ETV Bharat / sukhibhava

ରାଜ୍ୟକୁ ଯକ୍ଷ୍ମାମୁକ୍ତ କରିବାକୁ ଲକ୍ଷ୍ୟ, ସବୁ ବ୍ଲକରେ ଉପଲବ୍ଧ ହେବ ମଡ୍ୟୁଲାର ମେସିନ

author img

By

Published : Mar 22, 2023, 11:55 AM IST

Updated : Mar 22, 2023, 12:17 PM IST

ରାଜ୍ୟକୁ ସମ୍ପୂର୍ଣ୍ଣ ଯକ୍ଷ୍ମାମୁକ୍ତ କରିବାକୁ ସରକାରଙ୍କ ପ୍ରୟାସ ଆରମ୍ଭ । ଖୁବ୍‌ଶୀଘ୍ର ସମସ୍ତ ବ୍ଲକରେ ଯକ୍ଷ୍ମା ଚିହ୍ନଟ ପାଇଁ ଉପଲବ୍ଧ ହେବ ମଡ୍ୟୁଲାର ଡାଇଗ୍ନୋସିସ୍ ମେସିନ୍ । ରାଜ୍ୟକୁ ସମ୍ପୂର୍ଣ୍ଣ ଯକ୍ଷ୍ମାମୁକ୍ତ ଘୋଷଣା ରହିଛି ଲକ୍ଷ୍ୟ । ଅଧିକ ପଢନ୍ତୁ

tb
tb

ଭୁବନେଶ୍ବର: ଦିନକ ପରେ ସମଗ୍ର ବିଶ୍ବରେ ପାଳନ ହେବ ବିଶ୍ବ ଟିବି(ଟ୍ୟୁବରକ୍ୟୁଲୋସିସ୍) ବା ଯକ୍ଷ୍ମା ଦିବସ । ରୋଗ ପ୍ରତି ସତର୍କତା କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳନ ହୁଏ ଏହି ଦିବସ । ଏହି କ୍ରମରେ ରାଜ୍ୟକୁ ସମ୍ପୂର୍ଣ୍ଣ ଯକ୍ଷ୍ମାମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଓଡିଶା ସରକାର । ରାଜ୍ୟର ସମସ୍ତ ବ୍ଲକରେ ଯକ୍ଷ୍ମା ଚିହ୍ନଟ ପାଇଁ ଖୁବଶୀଘ୍ର ଉପଲବ୍ଧ ହେବ ମଡ୍ୟୁଲାର ଡାଇଗ୍ନୋସିସ୍ ମେସିନ୍ । ବର୍ତ୍ତମାନ 190ଟି ମଡ୍ୟୁଲାର ଡାଇଗ୍ନୋସିସ୍ ମେସିନ୍ ଉପଲବ୍ଧ ଥିବାବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବ । ଏହା ସହିତ ଯକ୍ଷ୍ମା ଚିହ୍ନଟ, ଚିକିତ୍ସା, ପ୍ରତିଷେଧକ, ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

ଯକ୍ଷ୍ମା ନିରାକରଣ ବାବଦରେ ସ୍ବାସ୍ଥ୍ୟ ବିଭାଗର ସାମ୍ବାଦିକ ସମ୍ମିଳନୀ

ମାଗଣାରେ କରାଯାଉଥିବା ଯକ୍ଷ୍ମା ପରୀକ୍ଷା ଓ ଟେଷ୍ଟିଂକୁ ମଧ୍ୟ ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ୨୦୨୫ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟରେ ଏହି ସବୁ କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳୀରେ ସୂଚନା ଦିଆଯାଇଛି । 'ଟିବି ହାରିବ ଦେଶ ଜିତିବ' ଅଭିଯାନ ଅଧୀନରେ ସମସ୍ତ କାର୍ଯ୍ୟ କରାଯିବ । ହେଲ୍‌ଥ ଆଣ୍ଡ୍ ୱେଲ୍‌ନେସ୍ ସେଣ୍ଟର୍(HWC) ଠାରେ ଚିହ୍ନଟ ହୋଇଥିବା ଯକ୍ଷ୍ମା ରୋଗୀଙ୍କୁ ବିନା ମୂଲ୍ୟରେ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଆଶା କର୍ମୀମାନେ ଘରକୁ ଘର ବୁଲି ଯକ୍ଷ୍ମା ରୋଗର ଲକ୍ଷଣ ଥିବା ବ୍ୟକ୍ତି ତଥା ଅନ୍ୟାନ୍ୟ ରୋଗରେ ପୀଡିତ ଥାଇ ଯକ୍ଷ୍ମାର ଅଧିକ ସମ୍ଭାବନା ଥିବା ରୋଗୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଟିବି ପରୀକ୍ଷା କରାଉଛନ୍ତି । ମାଇକ୍ରୋସ୍କୋପି ଏବଂ X-Ray ସହିତ ମୋଲେକୁଲାର ପଦ୍ଧତି ଦ୍ବାରା କଫ ପରୀକ୍ଷା ସୁବିଧାକୁ ଧୀରେ ଧୀରେ ସମସ୍ତ ବ୍ଲକକୁ ସମ୍ପ୍ରସାରିତ କରାଯାଉଛି । Neuropeptide Y(NPY) ଅଧୀନରେ ଚିହ୍ନିତ ହୋଇ ଚିକିତ୍ସିତ ହେଉଥିବା ପ୍ରତ୍ୟେକ ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା ବାବଦକୁ ମାସିକ ୫୦୦ ଟଙ୍କା ଭତ୍ତା ଦିଆଯାଉଛି । ଚିକିତ୍ସା ଶେଷ ହେବା ପର୍ଯ୍ୟନ୍ତ ରୋଗୀଙ୍କୁ ବ୍ୟାଙ୍କ ଖାତା ଜରିଆରେ ସମସ୍ତ ଭତ୍ତା ରାଶି ପ୍ରଦାନ କରାଯାଉଅଛି ।

୨୦୨୦-୨୧ ମସିହାରେ ଆମ ରାଜ୍ୟ NTEP(ନ୍ୟାସନାଲ୍ ଟ୍ୟୁବରକ୍ୟୁଲୋସିସ୍ ଏଲିମିନେସନ୍ ପ୍ରୋଗ୍ରାମ) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମ ରାଜ୍ୟ ଓଡିଶା ସମଗ୍ର ଦେଶରେ କ୍ରମଶଃ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ରହିଆସୁଛି । ୫୬୫ଟି Model HWCsକୁ TB Diagnostic Centre (TDC)ରେ ପରିଣତ କରାଯିବା ପାଇଁ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି । ୨୦୨୧ରେ ଟିବି ମୁକାବିଲା କ୍ଷେତ୍ରରେ ଆମ ରାଜ୍ୟରେ ୩ ଗୋଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା ଏବଂ ବରଗଡ଼ Sub-National Certification Survey ଦ୍ବାରା କାଂସ୍ୟ(ବ୍ରୋଞ୍ଜ୍) ପଦକ ବିଜେତା ହୋଇଥିଲେ ।

ସେହିପରି ୨୦୨୨ ପାଇଁ ୧୩ଟି ଜିଲ୍ଲା ତଥା ସମଗ୍ର ରାଜ୍ୟକୁ Sub-National Certification Survey ଅନ୍ତର୍ଭୁକ୍ତ କରାଯାଇଛି । ସରକାରୀ ସୂତ୍ରରୁ ଅଧିକରୁ ଅଧିକ ଯକ୍ଷ୍ମା ରୋଗୀ ଚିହ୍ନଟ ପାଇଁ ଭାରତ ସରକାରଙ୍କର Patient Provider Support Agency(PPSA) କାର୍ଯ୍ୟକ୍ରମ ଅଧୀନରେ ୬ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ ସମ୍ବଲପୁରରେ NGO କାର୍ଯ୍ୟ କରୁଛନ୍ତି । Bi-Directional ପଦ୍ଧତିରେ ଯକ୍ଷ୍ମା ସହ ଅନ୍ୟାନ୍ୟ ରୋଗ ଯେପରିକି କୋରୋନା, ଡାଇବେଟିସ, ଏଚ.ଆଇ.ଭି, ନ୍ୟୁଟ୍ରେସନ୍ ଏବଂ ଟୋବାକୋ ରୋଗ ଚିହ୍ନଟ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ସେହିପରି, ସମ୍ମତି ପ୍ରଦାନ କରିଥିବା ଯକ୍ଷ୍ମା ରୋଗୀମାନଙ୍କୁ ପୋଷଣ ଜନିତ ତଥା ଅନ୍ୟାନ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ସମାଜର ପ୍ରତ୍ୟେକ ବର୍ଗ ତଥା ଜନ ସାଧାରଣଙ୍କୁ "ନିକ୍ଷୟ ମିତ୍ର"(ପ୍ରଧାନମନ୍ତ୍ରୀ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ) ଯୋଜନାରେ ସାମିଲ କରାଯାଉଛି । ଆମ ରାଜ୍ୟରେ ବର୍ତ୍ତମାନ ୧,୬୩୫ ଜଣ "ନିକ୍ଷୟ ମିତ୍ର" ଭାବେ ପଞ୍ଜିକୃତ ହୋଇଛନ୍ତି । ୨୬,୧୯୮ ଜଣ ଇଚ୍ଛୁକ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ୨୩,୬୮୫ ଜଣ ରୋଗୀଙ୍କୁ ପୋଷଣ ସମ୍ବନ୍ଧୀୟ ସହାୟତା ଯୋଗାଇ ଦେବାକୁ ନିଶ୍ଚିତ କରାଯାଇଛି । ଯକ୍ଷ୍ମା ବିସ୍ତାରକୁ ରୋକିବା ପାଇଁ ଟିବି ପ୍ରିଭେଣ୍ଟେଭ୍ ଟ୍ରିଟ୍‌ମେଣ୍ଡ(TPT) ଜରିଆରେ ଜୀବାଣୁ ଚିହ୍ନଟ, ଯକ୍ଷ୍ମା ରୋଗୀମାନଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତଙ୍କୁ Chemoprophylaxis(କେମୋପ୍ରୋଫିଲାକ୍ସିସ୍) ଚିକିତ୍ସା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ରାଜ୍ୟ ସରକାରଙ୍କ ସକ୍ରିୟ ସହଭାଗିତାରେ, ବିଶ୍ବ ଯକ୍ଷ୍ମା ଦିବସର ପ୍ରସଙ୍ଗ "ହଁ, ଆମେ ଯକ୍ଷ୍ମାର ଅନ୍ତ ନିଶ୍ଚିତ କରିପାରିବା"ର ବାର୍ତ୍ତା ନେଇ ଓଡିଶା ରାଜ୍ୟ ଯକ୍ଷ୍ମା ନିରାକରଣ ପଥରେ ଦୃଢ ଅଗ୍ରଗତି କରୁଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି । ସବୁଠୁ ବଡ କଥା ହେଉଛି କି, ମାଇକ୍ରୋବ୍ୟାକ୍ଟେରିୟମ୍ ଟ୍ୟୁବରକ୍ୟୁଲୋସିସ୍ ନାମକ ଏକ ଜୀବାଣୁ କାରଣରୁ ଯକ୍ଷ୍ମା ବା ଟିବି ରୋଗ ହୋଇଥାଏ । ଏହି ରୋଗ ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଏ । ଯକ୍ଷ୍ମା ଆକ୍ରାନ୍ତ କଲେ ସପ୍ତାହରୁ ଅଧିକ ଦିନ ପର୍ଯ୍ୟନ୍ତ କାଶ ଲାଗିରହେ, କଫ ଜମାଟ ବାନ୍ଧେ, ଦୁର୍ବଳ ଲାଗେ, ଥଣ୍ଡା ଜ୍ୱର ଲାଗିରହେ, ଭୋକ ଲାଗେ ନାହିଁ । ତେଣୁ ଏହିସବୁ ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ପ୍ରାଥମିକ ପର୍ଯ୍ୟାୟରେ ଚିକିତ୍ସା କରାଇଲେ ଯେକୌଣସି ରୋଗର ବିଲୋପ ହୋଇପାରିବ ।

Last Updated :Mar 22, 2023, 12:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.