ETV Bharat / state

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

author img

By

Published : Aug 11, 2023, 7:54 AM IST

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍
ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

ନାବାଳିକା ଦୁଷ୍କର୍ମ ମାମଲାରେ ଆସାମୀକୁ ୧୦ ବର୍ଷ ଜେଲ୍ । ୨୦୧୮ ମସିହାରେ ଜଗତସିଂହପୁର ଜିଲ୍ଲାରେ ଘଟିଥିଲା ଏହି ଲଜ୍ଜାଜନକ ଘଟଣା । ଅଧିକ ପଢନ୍ତୁ

ଜଗତସିଂହପୁର: ୫ ବର୍ଷ ପରେ ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା । ଦୁଷ୍କର୍ମକାରୀକୁ ମିଳିଲା ଦଣ୍ଡ । ଜଗତସିଂହପୁର ଜିଲ୍ଲା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଗୁରୁବାର ଗୋଟିଏ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଆସାମୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ୫ ବର୍ଷ ତଳେ ସଦର ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ କାଣ୍ଡ ଘଟିଥିଲା । ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଚକୋଲେଟ ଦେବା ଆଳରେ ଡାକି ନେଇ ବାରମ୍ବାର ଦୁଷ୍କର୍ମ କରିଥିଲା । ଫଳରେ ପୀଡିତା ଗର୍ଭବତୀ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା ।

ସୂଚନା ଅନୁଯାୟୀ, ୨୦୧୮ ମସିହାରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାଁ ପୁର ଅଞ୍ଚଳର ରଞ୍ଜନ କୁମାର ନାୟକ ନାବାଳିକାଙ୍କୁ ଚକୋଲେଟ ଦେଇ ଦୁଷ୍କର୍ମ କରିଥିଲା । ହଠାତ୍ ଦିନେ ପୀଡିତାଙ୍କ ପ୍ରବଳ ବାନ୍ତି ହେବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ପରୀକ୍ଷା କରିବା ପରେ ସେ ଗର୍ଭବତୀ ହୋଇଥିବା ଜଣାପଡିଥିଲା । ପରିବାର ଲୋକେ ଏହା ଜାଣିବା ପରେ ଏ ସମ୍ପର୍କରେ ଝିଅକୁ ପଚାରିଥିଲେ । ରଞ୍ଜନ ନାୟକ ତାଙ୍କ ସହ ଦୁଷ୍କର୍ମ କରିଥିବା ନାବାଳିକା କହିଥିଲେ ।

ଏହାମଧ୍ୟ ପଢନ୍ତୁ: Minor Rape Case: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍

ଏହାପରେ ପରିବାର ଲୋକେ ଅଭିଯୁକ୍ତ ରଞ୍ଜନକୁ ଏ ବାବଦରେ ପଚାରିବାରୁ ସେ ହତ୍ୟା ଧମକ ଦେଇଥିଲା । ଏପରିକି ପୀଡିତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ପରିବାର ଲୋକେ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ୬୫/୧୮ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗୁରୁବାର ଜଗତସିଂହପୁର ଜିଲ୍ଲା ପୋକ୍ସୋ କୋର୍ଟରେ ଏହି ଦୁଷ୍କର୍ମ ମାମଲାରୁ ଶୁଣାଣି ହୋଇଛି । ୫ ବର୍ଷ ପରେ ନ୍ୟାୟ ପାଇଛନ୍ତି ପୀଡିତା ।

ପୋକ୍ସୋ କୋର୍ଟ ବିଚାରପତି ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ରଞ୍ଜନକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଆଇନି ସେବା ପ୍ରାଧିକାରଣ ପକ୍ଷରୁ ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.