ରାଜ୍ୟରୁ ଉଚ୍ଛେଦ ହେଲା ଠିକା ନିଯୁକ୍ତି ବ୍ୟବସ୍ଥା, ନିୟମିତ ହେବେ ୫୭ ହଜାର କର୍ମଚାରୀ

author img

By

Published : Oct 15, 2022, 7:37 PM IST

Etv Bharat

ଓଡିଶାରୁ ଉଚ୍ଛେଦ ହେଲା ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ବ୍ୟବସ୍ଥା । ଏଥି ସହିତ ୫୭ ହଜାରରୁ ଅଧିକ ଠିକା କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଭାବେ ନିୟମିତ ହେବେ ( All contractual employees will be regularized) । ଏନେଇ ଆଜି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନେଇଛି । ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡିଶାରୁ ଉଚ୍ଛେଦ ହେଲା ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ବ୍ୟବସ୍ଥା । ଏଥି ସହିତ ୫୭ ହଜାରରୁ ଅଧିକ ଠିକା କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଭାବେ ନିୟମିତ ହେବେ ( All contractual employees will be regularized) । ଏନେଇ ଆଜି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନେଇଛି । ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ।

କ୍ୟାବିନେଟ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି । ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା । ନିତି ଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା । ରାଜକୋଷ ଖାଲି ଥିଲା । ଅର୍ଥନୀତି ଉପରେ ବହୁତ ଚାପ ଥିଲା । ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ । ବନ୍ୟା, ବାତ୍ୟା ଓ ମରୁଡି ଲାଗି ରହିଥିଲା । ଗରିବୀ ବହୁ ଅଧିକ ଥିଲା । ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ସବୁଠାରୁ ବଡ ପ୍ରାଥମିକତା ଥିଲା ।

ସେତେବେଳେ ନିଯୁକ୍ତି ପୁରାପୁରି ବନ୍ଦ ଥିଲା । ପୋଷ୍ଟ ସବୁ ଉଚ୍ଛେଦ କରିବାକୁ ପଡୁଥିଲା । ଏହା ମୋ ପାଇଁ ବହୁତ କଷ୍ଟକର ଥିଲା । ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନ ପାଇ ହଇରାଣ ହେଉଥିଲେ । ଏହା ମୋତେ ବହୁତ ଦୁଃଖ ଦେଉଥିଲା । ପ୍ରତିଦିନ ମୋ ମନରେ ଚିନ୍ତା ଥିଲା । କେବେ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ ରେଗୁଲାର ନିଯୁକ୍ତି ପାଇବେ ବୋଲି ମୋର ଚିନ୍ତା ଥିଲା । ରାଜ୍ୟବାସୀଙ୍କର ସହଯୋଗ ଓ ମହାପ୍ରଭୁଙ୍କ ଆଶୀର୍ବାଦ ହିଁ ଆମର ସବୁଠାରୁ ବଡ ଶକ୍ତି । ଉତ୍ତମ ଆର୍ଥିକ ପରିଚାଳନା ଓ ସୁଶାସନ ଜରିଆରେ ହିଁ ଧିରେ ଧିରେ ପରିସ୍ଥିତିରେ ଉନ୍ନତି ଆସିଲା । ୨୦୧୩ ରୁ ଆମେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ । ଏହା ମଧ୍ୟ ମୋ ପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା । ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି । ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି । ଗତବର୍ଷ ଆମେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତିକୁ ପରିବର୍ତ୍ତନ କରି ଇନିସିଆଲ ଆପଏଣ୍ଟ କରିଥିଲୁ ।

ଆଜି ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବ୍ୟସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି । ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଛି । ଓଡିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା । ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ । ବହୁ ଦିନ ଧରି ଏ ସୁଦିନକୁ ମୁଁ ଅପେକ୍ଷା କରିଥିଲି । ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ । ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ସେମାନଙ୍କ ପରିବାର ପାଇଁ ଏହା ଆଗୁଆ ଦୀପାବଳି ଆଣିଛି । ଓଡିଶା ଆତ୍ମବିଶ୍ବାସର ସହ ଆଗକୁ ବଢୁଛି । ସଶକ୍ତ ହେଉଛି । ଓଡିଶା ଇତିହାସର ଏହା ଏକ ସୁବର୍ଣ୍ଣ ମୂହୁର୍ତ୍ତ । ସରକାରୀ କର୍ମଚାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସମସ୍ତେ ଭଲ କାମ କରନ୍ତୁ । ନିଷ୍ଠାର ସହ ଲୋକଙ୍କ ସେବା କରନ୍ତୁ । ଦାୟିତ୍ବ ପାଳନ କରିବାବେଳେ, ୫-ଟି ଉପକ୍ରମ – ଟିମ ୱାର୍କ, ଟେକନୋଲୋଜି, ଟ୍ରାନସପ୍ୟାରେନସି ଓ ଟ୍ରାନସଫରମେସନକୁ ଅନୁସରଣ କରନ୍ତୁ । ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜଳ କରନ୍ତୁ । ଓଡିଶାର ରୂପାନ୍ତରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.