ETV Bharat / state

କଳାହାଣ୍ଡିରେ ଜାଲ୍ ନୋଟ ରାକେଟ ପର୍ଦ୍ଦାଫାସ, ୩ ଗିରଫ

author img

By ETV Bharat Odisha Team

Published : Nov 21, 2023, 10:28 AM IST

କଳାହାଣ୍ଡିରେ ଜାଲ ନୋଟ ରାକେଟ ପର୍ଦ୍ଦାଫାସ, ୩ ଗିରଫ
କଳାହାଣ୍ଡିରେ ଜାଲ ନୋଟ ରାକେଟ ପର୍ଦ୍ଦାଫାସ, ୩ ଗିରଫ

କଳାହାଣ୍ଡିରେ ଜାଲ ନୋଟ ରାକେଟ ଠାବ । ୩ ଅଭିଯୁକ୍ତଙ୍କୁ ଗିରଫ କଲା କେଗାଁ ଥାନା ପୋଲିସ । ସେମାନଙ୍କ ପାଖରୁ ଜାଲ ନୋଟରେ ବ୍ୟବହୃକ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡିରେ ଜାଲ୍ ନୋଟ ରାକେଟର ପର୍ଦ୍ଦାଫାସ କରିଛି କେଗାଁ ଥାନା ପୋଲିସ । ଜାଲ ନୋଟ କାରବାର ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ନକଲି ନୋଟ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏହି ନକଲି ନୋଟ କାରବାରରେ ଅନ୍ୟ କେଉଁମାନେ ସାମିଲ ରହିଛନ୍ତି ସେନେଇ ଅଧିକ ତଦନ୍ତ କରାଯାଉଛି ।

ସୂଚନାଯୋଗ୍ୟ, ବୋର୍ଡ ଫାଣ୍ଡି ଅଞ୍ଚଳରେ ଥିବା ବୋର୍ଡ ବଜାରରେ ୩ ଜଣ ବ୍ୟକ୍ତି ନକଲି ନୋଟ ଦେଇ ଜିନିଷ କିଣୁଥିବାର ଖବର ପାଇ ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଚଢାଉ କରିଥିଲେ । ଏହାପରେ ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତମାନେ ହେଲେ ବୋର୍ଡା ଗ୍ରାମର କାହ୍ନା ମହାପାତ୍ର, ରଜନାପୁର ଗ୍ରାମର ମଣ୍ଟୁ ଚନ୍ଦନ ଓ କୁସୁମସିଲା ଗ୍ରାମର ସନ୍ତୋଷ ଭୋଇ ବୋଲି ପୋଲିସ ସୂଚନା ଦେଇଛି ।

ଅଭିଯୁକ୍ତମାନେ ସନ୍ତୋଷ ଭୋଇ ଘରେ ଏକ ପ୍ରିଣ୍ଟର ରଖି ନକଲି ନୋଟ ପ୍ରିଣ୍ଟ କରୁଥିଲେ । ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଭୋଇ ନିକଟରେ ଭବାନୀପାଟଣାରୁ ଏକ ଜେରକ୍ସ ମେସିନ କିଣିଥିଲା । ଏହାପରେ ପ୍ରଥମେ ୫୦୦ ଟଙ୍କିଆ ନୋଟ ତିଆରି କରିଥିଲା କିନ୍ତୁ ଠିକ ଭାବେ ପ୍ରିଣ୍ଟ ହୋଇନଥିଲା । ପରେ ୨୦୦ ଟଙ୍କିଆ ନକଲି ନୋଟ ପ୍ରିଣ୍ଟ କରି ସଫଳ ହୋଇଥିବା ପୋଲିସ ସୂଚନା ଦେଇଛି ।

ପୋଲିସ ଅଭିଯୁକ୍ତଙ୍କୁ କେଗାଁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲା । ସେମାନଙ୍କ ଠାରୁ ୭ ହଜାର ୩୦୦ ଟଙ୍କା ଜାଲ ନୋଟ ଏବଂ ନୋଟ ଛାପିବାରେ ବ୍ୟବହୃତ ପ୍ରିଣ୍ଟର, ପେପର୍ କଟର୍, ଗ୍ରୀନ ଷ୍ଟିକର, ଜାଲ୍ ନୋଟ୍ ଛପା କାଗଜକୁ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡ଼ିଛି । ଏନେଇ କେଗାଁ ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ମୁକୁନ୍ଦ ନାଏକ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସୁବର୍ଣ୍ଣପୁର ନକଲି ନୋଟ ଜବତ ଘଟଣା, CIB ଓ NIA ସ୍କାନରରେ ଏହି ରାକେଟ

ପୂର୍ବରୁ ମଧ୍ୟ କଳାହାଣ୍ଡିରେ ଜାଲ ନୋଟ ରାକେଟର ପର୍ଦାଫାଶ କରିଥିଲା ପୋଲିସ । କଳାହାଣ୍ଡିର ସଦର ଥାନା ଅନ୍ତର୍ଗତ ଦେପୁର ଗାଁର ସାପ୍ତାହିକରେ ନର୍ଲା ଥାନା ଅନ୍ତର୍ଗତ ସାନଖଏରମାଲ ଗାଁର ସୁଶୀଲ ମାଝୀ କିଛି ନକଲି ନୋଟ ଦେଇ ସାମଗ୍ରୀ କିଣୁଥିଲା । ଜଣେ ବ୍ୟବସାୟୀ ଏହା ନକଲି ନୋଟ ବୋଲି ଜାଣିପାରି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଏହି ସମୟରେ ସୁଶୀଲ ଫେରାର ମାରିବାକୁ ଚେଷ୍ଟା କରିଥିଲା । ହେଲେ ଗ୍ରାମବାସୀ ନକଲି ନୋଟ କାରବାର କରୁଥିବା ବ୍ୟକ୍ତିକୁ କାବୁ କରି ପୋଲିସରେ ଦେଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.