ଦୁଲଦୁଲି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା: ମଞ୍ଚ ଦୁଲକାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ

author img

By

Published : Jan 16, 2023, 5:29 PM IST

former CM Giridhar Gamang

ଝାରସୁଗୁଡ଼ା ଦୁଲଦୁଲି ମହୋତ୍ସବରେ ମଞ୍ଚ ଦୁଲକାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଝୁମିଲେ ଦର୍ଶକ । ଅଧିକ ପଢନ୍ତୁ

ମଞ୍ଚ ଦୁଲକାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ

ଝାରସୁଗୁଡ଼ା : ଝାରସୁଗୁଡ଼ା ମହୋତ୍ସବ ଦୁଲଦୁଲିର ଦ୍ବିତୀୟ ସନ୍ଧ୍ୟା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ ଏହି ଜିଲ୍ଲା ମହୋତ୍ସବରେ ପ୍ରଥମ ଥର ପାଇଁ ମଞ୍ଚ ଉପରେ ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ବାଦନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା ।

ଏଥିରେ ଗିରିଧର ଗମାଙ୍ଗ ଓ ତାଙ୍କ ଟିମ୍‌ ଦ୍ବାରା ବଜୁଆନାଚ ପରିବେଷଣ କରାଯାଇଥିଲା । ପରେ ଭୁବନେଶ୍ବର ଜ୍ୟୋତି କଳାପରିଷଦର କଳାକାରମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ, ସମ୍ବଲପୁର ରଙ୍ଗ ଫରୁଆର କଳାକାରମାନେ ମହାନଦୀର କଥା, ବ୍ରଜରାଜନଗର ମାଧବ ସଂଗୀତ ସମିତି ପକ୍ଷରୁ କୀର୍ତ୍ତିମୟ ନୃତ୍ୟ ପରିବେଷଣ କରାଯାଇଥିଲା ।

ସେହିପରି ପଞ୍ଜାବର ପଞ୍ଜାବୀ ରୁରାଲ ଏକାଡେମୀ ପକ୍ଷରୁ ଜିନ୍ଦୁଆ ଲୋକନୃତ୍ୟ, ବରଗଡ଼ କଳାଜୀବୀ ପକ୍ଷରୁ ଡାଲଖାଇ, ସମ୍ବଲପୁର ସ୍ବରାଜ ଏକାଡେମୀ ପକ୍ଷରୁ ଭାବର ଲହର, ରାଜସ୍ଥାନ ଷ୍ଟାର ସୋସାଇଟି ପକ୍ଷରୁ ରାଜସ୍ଥାନୀ ଲୋକନୃତ୍ୟ ତେରାତାଲି ଓ ଗଞ୍ଜାମ ଶ୍ରୀଚୈତନ୍ୟ ଲୋକ ନୃତ୍ୟ ପକ୍ଷରୁ ପଶୁମୁଖା ନୃତ୍ୟ ଦର୍ଶକଙ୍କୁ ଅମୋଦିତ କରିଥିଲା । ପ୍ରଫେସର ଟହଲୁ ସାହୁ ସଭା ସଂଯୋଜନା କରିଥିଲେ ।

ଏହାମଧ୍ୟ ପଢ଼ନ୍ତୁ. ଦୁଇ ବର୍ଷ ପରେ ଆୟୋଜିତ ହେଲା ଝାରସୁଗୁଡା ଜିଲ୍ଲା ମହୋତ୍ସବ ଦୁଲଦୁଲି

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗିରିଧର ଗମାଙ୍ଗ ଯୋଗଦେଇ କଳା ଓ କଳାକାରଙ୍କ ସମ୍ପର୍କରେ ତାଙ୍କ ଅନୁଭୂତି ବଖାଣିଥିଲେ । ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ । ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ଓ ପୁରୁଣା ଐତିହ୍ୟ ଫେରାଇ ଆଣିବା ପାଇଁ ଆହ୍ବାନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରବୀର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ବର ଅମାତ, ଓରମାସ ଅଧିକାରୀ ଭାଗ୍ୟଲକ୍ଷ୍ମୀ, ତହସିଲଦାର ବସନ୍ତ ହାତୀ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କେଶବ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ ।

ଏ ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କହିଛନ୍ତି "ଆମ ଚାରିପାଖେ ଥିବା ଲୋକକଳା ଏବେ ବି ଲୁଚିକି ରହିଛି । ତେଣୁ ଏହାକୁ ଲୋକଲୋଚନକୁ ଆଣିବା ନିହାତି ଦରକାର ।" କୋରୋନା କଟକଣାର ଦୁଇ ବର୍ଷ ପରେ ଝାରସୁଗୁଡାରେ ଜିଲ୍ଲା ଲୋକ ମହୋତ୍ସବ ଦୁଲଦୁଲି ଆୟୋଜିତ ହୋଇଛି । ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ୧୮ ତାରିଖ ଯାଏଁ ଚାଲିବ । ଚଳିତ ବର୍ଷ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ପାଇଁ ୧୮୦ଟି ଷ୍ଟଲ୍‌, ଦୁଲଦୁଲିର ଫେନସି ଦୋକାନ ପାଇଁ ୧୦୬ଟି ଷ୍ଟଲ୍‌, ୫୦ଟି ଖାଦ୍ୟପେୟ ଷ୍ଟଲ୍‌, କୃଷି ଓ କୃଷି ଯାନ୍ତ୍ରୀକରଣର ୬୦ଟି ଷ୍ଟଲ୍‌ ଇତ୍ୟାଦି ମୋଟ ୩୯୬ଟି ଷ୍ଟଲ୍‌ କରାଯାଇଛି ।

ଜିଲ୍ଲାର ସମସ୍ତ ସରକାରୀ ବିଭାଗ ସହିତ ହସ୍ତତନ୍ତ, SHG ଗ୍ରୁପ ଏହି ମେଳାରେ ନିଜନିଜ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇଛନ୍ତି । ଏଠାରେ ପଲ୍ଲୀଶ୍ରୀ ମେଳା, କୃଷି ମେଳା, ମୀନାବଜାର ଓ ଖାଦ୍ୟ ଷ୍ଟଲଗୁଡ଼ିକ ବେଶ ଆକର୍ଷଣୀୟ ହୋଇଛି । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଧନ୍ୟବାଦ ଦେଇଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.