ETV Bharat / state

ବିଜୟା ଦଶମୀରେ ମା‘ ମାଣିକେଶ୍ବରୀଙ୍କ ପୀଠରେ ଧୁମଧାମରେ ପାଳନ ହେଲା ଲାଖମରା ପର୍ବ

author img

By ETV Bharat Odisha Team

Published : Oct 25, 2023, 7:54 AM IST

ବିଜୟା ଦଶମୀରେ ଅଧିଷ୍ଠାତ୍ରୀ ଦେବୀ ମା'ମାଣିକେଶ୍ବରୀଙ୍କ ଲାଖମରା ପର୍ବ
ବିଜୟା ଦଶମୀରେ ଅଧିଷ୍ଠାତ୍ରୀ ଦେବୀ ମା'ମାଣିକେଶ୍ବରୀଙ୍କ ଲାଖମରା ପର୍ବ

ବିଜୟା ଦଶମୀରେ ଅଧିଷ୍ଠାତ୍ରୀ ଦେବୀ ମା'ମାଣିକେଶ୍ବରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ ହୋଇଥାଏ । ଏହି ପର୍ବର ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି । ଅଧିକ ପଢନ୍ତୁ

ବିଜୟା ଦଶମୀରେ ଅଧିଷ୍ଠାତ୍ରୀ ଦେବୀ ମା'ମାଣିକେଶ୍ବରୀଙ୍କ ଲାଖମରା ପର୍ବ

ଭବାନୀପଟଣା: ପବିତ୍ର ବିଜୟା ଦଶମୀ । ଆଜି ମା’ଙ୍କ ଷୋଡଶ ପୂଜାର ଅନ୍ତିମ ଦିବସ । ବିଜୟା ଦଶମୀ ପରେ ମା’ଙ୍କ କାଲି ଭସାଣି ଯାତ୍ରା । ଆଜି ମା’ଙ୍କୁ ଶେଷ ଦର୍ଶନ କରିବା ପାଇଁ ଗାଁ ଠୁ ସହର ସୁବୁଠି ଭିଡ ଦେଖିବାକୁ ମିଳିଥିଲା । ତେବେ ବିଜୟା ଦଶମୀରେ ଅଧିଷ୍ଠାତ୍ରୀ ଦେବୀ ମା'ମାଣିକେଶ୍ବରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ ହୋଇଥାଏ । ଏହି ପର୍ବ ମାଧ୍ୟମରେ ଏକ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତା ହୋଇଥାଏ । କହିବାକୁ ଗଲେ ଲାଖମରା ପର୍ବ ଏକ ବିଜୟ ଯାତ୍ରା ବା ରାଜ୍ୟ ଜୟର ପ୍ରତୀକ ।

ବିଜୟା ଦଶମୀ ତିଥୀରେ ମା' ମାଣିକେଶ୍ବରୀଙ୍କ ଲାଖବିନ୍ଧା ବା ଲାଖମରା ପର୍ବ ଅନୁଷ୍ଠିତ ହୋଇଥାଏ । ଅପରାହ୍ନରେ ଛତ୍ର ବାହକ ମାଣିକେଶ୍ବରୀଙ୍କ ବିଜୟ ପ୍ରତିମା ଛତ୍ରକୁ ଧରି ବାହୁକ, ମୁଣ୍ଡଛିନା, ସେବାୟତ ସହ ଜେନାବାଦ୍ୟ, ଘୁମୁରା ଓ ଘଣ୍ଟ ଘଣ୍ଟାର ତାଳେ ତାଳେ ମନ୍ଦିରରୁ ବାହାରି ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠରେ ଥିବା ଲାଖମରା ପଡ଼ିଆକୁ ଯାଇଥାଆନ୍ତି । ଲାଖମରା ପଡ଼ିଆରେ ଥିବା ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଛତ୍ରକୁ ସ୍ଥାପନ କରାଯିବା ସହ ବିଧି ବିଧାନ ପୂର୍ବକ ପୂଜାର୍ଚ୍ଚନା ଓ ଛାଗଳ ବଳି ଦିଆଯାଏ । ପରମ୍ପରା ଅନୁଯାୟୀ କଳାହାଣ୍ଡି ରାଜା ପରିବାର ସଦସ୍ୟ ଛତ୍ରକୁ ବନ୍ଦାପନା କରିବା ପରେ ଆରମ୍ଭ ହୋଇଥାଏ ଲାଖମରା ପର୍ବ ।

ଏହା ମଧ୍ୟ ପଢନ୍ତୁ...ଶରଦୀୟ ଦୁର୍ଗା ପୂଜାର ଶେଷ ଦିନ, ମା’ଙ୍କୁ ଦର୍ଶନ କରି ଭାବବିହ୍ବଳ ଶ୍ରଦ୍ଧାଳୁ

ଏକ ସୁଉଚ୍ଚ ଖମ୍ବରେ ବନ୍ଧା ଯାଇଥିବା ମାଟି ହାଣ୍ଡିରେ ନିର୍ମିତ ଦେବୀଙ୍କ ଲାଖକୁ ଲକ୍ଷ୍ୟଭେଦ ପାଇଁ ଆରମ୍ଭ ହୋଇଥାଏ ପ୍ରତିଯୋଗିତା । ମାଟି ହାଣ୍ଡିରେ ମାଣିକେଶ୍ବରୀଙ୍କ ପ୍ରସାଦ ଥାଏ । ଏହି ପ୍ରତିଯୋଗିତାରେ ଅନେକ ଯୁବକ ସାମିଲ ହୋଇଥାନ୍ତି । ପରେ ଛତ୍ର ଜେନା ବାଦ୍ୟ ତାଳେ ତାଳେ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ । ରୀତିନୀତି ଅନୁଯାୟୀ ରାଜ ପରିବାର ସଦସ୍ୟଙ୍କୁ ଅଭିଷିକ୍ତ ବ୍ରାହ୍ମଣ ମାନେ ଅପରାଜିତା ମନ୍ତ୍ରରେ ରାଜ୍ୟାଭିଷେକ କରାଇଥାନ୍ତି । ପରେପରେ ମୂଳାଷ୍ଟମୀ ଠାରୁ ମାଣିକେଶ୍ବରୀଙ୍କୁ ମୁଣ୍ଡବସା ପୂର୍ବରୁ ଆରମ୍ଭ ହୋଇଥିବା ଦଶହରା ପର୍ବରେ ରକ୍ତମୁଖା ହୋଇଥିବା ଦେବୀଙ୍କୁ ଶାନ୍ତ କରାଇବା ପାଇଁ ମନ୍ଦିର ଦ୍ବାରରେ କଣ୍ଟାବାଡ଼ ଦିଆଯାଇଥାଏ । ଆସନ୍ତା କୁମାର ପୂର୍ଣ୍ଣମୀରେ ଦେବୀଙ୍କ କଣ୍ଟାବାଡ଼ ଫିଟା ଅନୁଷ୍ଠିତ ହେବ । ଲାଖମରା ପର୍ବକୁ ନେଇ ଶ୍ରଦ୍ଧାଳୁ ଓ ପ୍ରତିଯୋଗୀଙ୍କ ମଧ୍ୟରେ ବେଶ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିଲା । ଚଳିତ ବର୍ଷ ଏହି ଲାଖକୁ ବିନ୍ଧିବା ପାଇଁ କଳାହାଣ୍ଡି ରାଜ ପରିବାରର ରାଜକୁମାର ଫତେ କେଶରୀ ଦେଓ ଏହି ଲକ୍ଷ୍ୟ ଭେଦ କରିଥିଲେ ।

ଇଟିଭି ଭାରତ, କଳାହାଣ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.