ETV Bharat / state

ପିକଅପ ଭ୍ୟାନର ସିକ୍ରେଟ ଚାମ୍ବରରେ ଚାଲିଥିଲା ଗଞ୍ଜେଇ ଚାଲାଣ, କଳାହାଣ୍ଡିରେ ମାଡି ବସିଲା ପୋଲିସ

author img

By

Published : Aug 11, 2023, 10:04 AM IST

huge quantities of cannabis seized
huge quantities of cannabis seized

କଳାହାଣ୍ଡି ବଲାଙ୍ଗୀର ଜିଲ୍ଲା ସୀମାନ୍ତ ଦେଇ କରାଯାଉଥିଲା ଗଞ୍ଜେଇ ଚାଲାଣ । ପିକଅପ ଭ୍ୟାନ ତଳୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଅଧିକ ପଢନ୍ତୁ

huge quantities of cannabis seized

ଭବାନୀପାଟଣା: କଳାହାଣ୍ଡିରେ ମାତିଛନ୍ତି ଗଞ୍ଜେଇ ମାଫିଆ । ଭିନ୍ନ ଭିନ୍ନ ତରିକାରେ କରୁଛନ୍ତି ଗଞ୍ଜେଇ ଚୋରାଚାଲାଣ । ପିକଅପ ଭ୍ୟାନର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ରଖି ଚୋରାଚାଲାଣ ଚାଲିଥିବା ବେଳେ ମାଡିବସିଲା ପୋଲିସ । କୋଟିଏ ଟଙ୍କାର ଗଞ୍ଜେଇ ଜବତ ସହ 2 ଜଣଙ୍କୁ ଗିରଫ କରାଯାଇଛି । କଳାହାଣ୍ଡି ବଲାଙ୍ଗୀର ଜିଲ୍ଲା ସୀମାନ୍ତ ଅମାଠ ଛକ ନିକଟରେ ପୋଲିସ ପିକଅପ ଭ୍ୟାନଟିକୁ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଜବତ ହୋଇଥିଲା । ଗିରଫ ଦୁଇ ଜଣ ଉତ୍ତରପ୍ରଦେଶର ହୋଇଥିବା ସୂଚନା ମିଳିଛି ।

ଗୁରୁବାର ଦିନ ରାୟଗଡ଼ାରୁ ଏକ ପିକଅପ ଭ୍ୟାନ ଗଞ୍ଜେଇ ଚୋରାଚାଲାଣ ପାଇଁ କଳାହାଣ୍ଡି ଆସୁଥିବା ଏକ ବିଶେଷ ସୁତ୍ରରୁ କେସିଙ୍ଗା ପୋଲିସ ଖବର ପାଇଥିଲା । ପରେ ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ଯୋଜନା ମୁତାବକ ଗଞ୍ଜେଇ ପିକଅପ ଭ୍ୟାନରେ ଆସୁଥିବା ବେଳେ କଳାହାଣ୍ଡି ବଲାଙ୍ଗୀର ଜିଲ୍ଲା ସୀମାନ୍ତ ଅମାଠ ଛକ ନିକଟରେ ପୋଲିସ ଚଢାଉ କରିଥିଲା । ଯାଞ୍ଚ ସମୟରେ ପିକଅପ ଭ୍ୟାନର ତଳ ପଟୁ ପ୍ରାୟ 2 କ୍ଵିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ 1 କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ପୋଲିସ୍ ପିକଅପ ଡ୍ରାଇଭର ସମେତ ଅନ୍ୟ ଜଣେ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ଅଭିଯୁକ୍ତ ମାନେ ଉତ୍ତର ପ୍ରଦେଶର ଅଞ୍ଚଳର ବୋଲି ଜଣାପଡିଛି ।

ଏହା ମଧ୍ୟ ପଢିଛି-ଗଞ୍ଜେଇ ଚାଲାଣ ପାଇଁ ଉତ୍ତରପ୍ରଦେଶରୁ ଓଡଶା ଆସିଥିଲେ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ହେବାରେ ଲାଗିଛି । କେତେବେଳେ ଜଙ୍ଗଲୀ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥ ୨୬ ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଛି । ଅନେକ ସମୟରେ ଚଢାଉ କରାଯାଇ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ମାଫିଆଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ଗଞ୍ଜେଇ ଚାଲାଣରେ ରୋକ ଲାଗୁନାହିଁ । ନୂଆ ନୂଆ ତରିକା ଓ ପନ୍ଥା ଆପଣାଇ ପୋଲିସ ଆଖିରେ ଧୂଳି ଦେଇ ବେଧଡକ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ଗତ ତିନି ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ପୋଲିସ ବ୍ୟାପକ ମାତ୍ରାରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଛି ।

ବିଶେଷ କରି ଜିଲ୍ଲା ଦେଇ ଯାଇଥିବା ଏନଏଚ ୨୬ ମାଫିଆଙ୍କ ପାଇଁ ଏକ ସୁରକ୍ଷିତ କରିଡର ପାଲଟିଛି । ଗତ ୨ ବର୍ଷ ମଧ୍ୟରେ ଗଞ୍ଜେଇ ଚୋରାଚାଲାଣ ନେଇ ୫୦ଟି ମାମଲା ରୁଜୁ ହୋଇଥିବା ବେଳେ ୬୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି । ଚଳିତ ବର୍ଷ ମେ ମାସ ସୁଦ୍ଧା ଗଞ୍ଜେଇ ଚୋରାଚାଲାଣରେ ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ୧୫୦୦ କେଜି ଗଞ୍ଜେଇ ଜବତ ହୋଇଛି । ଏହି ମାମଲାରେ ୨୭ ଜଣଙ୍କୁ ପୋଲିସ ଗିରଫ କରିବା ସହ ଅନେକ ଗୁଡ଼ିଏ ଗାଡି ମଧ୍ୟ ଜବତ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.