ETV Bharat / state

ସ୍ତ୍ରୀ ଆଗରେ ନଦୀରେ ବୁଡିଗଲା ସ୍ବାମୀ, ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Sep 7, 2023, 11:32 AM IST

Updated : Sep 7, 2023, 2:19 PM IST

ସ୍ତ୍ରୀ ଆଗରେ ନଦୀରେ ବୁଡିଗଲା ସ୍ବାମୀ
ସ୍ତ୍ରୀ ଆଗରେ ନଦୀରେ ବୁଡିଗଲା ସ୍ବାମୀ

ସ୍ତ୍ରୀ ଆଖି ଆଗରେ ନଦୀରେ ବୁଡିଗଲା ସ୍ବାମୀ । ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢନ୍ତୁ

ସ୍ତ୍ରୀ ଆଗରେ ନଦୀରେ ବୁଡିଗଲା ସ୍ବାମୀ

ଜଗତସିଂହପୁର: ଶୌଚ ହେବାକୁ ନଦୀକୁ ଯାଇଥିଲେ ସ୍ବାମୀ-ସ୍ତ୍ରୀ । ହେଲେ ଗୋଡ ଖସିଯିବାରୁ ସ୍ତ୍ରୀ ଆଖି ଆଗରେ ପାଣିରେ ବୁଡି ଆଖି ବୁଜିଲେ ସ୍ବାମୀ । ଗତକାଲି(ବୁଧବାର) ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଡେରିକି ପଞ୍ଚାୟତରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଯାଇଛି । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ପୂରଣ ଗୌଡ । ବହୁ ଖୋଜାଖୋଜି ପରେ ନଦୀରେ ତାଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ପୂରଣ ଗୌଡ ଓ ତାଙ୍କ ସ୍ତ୍ରୀ ହାରାମଣି ଡେରିକି ବଜାର ନିକଟ ଗୋବରୀ ନଦୀରେ ଶୌଚ ହେବାକୁ ଯାଇଥିଲେ । ଦୁର୍ଭାଗ୍ୟବଶତଃ ହଠାତ୍ ପୂରଣ ଗୌଡ଼ଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ଅଗାଧ ପାଣି ଭିତରକୁ ଚାଲି ଯାଇଥିଲେ । ଅନ୍ଧାର ହୋଇଥିବାରୁ ପତ୍ନୀ ହାରାମଣି ଏ ବିଷୟରେ ଜାଣି ପାରିନଥିଲେ । ଅଧିକ ଡେରି ହେବାରୁ ସେ ନଦୀକୁ ଟର୍ଚ୍ଚ ପକାଇ ସ୍ବାମୀଙ୍କୁ ଖୋଜିଥିଲେ । ଫଳରେ ସ୍ବାମୀ ପାଣିରେ ବୁଡି ଯାଉଥିବା ସେ ଦେଖିବାକୁ ପାଇଥିଲେ । ଏହାଦେଖି ହାରାମଣି ସହାୟତା ପାଇଁ ଚିତ୍କାର କରିଥିଲେ । ପାଟିଶୁଣି ସ୍ଥାନୀୟ ଲୋକେ ନଦୀ କୂଳକୁ ଧାଇଁ ଆସିଥିଲେ । ଏହାପରେ ପୂରଣ ଗୌଡଙ୍କୁ ପାଣିରୁ ଉଦ୍ଧାର କରାଯାଇ ଡେରିକି ଉପ ସ୍ବାସ୍ଥ୍ୟକେନ୍ଦ୍ରଙ୍କୁ ନିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଭାଇକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଲା ଭାଇ, ପାଣିରେ ବୁଡ଼ି ଚାଲିଗଲା ଜୀବନ

ରାତି ହୋଇଯାଇ ଥିବାରୁ ସେଠାରେ ତାଙ୍କର ଚିକିତ୍ସା ହୋଇ ପାରିନଥିଲା । ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ କରି ଏକ ଅଟୋ ଯୋଗେ ପୂରଣ ଗୌଡ଼ଙ୍କୁ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଆଜି ସକାଳୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଚିକିତ୍ସାରେ ବିଳମ୍ବ ଯୋଗୁଁ ପୂରଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ମୃତକ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କର ମୃତ୍ୟୁରେ ପୁରା ପରିବାର ଭାଙ୍ଗି ପଡିଛନ୍ତି । ତେଣୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚ ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜହ୍ଲାଦ ପାଲଟିଲା ବାପା, 3 ବର୍ଷ ଶିଶୁର କାଟିଲା ଗଳା

ଇଟିଭି ଭାରତ, ଜଗତସିଂହପୁର

Last Updated :Sep 7, 2023, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.