ETV Bharat / state

ଟେନସନରେ ମତ୍ସ୍ୟଜୀବୀ, ପାରାଦ୍ବୀପ ସମୁଦ୍ରରେ ହଜିବାକୁ ବସିଲାଣି ସ୍ବାଦିଷ୍ଟ ଇଲିସି ମାଛ

author img

By

Published : Aug 13, 2023, 8:07 AM IST

Etv Bharat
Etv Bharat

ପାରାଦ୍ବୀପ ସମୁଦ୍ରରେ ଇଲିସି ମାଛ ପାଲଟିଲା ସ୍ବପ୍ନ । ଏକଦା ଥିଲା ଇଲିସି ମାଛର ହବ୍‌ । ଅଧିକ ପଢନ୍ତୁ

ହଜିବାକୁ ବସିଲାଣି ସ୍ବାଦିଷ୍ଟ ଇଲିସି ମାଛ

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ଏହି ସମୟରେ ଟନ ଟନ ଇଲିସି ମାଛଧରା ହୋଇଥାଏ । ଗୋଟିଏ ସମୟ ଥିଲା ସ୍ବାଦିଷ୍ଟ ଇଲିସି ଉତ୍ପାଦନରେ ପାରାଦୀପ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ଏଠାରେ ଇଲିସି ମାଛ ଦେଖିବା ସ୍ବପ୍ନ ହୋଇପଡ଼ିଛି । ଜଳବାୟୁ ପରିବର୍ତ୍ତନ କାରଣରୁ ହେଉ ବା ସମୁଦ୍ର ଓ ନଦୀ ଜଳ ପ୍ରଦୂଷିତ କାରଣରୁ ହେଉ ପାରାଦ୍ବୀପ ସମୁଦ୍ରରେ ଇଲିସି ଉତ୍ପାଦନ ଏକ ପ୍ରକାର ବନ୍ଦ ହୋଇପଡିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମତ୍ସ୍ୟଜୀବୀ ।

ପାରାଦ୍ବୀପରେ ଇଲିସି ମାଛ ପଡିଲେ ଖାଉଟିମାନଙ୍କର ଭିଡ଼ ଜମିଥାଏ । ଯାହାକି ପାରାଦ୍ବୀପର ପ୍ରବେଶପଥ ଅଠରବାଙ୍କୀଠାରୁ ଆରମ୍ଭ କରି ମାଛ ବ୍ୟବସାୟ କେନ୍ଦ୍ର ପର୍ଯ୍ୟନ୍ତ ରୋଡ ଜାମ ହୋଇପଡିଥାଏ । ଏପରିକି ଗାଡି ମୋଟର ଚାଲିବା ଅସମ୍ଭବ ହୋଇପଡିଥାଏ । ପାରାଦ୍ବୀପରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପର୍ଯ୍ୟାପ୍ତ ପରିମାଣରେ ମାଛ ରପ୍ତାନୀ ହେଉଥିବା ବେଳେ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି । ଏଠାରେ ଆଉ ଇଲିସି ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁ ନାହାନ୍ତି । ଅଳ୍ପ କିଛି ମାଛ କୌଣସି ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲେ ଇଲିସି ଦର କିଲୋପ୍ରତି ୨ରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି । ଯାହା ଫଳରେ ସାଧାରଣ ଖାଉଟିମାନଙ୍କ ପାଇଁ ଇଲିସି ମାଛ କିଣିବା ସ୍ବପ୍ନ ପାଲଟିଛି।

ଏହା ବି ପଢନ୍ତୁ- ଜାଲରେ ପଡୁଛି ଟନ୍‌ ଟନ୍‌ ଇଲିସି, ଦାମ୍‌ ଆକାଶଛୁଆଁ

ସାଧାରଣତଃ ବର୍ଷା ଦିନେ ଗଭୀର ସମୁଦ୍ରରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଇଲିସି ମାଛ ଅଣ୍ଡା ଦେବାକୁ ନଦୀ ମୁହାଣକୁ ଆସିଥାନ୍ତି । ମୁହାଣ ନିକଟରେ ବର୍ଷା ଦିନେ ମଧୁର ଜଳ ସମୁଦ୍ରରେ ମିଶୁଥିବାରୁ ସେହି ସ୍ଥାନକୁ ସେମାନଙ୍କର ଅଣ୍ଡା ଦେବାର ପ୍ରକୃତ ସ୍ଥାନ ବାଛିଥାନ୍ତି । କିନ୍ତୁ ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ଅସ୍ବାଭାବିକ ମୌସୁମୀର ପ୍ରଭାବ, ଅଦିନିଆ ବୃଷ୍ଟିପାତ ଓ ସାମୁଦ୍ରିକ ତାପମାତ୍ରା ବୃଦ୍ଧି ଏଥିସହିତ ନଦୀ ଓ ସମୁଦ୍ର ନିକଟସ୍ଥ ଅଞ୍ଚଳରେ ଶିଳ୍ପାୟାନ ବୃଦ୍ଧି, ଶିଳ୍ପାୟନରୁ ବାହାରୁଥିବା ବର୍ଜ୍ୟବସ୍ତୁ, ବିଭିନ୍ନ ଯାନ୍ତ୍ରିକ ଜାହାଜ ଚଳାଚଳ, ବେଆଇନ ଚିଙ୍ଗୁଡ଼ି ଘେରୀ ପ୍ରାକୃତିକ ଜଳସ୍ରୋତକୁ ଅବରୋଧ କରୁଛି ।

ଏହି ସମସ୍ତ କାରଣରୁ ଗଭୀର ସମୁଦ୍ରରୁ ଇଲିସି ମାଛ ନଦୀ ମୁହାଣ ନିକଟକୁ ଆସୁନାହାନ୍ତି । ଫଳରେ ବର୍ଷା ଋତୁରେ ମତ୍ସ୍ୟଜୀବୀମାନେ ତାଙ୍କର ଡ଼ଙ୍ଗା ଜାଲ ପ୍ରସ୍ତୁତ କରିବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏଥର ଇଲିସି ମାଛ ଧରିବା ସ୍ବପ୍ନ ହୋଇ ପଡିଛି । ପାରାଦ୍ବୀପର ଇଲିସି ମାଛ ଖାଇବା ପାଇଁ ଯେଉଁଭଳି ବ୍ୟବସାୟୀ ଓ ଖାଉଟିମାନଙ୍କର ମାଛ ବ୍ୟବସାୟ କେନ୍ଦ୍ରରେ ଭିଡ଼ ଲାଗୁଥିଲା ତାହା ଏବେ ସ୍ବପ୍ନରେ ପରିଣତ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.