ETV Bharat / state

ଜେଜେ ମାଆଙ୍କ ହାତରନ୍ଧାରେ ମହକୁଛି ହାଣ୍ଡିଶାଳ, ଦେଶୀ ଷ୍ଟାଇଲରେ ରୋଷେଇ କରି ସଫଳ ୟୁଟ୍ୟୁବର

author img

By

Published : Aug 9, 2023, 8:43 PM IST

elderly woman makes testy food
ଦେଶୀ ଷ୍ଟାଇଲରେ ରୋଷେଇ କରି ଚର୍ଚ୍ଚାରେ ଜେଜେ ମାଆ

କାଠଚୁଲିରେ ଚାଲିଛି ଜେଜେ ମାଆଙ୍କ ରୋଷେଇ । କେତେବେଳେ ଶାଗ ଭଜା ତ ପୁଣି କେତେବେଳେ ଚୁନାମାଛ । ଆମିଷ ହେଉ ବା ନିରାମିଷ ତାଙ୍କ ରୋଷେଇ ଯାଦୁରେ ସମସ୍ତଙ୍କୁ ମତୁଆଲା କରିଛନ୍ତି । ଅଧିକ ପଢ଼ନ୍ତୁ

ଦେଶୀ ଷ୍ଟାଇଲରେ ରୋଷେଇ କରି ଚର୍ଚ୍ଚାରେ ଜେଜେ ମାଆ

ଯାଜପୁର: ୟୁଟ୍ୟୁବ୍‌ ଅନେକ ଲୋକଙ୍କୁ ଦେଖାଉଛି ରୋଜଗାରର ବାଟ । ଆଜିର ଯୁଗରେ ବିଭିନ୍ନ ପ୍ରକାର ଭିଡିଓ ପ୍ରସ୍ତୁତ କରି ଅପଲୋଡ଼ କରି ସାଧାରଣ ଲୋକେ ଅନେକ ଟଙ୍କା ରୋଜଗାର କରୁଛନ୍ତି l ଏଥିରେ ପଛରେ ପଡ଼ିନାହାନ୍ତି ୮୦ ବର୍ଷର ବୃଦ୍ଧା l ପରିଣତ ବୟସରେ ହାର ମାନିନି ରୋଷେଇ କରିବା ନିଶା । ବାଡିବଗିଚାରୁ ପନିପରିବା ତୋଳିଆଣି ନିଜେ ନିଜେ ଶିଳରେ ବେସର ବାଟି ରୋଷେଇ କରୁଛନ୍ତି । ଆମିଷ ହେଉକି ନିରାମିଷ, ପିଠାପଣା ସବୁ କମ ତେଲ ମସଲାରେ ସ୍ୱାଦିଷ୍ଟ ଖାଦ୍ୟ ରୋଷେଇ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଦେଉଳକଣ ଗାଁର କୋକିଳା ନାୟକ । ବୟସ ୮୦ ଛୁଇଁଲାଣି । ଗୋଡ଼ହାତ ଥରୁଛି ଆଖିକୁ ଭଲରେ ଦେଖା ଯାଉନି । ଚମ ଧୁଡୁଧୁଡୁ ହେଲାଣି ଦେହରେ ଆଉ ବଳ ନାହିଁ l ଅଣ୍ଟା ସଳଖି ଠିଆ ହୋଇ ପାରୁନାହାନ୍ତି । ତଥାପି ରୋଷେଇ କରିବାର ନିଶା ଆଗରେ ସବୁକିଛି ହାର ମାନିଛି । କାଠ ଚୁଲି, ଲୁହା କଡେଇ ଆଉ ଜେଜେମାର ହାତ ରନ୍ଧା । ଶିଳବଟା ମସଲାରେ ପୁରା ଦେଶୀ ଷ୍ଟାଇଲ ଛୁଙ୍କ । ଶାଗ ଭଜାଠୁ ଆରମ୍ଭ କରି ସଜନା ବେସର, ସାଧା ତରକାରୀରୁ ମାଛ ଭଜା ସୁସ୍ବାଦୁ ଢଙ୍ଗରେ ପ୍ରସ୍ତୁତ କରିବାରେ କୋକିଳା ମାହିର । ତାଙ୍କ ରୋଷେଇର ପ୍ରଶଂସା କେବଳ ପରିବାରରେ ସୀମିତ ହୋଇ ରହିନାହିଁ । ପାଖ ପଡ଼ୋଶୀ, ସମ୍ପର୍କୀୟ, ଗାଁରେ ଚର୍ଚ୍ଚା ହେବାପରେ ଏବେ ୟୁଟ୍ୟୁବ୍‌ରେ ଛାଇଛନ୍ତି କୋକିଳା । ଜେଜେମାଆ ହାଣ୍ଡିଶାଳ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଛନ୍ତି । ନାତୀ ନାତୁଣୀ ଦୁଇ ବର୍ଷ ତଳେ ଆରମ୍ଭ କରିଥିଲେ ଜେଜେମାଆ ହାଣ୍ଡିଶାଳ ନାମରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ । ଯେଉଁଥିରେ ତାଙ୍କ ହାତ ତିଆରି ଖାଦ୍ୟ ଆଉ ରାନ୍ଧିବାର କୌଶଳ ଉପଲବ୍ଧ ରହିଛି ।

ଯୁଗ ବଦଳିବା ସଙ୍ଗେ ସଙ୍ଗେ ଜୀବନ ଶୈଳୀ ଓ ଖାଦ୍ୟ ପ୍ରଣାଳୀ ମଧ୍ୟ ପରିବର୍ତ୍ତନ ଘଟିଛି । ସେଥିପାଇଁ ଆଧୁନିକତାର ତାଳେତାଳେ ବଜାରରେ ମିଳୁଥିବା ଫାଷ୍ଟଫୁଡ୍‌ ଓ ଚାଇନିଜ ଭଳି ଅପମିଶ୍ରିତ ଖାଦ୍ୟ ପଦାର୍ଥକୁ ଲୋକେ ଆପଣାଉଛନ୍ତି । ଆଉ ହାଣ୍ଡି ଦେଖିବାକୁ ମିଳୁନି ଚୁଲିରେ ଶାଗ ଖରଡ଼ା, ବାଇଗଣ ପୋଡ଼ା ଓ ଜାଇ ରଗଡାର ଦୃଶ୍ୟ । ଖଇଚଲା, ଡାଲିଘୋଟା ଓ ଶିଳରେ ମସଲା ବଟା ସତେ ଯେମିତି ହଜିଗଲାଣି । ଆଧୁନିକତାର ଚାକଚକ୍ୟରେ ସଂସ୍କୃତି ପରମ୍ପରାକୁ ଆମେ ଧୀରେଧୀରେ ଭୁଲି ଯିବାକୁ ବସିଲେଣି । ହେଲେ କୋକିଳାଙ୍କ ହାଣ୍ଡିଶାଳରେ ସବୁ ସାଇତି ରଖିଛନ୍ତି । ଗୋଟି ଗୋଟି କରି ଚୁଲି ମୁଣ୍ଡରେ ଡେରା ହୋଇଛି ସବୁ ରୋଷେଇ ସରଞ୍ଜାମ ।

ଚୁଲିରେ ପ୍ରତ୍ୟେକ ଦିନ କୋକିଆ କିଛି ନା କିଛି ରୋଷେଇ କରନ୍ତି । ଯାହାକୁ ଖାଇ ପରିବାରର ସମସ୍ତେ ବେଶ ପ୍ରସଂସା କରନ୍ତି । ଏ ସମ୍ପର୍କରେ ସେ କହିଛନ୍ତି, "ମୋ ହାତ ରନ୍ଧା ରୋଷେଇ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ସେଥିପାଇଁ ରୋଷେଇ କରିବାକୁ ଭଲଲାଗେ । ଦୁଇ ବର୍ଷ ହେଲା ମୋ ହାତରନ୍ଧା ରୋଷେଇ କରି ୟୁଟ୍ୟୁବରେ ପୋଷ୍ଟ ହେଉଛି । ଲୋକେ ବି ବେଶ ପସନ୍ଦ କରୁଛନ୍ତି । ଆଜିର ଲୋକେ ସୁସ୍ବାଦୁ ଖାଦ୍ୟ ଖାଇବା ବାହାନରେ ଅଧିକ ତେଲ ମସଲା ଖାଦ୍ୟ ଖାଉଛନ୍ତି । କିନ୍ତୁ ଏହା ଶରୀର ପ୍ରତି କ୍ଷତିକାରକ । କମ ତେଲ ମସଲା ବ୍ୟବହାର କରି ମଧ୍ୟ ସୁସ୍ବାଦୁ ଖାଦ୍ୟ ତିଆରି ହୋଇପାରିବ ।"

ଏହା ମଧ୍ୟ ପଢ଼ନ୍ତୁ: ମାଣ୍ଡିଆରୁ ପ୍ରସ୍ତୁତ ୩୦୦ ପ୍ରକାର ଖାଦ୍ୟ, ଦେଖିଲେ ପାଟିକୁ ପାଣି ଆସିଯିବ

୨୦୨୧ ମସିହାରେ ଦିନେ କୋକିଳାଙ୍କ ନାତି ଓ ଅଣ ନାତୁଣୀ ଏକାଠି ବସି ଖାଉଥିଲେ । ସେଦିନ ଜେଜେମାଆ ରୋଷେଇ କରିଥିଲେ । ତାଙ୍କ ହାତରନ୍ଧା ଖାଇଲା ପରେ ସମସ୍ତଙ୍କୁ ବହୁତଭଲ ଲାଗିଥିଲା । ସେହି ଦିନଠୁ ସେମାନେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିବାକୁ ଚିନ୍ତାକଲେ । ପ୍ରତ୍ୟେକ ଦିନ କୋକିଳା ନୂଆନୂଆ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କଲେ । ଯେମିତିକି ସଜନା ଶାଗ ମୁଗଜାଇ ଖରଡ଼ା, ସାରୁ କାହାଳି, ବୋଇତାଳୁ ଡଙ୍କ ରାଇ, ଛତୁ ପତ୍ରପୋଡ଼ା, ଚୁନାମାଛ ପତ୍ରପୋଡ଼ା, ଚିଙ୍ଗୁଡ଼ି ଶୁଖୁଆ ପୋଇପତ୍ର ଛିଞ୍ଚିଡ଼ା, ଶୁଖୁଆ ବେସର ଆଦି ବିଭିନ୍ନ ଆମିଷ ନିରାମିଷ ବ୍ୟଞ୍ଜନ ପ୍ରସ୍ତୁତ କଲେ । ଏହି ରୋଷେଇ ପ୍ରଣାଳୀକୁ ନିଜ ମୋବାଇଲରେ ସୁଟିଂ କରି ୟୁଟ୍ୟୁବରେ ପୋଷ୍ଟ କଲେ । ଦିନକୁ ଦିନ ଭିଡିଓ ବଢ଼ିଲା ଓ ଏହି ଚ୍ୟାନେଲ ଲୋକପ୍ରିୟତା ହାସଲ କଲା । କୋକିଳାଙ୍କର ଏବେ ୩୪ ହଜାର ସସକ୍ରାଇବର ଓ ୨୩ ଲକ୍ଷ ଭିୟୁର୍ସ ସୃଷ୍ଟି ହେଲେଣି । ଫଳରେ ଭଲ ଦି ପଇସା ରୋଜଗାର ମଧ୍ୟ ହେଉଛି । ଯାହାକୁ ନେଇ ପରିବାର ଲୋକେ ଖୁସି ପ୍ରକାଶ କରିଛନ୍ତି । ଆଜି ଜେଜେ ମାଆଙ୍କ ହାଣ୍ଡିଶାଳ ନାଁରେ ଖୋଲା ଯାଇଥିବା ୟୁଟ୍ୟୁବ୍‌ ଚ୍ୟାନେଲ ସାରା ଜିଲ୍ଲାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହିତ ଓଡ଼ିଆ ସଂସ୍କୃତି ଓ ପରମ୍ପାରିକ ଖାଦ୍ୟକୁ ଉଜ୍ଜିବୀତ କରୁଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.