ETV Bharat / state

କଳାହାଣ୍ଡି ଗସ୍ତରେ କୃଷିମନ୍ତ୍ରୀ, ଚାଷକୁ ନେଇ ସମୀକ୍ଷା ବୈଠକ

author img

By

Published : Aug 18, 2023, 3:13 PM IST

ranendra pratap swain visits kalahandi
ranendra pratap swain visits kalahandi

କଳାହାଣ୍ଡି ଗସ୍ତରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଚାଷର ସ୍ଥିତିକୁ ନେଇ କଲେ ସମୀକ୍ଷା ବୈଠକ । ଅଧିକ ପଢନ୍ତୁ

କଳାହାଣ୍ଡି ଗସ୍ତରେ କୃଷିମନ୍ତ୍ରୀ

ଭବାନୀପାଟଣା: ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ବିଭିନ୍ନ ବ୍ଲକର କ୍ଷେତରେ ବୁଲି ଧାନ, ଓ କପା ଚାଷ ଦେଖିବା ସହ ସମନ୍ଵିତ ଚାଷ ପ୍ରଣାଳୀ ଯୋଜନାରେ ଅନ୍ତର୍ଭୁକ୍ତ ଫାର୍ମକୁ ପରିଦର୍ଶନ କରିଥିଲେ । ଏହାପରେ ଜିଲ୍ଲାପାଳ ପି.ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ସାମିଲ ହୋଇ ବିଭିନ୍ନ ଯୋଜାନ ସମ୍ପର୍କରେ ସମୀକ୍ଷା କରିଥିଲେ କୃଷିମନ୍ତ୍ରୀ । ବୈଠକରେ ଚାଷୀଙ୍କ ସମସ୍ୟା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା ।

ଗୁରୁବାର ଦିନ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ପ୍ରଥମେ ଜୁନାଗଡ଼ ବ୍ଲକ ସିନାକୁଟି ଗାଁର ଚାଷୀ ମନ୍ମଥ ଗଜାନନ ସାହୁଙ୍କ ସମନ୍ଵିତ ଚାଷ ପ୍ରଣାଳୀ ଯୋଜନାରେ ଅନ୍ତର୍ଭୁକ୍ତ ଫାର୍ମକୁ ପରିଦର୍ଶନ କରିଥିଲେ । ପରେ ଦେଦର ଗାଁରେ ଥିବା ୪୦ ହେକ୍ଟର ଜମିରେ ପାମ ତୈଳ ଚାଷ ଆଦି ବୁଲି ଦେଖିବା ସହ ଭବାନୀପାଟଣା ବ୍ଲକର ସାନଖୈରମାଳ ଗାଁରେ ବିହନ ପ୍ରକ୍ରିୟାକରଣ ପ୍ଳାଣ୍ଟ, କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହାସହ ବିଭିନ୍ନ ସ୍ଥାନରେ ହୋଇଥିବା ଧାନ, କପା ଚାଷ ବୁଲି ଦେଖିଥିଲେ । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କୃଷି, ପ୍ରାଣୀସମ୍ପଦ, ଉଦ୍ୟାନ, ଜଳଛାୟା , ସମବାୟ ବିଭାଗର ଅଧିକାରୀଙ୍କୁ ନେଇ ଚାଷୀଙ୍କ ଉନ୍ନତି ଓ କର୍ମଚାରୀଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-କୋଟିଆକୁ ରାଜ୍ୟ ସରକାରଙ୍କ ପ୍ରଥମ ମନ୍ତ୍ରୀଙ୍କ ଗସ୍ତ, କୃଷିମନ୍ତ୍ରୀ ଆସିବା ପରେ ଉତ୍ସାହିତ କୋଟିଆବାସୀ

ପ୍ରତି ମାସରେ ପ୍ରାଣୀସମ୍ପଦ, ଉଦ୍ୟାନ, ଜଳଛାୟା, ସମବାୟ ବିଭାଗକୁ ନେଇ ଜିଲ୍ଲାପାଳ ସମନ୍ଵୟ ବୈଠକ କରିବାକୁ କୁହାଯାଇଥିଲା । ଏଥିସହ ମୃତ୍ତିକା ପରୀକ୍ଷଣକୁ ଆହୁରି କ୍ରିୟାଶୀଳ କରିବା, ଚାଷୀମାନଙ୍କୁ ଚାଷର ଯାନ୍ତ୍ରୀକରଣର ଉପାଦେୟତା ଓ ସବ୍‌ସିଡି ଉପରେ ଗ୍ରାମାଞ୍ଚଳକୁ ଯାଇ ବୁଝାଇବା, ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା । ଭି.ଏ.ଡବ୍ଲୁଙ୍କ ଅନୁପସ୍ଥିତି ଏବଂ ଅବହେଳା ଉପରେ କାର୍ଯ୍ୟାନଷ୍ଠାନ, ମିଶ୍ରିତ ଚାଷକୁ ଗୁରୁତ୍ଵ , ୮ଟି ବ୍ଲକ୍‌ରେ ଚାଲିଥିବା ମିଲେଟ ମିଶନକୁ ଅନ୍ୟ ବ୍ଲକକୁ ସଂପ୍ରସାରଣ କରିବା ଓ କପାଚାଷ କରୁଥିବା ଚାଷୀଙ୍କୁ ବିଭାଗୀୟ ସହଯୋଗ ଏବଂ କପା ବିକ୍ରି ପାଇଁ ଆରଏମ୍‌ସିର ଭୂମିକା ଆଦିକୁ ନେଇ ଆଲୋଚନା କରାଯାଇଥିବା ବେଳେ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ କ୍ଷେତ୍ରକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା ।

କୋରାପୁଟରେ ଯେଉଁଭଳି କଫି ଚାଷ ଆଖିଦୃଶିଆ ଉନ୍ନତି କରିଛି ତାର ଉଦାହରଣ ଦେଇ କଳାହାଣ୍ଡି ଜିଲ୍ଲାରେ ଏହାକୁ ବ୍ୟାପକ କରିବାକୁ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କହିଥିଲେ । ସର୍ବୋପରି ଜିଲ୍ଲାରେ ସମନ୍ଵିତ ଚାଷ ପ୍ରଣାଳୀ, ମିଶ୍ରିତ ଚାଷକୁ ଗୁରୁତ୍ଵ ଦେବା ସହ ଚାଷ କ୍ଷେତ୍ରରେ ଜିଲ୍ଲା ଏକ ନୂତନ ଉଦାହରଣ ସୃଷ୍ଟି କରୁ ବୋଲି କହିଥିଲେ ମନ୍ତ୍ରୀ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ସିଡିଏଓ ପ୍ରଫୁଲ୍ଲ କୁମାର ସେଠୀ, ଡିଡିଏଚ୍‌ କିଶୋର ମହାଲିଙ୍ଗ, ଡି.ଆର.ସି.ଏସ ପ୍ରମୋଦ ସାହୁ ଓ ଡି.ଆଇ.ପି.ଆର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.