିଯୁକ୍ତି ନିୟମ ସମ୍ପର୍କରେ ୨୦୧୪ ଜାନୁଆରୀରେ ଗେଜେଟ ନୋଟିଫିକେସନ ବାହାରିଥିଲା । ଗ୍ରୁପ ସି, ଗ୍ରୁପ ଡି ଏବଂ ଗ୍ରୁପ୍ ବି କ୍ଷେତ୍ରରେ ଏହି ଠିକା କର୍ମଚାରୀ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ନେଇ କର୍ମଚାରୀ ମହଲରେ ଖୁସିର ମାହୋଲ ଖେଳିଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.