ETV Bharat / state

ସୁକିନ୍ଦାରେ ଯକ୍ଷ୍ମା ମୃତ୍ୟୁ, ମୁଖ୍ୟ ଶାସନ ସଚିବଙ୍କୁ NHRCଙ୍କ ରିପୋର୍ଟ ତଲବ

author img

By ETV Bharat Odisha Team

Published : Oct 20, 2023, 6:18 PM IST

NHRC notice to the chief secretary
NHRC ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ

ସୁକିନ୍ଦାରେ ଯକ୍ଷ୍ମା ମୃତ୍ୟୁ ଘଟଣାରେ NHRC ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରାଯାଇଛି l ପ୍ରଦୂଷଣ ଉପରେ ସ୍ୱତନ୍ତ୍ର ଦୃଷ୍ଟି ନଦେବା ଫଳରେ ଯକ୍ଷ୍ମା ରୋଗ ବଢୁଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି l ଅଧିକ ପଢନ୍ତୁ

NHRC ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ

ଯାଜପୁର: ସୁକିନ୍ଦାରେ ଯକ୍ଷ୍ମା ମୃତ୍ୟୁ ଘଟଣା । NHRC ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ l ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି ଅଞ୍ଚଳରେ ଯକ୍ଷ୍ମା ଆତଙ୍କ ଦେଖିବାକୁ ମିଳିଛି । ଗତ 13 ଦିନ ମଧ୍ୟରେ ଅଞ୍ଚଳର 4ଜଣ ବ୍ୟକ୍ତିଙ୍କର ଯକ୍ଷ୍ମା ରୋଗରେ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଜଣେ ମାନବାଧିକାର କର୍ମୀ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କରାଯାଇଛି । କେନ୍ଦ୍ର ସରକାର 2024 ସୁଦ୍ଧା ସାରା ଭାରତକୁ 'ଯକ୍ଷ୍ମା ମୁକ୍ତ ଭାରତ' ରୂପେ ଗଢିବା ପାଇଁ ଘୋଷଣା କରିଥିବାବେଳେ ଏଠାରେ ବ୍ୟତିକ୍ରମ ଦେଖାଦେଇଛି । ଏହା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ସେପଟେ କାଳିଆପାଣିରେ ଘଟିଥିବା 4 ବ୍ୟକ୍ତିଙ୍କ ମୃତ୍ୟୁ ଯକ୍ଷ୍ମା ଜନିତ ନୁହେଁ ବୋଲି ଜିଲ୍ଲା ଚିକିତ୍ସାଧିକାରୀ କହିଛନ୍ତି ।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକାର ପ୍ରଦୂଷଣ ଯୋଗୁ କାଳିଆପାଣି, ରାସୋଳ ଓ କୁହିକା ଆଦି ଅଞ୍ଚଳରେ ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ପ୍ରଦୂଷଣ କାରଣରୁ ଗତ 13 ଦିନ ମଧ୍ୟରେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ପ୍ରାୟ 4 ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହେଇଛି । ଯାହାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଜଣେ ଆଇନଜୀବୀ ଅଭିଯୋଗ କରିଥିଲେ । ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ 7 ଦିନ ମଧ୍ୟରେ ଜବାବ ରଖିବାକୁ ତାଗିଦ କରିଛନ୍ତି NHRC ।

ତେବେ କଅଁସ ପଞ୍ଚାୟତ ଅନ୍ତର୍ଗତ କୁମାରଡ଼ିଙ୍ଗା ଗାଁର ସାହେବ ଜାମୁଡା ନାମକ ଜଣେ ବ୍ୟକ୍ତି ଯକ୍ଷ୍ମା ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବାବେଳେ ପୂର୍ବରୁ ଗଣେଶ୍ବର ଜାମୁଦା ନାମକ ଜଣେ ବ୍ୟକ୍ତିଙ୍କର ଯକ୍ଷ୍ମାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ସେହିପରି କଂଅସ ପଞ୍ଚାୟତ ଜାଗିରିସାହିର ମହାନ୍ତି ସିଧୁ ଓ କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗାର ଶଙ୍କର ମୁଣ୍ଡା, କାଳିଆପାଣି ହନୁମାନ ବଜାର ଅଞ୍ଚଳର ନିରାଶ ମହାକୁଡ଼ଙ୍କ ଜୀବନ ଯାଇଛି । ସେପଟେ କାଳିଆପାଣି ଅଞ୍ଚଳରେ ଖଣି କମ୍ପାନୀ ପକ୍ଷରୁ ପ୍ରଦୂଷଣ ଉପରେ ସ୍ୱତନ୍ତ୍ର ଦୃଷ୍ଟି ନଦେବା ଫଳରେ ଯକ୍ଷ୍ମା ରୋଗ ବଢୁଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି l

ଏହା ବି ପଢନ୍ତୁ...ରାଜ୍ୟକୁ ଯକ୍ଷ୍ମାମୁକ୍ତ କରିବାକୁ ଲକ୍ଷ୍ୟ, ସବୁ ବ୍ଲକରେ ଉପଲବ୍ଧ ହେବ ମଡ୍ୟୁଲାର ମେସିନ

ପୂର୍ବରୁ କୁହିକା ପଞ୍ଚାୟତ ଗାନ୍ଧାପାଳ ମୁଣ୍ଡାସାହିରେ ଜଣଙ୍କର ମୃତ୍ୟୁ ଘଟିଥିଲା । ବିଭିନ୍ନ ସମୟରେ ଏହିପରି ଭାବେ ଏକାଧିକ ଲୋକଙ୍କର ଯକ୍ଷ୍ମା ରୋଗରେ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀର କେବଳ କାଳିଆପାଣି ଖଣି ଅଞ୍ଚଳ ନୁହେଁ, କଳିଙ୍ଗନଗର ଶିଳ୍ପାଞ୍ଚଳର ମାନପୁର ରେଲୱେ ସାଇଡରେ ଥିବା ଦଳିତ ଆଦିବାସୀ ବସ୍ତିରେ ମଧ୍ୟ 60ରୁ ଊର୍ଦ୍ଧ୍ବ ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଦର୍ଶାଯାଇଥିଲା । ସେହିପରି ସୁକିନ୍ଦାର ଖଣି ଉପତ୍ୟକା ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏବେବି 200ରୁ ଊର୍ଦ୍ଧ୍ବ ରୋଗୀ ଏହି ଭୟଙ୍କର ରୋଗର ଶିକାର ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।

ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶିବାଶିଷ ମହାରଣା ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "କାଳିଆପାଣିରେ ଜଣଙ୍କର ଯକ୍ଷ୍ମାରେ ମୃତ୍ୟୁ ଘଟିଥିଲା । ଅନ୍ୟ 3 ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ଅଧିକ ନିଶାସେବନ କରିଥିବାରୁ ସେମାନଙ୍କ ମୃତ୍ୟୁ ଘଟିଛି । ଧୀରେ ଧୀରେ କାଳିଆପାଣି ଖଣି ଅଞ୍ଚଳରେ ଯକ୍ଷ୍ମା ରୋଗ ବଢିବାକୁ ଲାଗିଛି l ରାଜ୍ୟ ପ୍ରଦୂଷଣ ବିଭାଗ ପକ୍ଷରୁ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.