ETV Bharat / state

ମରାମତି ହେଇପାରୁନି ଦୁର୍ବଳ ନଦୀବନ୍ଧ, ଚିନ୍ତାରେ ଗ୍ରାମବାସୀ

author img

By

Published : Jul 18, 2022, 7:09 PM IST

ରାଜ୍ୟରେ ଅନେକ ସ୍ଥାନରେ ନଦୀ ବନ୍ଧ ମୁକୁଳା ପଡିଥିବା ବେଳେ ମୌସୁମୀ ମାଡରେ ଅନେକ ବନ୍ଧ ଦୁର୍ବଳ ହୋଇପଡିଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଚନ୍ଦ୍ରମୁଁ ପଞ୍ଚାୟତ ଓ ବାଣପୁର ଅଞ୍ଚଳର ନଦୀ ବନ୍ଧ ଗୁଡିକ ଆତଙ୍କିତ କରିଛି ସ୍ଥାନୀୟ ଲୋକମାନଙ୍କୁ । ଅଧିକ ପଢନ୍ତୁ

ମରାମତି ହେଇପାରୁନି ଦୁର୍ବଳ ନଦୀବନ୍ଧ, ଚିନ୍ତାରେ ଗ୍ରାମବାସୀ
ମରାମତି ହେଇପାରୁନି ଦୁର୍ବଳ ନଦୀବନ୍ଧ, ଚିନ୍ତାରେ ଗ୍ରାମବାସୀ

ଯାଜପୁର: ଆରମ୍ଭ ହେଲାଣି ମୌସୁମୀ ଜନିତ ବର୍ଷା । କିନ୍ତୁ, ଏଯାଏଁ ମରାମତି ହୋଇପାରୁନି ଦୁର୍ବଳ ନଦୀ ବନ୍ଧ । ପ୍ରତ୍ୟେକ ବର୍ଷ ନଦୀ ବନ୍ଧ ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର ହୋଇପାରୁ ନାହିଁ । ବନ୍ୟା ଆଶଙ୍କା ନେଇ ନଈକୂଳିଆ ଲୋକଙ୍କ ଠାରୁ ଚାଷୀକୂଳ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ।

ମରାମତି ହେଇପାରୁନି ଦୁର୍ବଳ ନଦୀବନ୍ଧ, ଚିନ୍ତାରେ ଗ୍ରାମବାସୀ

ଚଳିତ ବର୍ଷର ମୌସୁମୀ ବର୍ଷା ଆରମ୍ଭ ହୋଇଛି । କିନ୍ତୁ, ଏପର୍ଯ୍ୟନ୍ତ ଦୁର୍ବଳ ନଦୀ ବନ୍ଧ ଗୁଡିକ ମରାମତି ହୋଇନି । ଫଳରେ, ବନ୍ୟା ଆସିଲେ ନଦୀକୂଳିଆ ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ । ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ, ବାଣପୁର ଅଞ୍ଚଳର ଦୃଶ୍ୟ । ଯେଉଁଠି ମରାମତି ଅଭାବରୁ ନଦୀ ବନ୍ଧ ଗୁଡିକ ଦୁର୍ବଳ ଅବସ୍ଥାରେ ରହିଛି । ଜଳ ସମ୍ପଦ ବିଭାଗ ସବୁ ଜାଣି ନଜାଣିବା ପରି ଅଭିନୟ କରୁଛି । ଗତ ଦୁଇ ବର୍ଷ ତଳେ ଚନ୍ଦ୍ରମୁଁ ପଞ୍ଚାୟତର ମଲିପୁର ଠାରେ ଘାଇ ସୃଷ୍ଟି ହୋଇଥିଲା । କିନ୍ତୁ, କେବଳ ବାଲି ପକାଇ ଘାଇ ମରାମତି କାର୍ଯ୍ୟ ସାରିଛି ଜଳ ସମ୍ପଦ ବିଭାଗ । ଏହାର ସ୍ଥାୟିତ୍ୱ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ? ରାଜ୍ୟ ସରକାରଙ୍କର ନିଷ୍ପତ୍ତି ମୁତାବକ ବର୍ଷା ଦିନ ଆସିବା ପୂର୍ବରୁ ନଦୀ ବନ୍ଧ ଗୁଡିକୁ ମରାମତି କରିବା କଥା କିନ୍ତୁ, ଏହି ନିର୍ଦ୍ଦେଶନାମାକୁ ଜଳସମ୍ପଦ ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ଠିକ ସେହିଭଳି ଭାବେ ନଦୀର ଅପର ପାର୍ଶ୍ୱରେ ମଧ୍ୟ ନଦୀ ବନ୍ଧର ଅବସ୍ଥା ସମାନ। ନଦୀ ବନ୍ଧରେ ପ୍ରଶସ୍ତିକରଣ ପାଇଁ ଠିକାଦାର ମାନେ ବନ୍ଧ ଠାରୁ ୫ କିଲୋମିଟର ଦୂରରୁ ମାଟି ଆଣି ନଦୀ ବନ୍ଧରେ ପକାଇବା ପାଇଁ ନିୟମ ରହିଛି । ହେଲେ ଠିକାଦାର ମାନେ ନଦୀବନ୍ଧ ନିକଟରୁ ମାଟି ଆଣି ପକାଇବା ଫଳରେ ନଦୀର ସ୍ରୋତ ସିଧା ସଳଖ ନଦୀ ବନ୍ଧରେ ମାଡ କରିବା ଭଳି ପରିସ୍ଥିତି ସୃଷ୍ଟି କରିଛି l ଯଦି ଏହିସବୁ ସ୍ଥାନରେ କୌଣସି ଘାଇ ସୃଷ୍ଟି ହୁଏ ତେବେ ବ୍ୟାପକ ଅଞ୍ଚଳ ଚାଷ ଜମି ନଷ୍ଟ ହେବାର ଆଶଙ୍କା ରହିଛି । ଚାଷୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ । ସେପଟେ ଦୁର୍ବଳ ନଦୀ ବନ୍ଧ କାମ ଜାରି ରହିଛି ଏବଂ ଏହା ଏକ ନିୟମିତ ପ୍ରକ୍ରିୟା ବୋଲି ଯାଜପୁର ଭାରପ୍ରାପ୍ତ ଜିଲ୍ଲାପାଳ କହିଛନ୍ତି ।

ନଦୀ ବନ୍ଧ ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ଉପଯୁକ୍ତ ଭାବେ କରାଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯାଇଛି । ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା l

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.