ETV Bharat / state

ଝାରସୁଗୁଡ଼ାରେ ଡ୍ରାଇଭର ମହାସଂଘର ଧର୍ମଘଟ, ଆନ୍ଦୋଳନକାରୀଙ୍କୁ ଉଠେଇନେଲା ପୋଲିସ

author img

By

Published : Mar 15, 2023, 6:46 PM IST

driver association protest in jharsuguda
ଝାରସୁଗୁଡ଼ାରେ ଷ୍ଟିୟରିଂ ଛାଡ଼ ଡାକରା

ଝାରସୁଗୁଡ଼ାରେ ଡ୍ରାଇଭର ମହାସଂଘ ଆନ୍ଦୋଳନର ପ୍ରଭାବ । ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବା ନେଇ ଚେତାବନୀ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ାରେ ଡ୍ରାଇଭର ମହାସଂଘର ଧର୍ମଘଟ

ଝାରସୁଗୁଡ଼ା: ୧୦ ଦଫା ଦାବିରେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ଯାହାର ପ୍ରଭାବ ଝାରସୁଗୁଡ଼ାରେ ମଧ୍ୟ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଶହଶହ ଡ୍ରାଇଭର ରାଜରାସ୍ତାକୁ ଓହ୍ଲାଇଛନ୍ତି । ସକାଳୁସକାଳୁ ଝାରସୁଗୁଡ଼ା ସହରର ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ଡ୍ରାଇଭର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରାଯାଇଛି ।

ଝାରସୁଗୁଡ଼ା ବଡ଼ମାଲ ସ୍ଥିତ ବିଜୁ ପଟ୍ଟନାୟକ ଛକଠାରେ ଶହଶହ ଡ୍ରାଇଭର ଏକାଠି ହୋଇ ନାରାବାଜି ଦେଇ ପ୍ରତିବାଦ କରିଛନ୍ତି । ତେବେ ଝାରସୁଗୁଡ଼ା ସହର ଭିତରେ କୌଣସି ବିରୋଧ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଯଦି କୌଣସି ବ୍ୟକ୍ତି ଆଇନକୁ ହାତକୁ ନେବାକୁ ଚେଷ୍ଟା କରିବେ । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାରସୁଗୁଡ଼ା ଏସଡିପିଓ କହିଛନ୍ତି । ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ତେବେ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହା ପ୍ରଭାବରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ମଟର ଅଟକ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: Bridge Collapse: ଭୁଶୁଡ଼ିଲା ନିର୍ମାଣଧିନ ଦ୍ଵିତୀୟ କେନ୍ଦ୍ରାପଡ଼ା ବାଇପାସ ସେତୁ, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

ଯଦି ସରକାର ଡ୍ରାଇଭର ମହାସଂଘର ସମସ୍ତ ଦାବି ପୂରଣ ନକରନ୍ତି ତେବେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଂଘ ଚେତାବନୀ ଦେଇଛି । ଯଥାଶୀଘ୍ର ସରକାର ଏଦିଗରେ ଦୃଷ୍ଟି ଦେଇ ଡ୍ରାଇଭର ମାନଙ୍କ ପାଇଁ ସୁବିଚାର କରନ୍ତୁ ନଚେତ ଆଗକୁ ଏହି ଧର୍ମଘଟ ବିରାଟ ରୂପ ଧାରଣ କରିବ ବୋଲି କହିଛି ସଂଘ । ଗତ ମଙ୍ଗଳବାର ଝାରସୁଗୁଡ଼ା ଡ୍ରାଇଭର ମହାସଂଘ ଏହି ଧର୍ମଘଟ ଆନ୍ଦୋଳନକୁ ଖୋଲାଖୋଲି ଭାବେ ସମର୍ଥନ ଜଣାଇବା ପାଇଁ ମନା କରିଥିଲା । ଏନେଇ ଜିଲ୍ଲାପାଳ ଏବଂ ଏସପିଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଛି । କିନ୍ତୁ ସଭାପତି ଏବଂ ସଂଘର ବରିଷ୍ଠ ପଦାଧିକାରୀଙ୍କୁ ଅମାନ୍ୟ କରି ଆଜି(ବୁଧବାର) ଡ୍ରାଇଭର ମହାସଂଘର କିଛି ସଦସ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ । ତେବେ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ନେଇ କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.