ETV Bharat / state

ଜଗତସିଂହପୁରରେ ସୁଧୁରୁଛି ବନ୍ୟା ସ୍ଥିତି, ଘର ମୁଁହା ପ୍ରଭାବିତ ଲୋକେ

author img

By

Published : Aug 6, 2023, 11:01 PM IST

flood situation in jagatsinghpur
ଜଗତସିଂହପୁରରେ ସୁଧୁରୁଛି ବନ୍ୟା ସ୍ଥିତି

ଜଗତସିଂହପୁର ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି । ତିର୍ତ୍ତୋଲ ଓ କୁଜଙ୍ଗ ଅଞ୍ଚଳରେ ବନ୍ୟାପାଣି କମିବା ପରେ ପ୍ରଭାବିତ ଲୋକେ ଘରକୁ ଫେରିଛନ୍ତି । ଅଧିକ ପଢ଼ନ୍ତୁ

ଜଗତସିଂହପୁରରେ ସୁଧୁରୁଛି ବନ୍ୟା ସ୍ଥିତି

ଜଗତସିଂହପୁର: ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି । ତିର୍ତ୍ତୋଲ ଓ କୁଜଙ୍ଗ ଅଞ୍ଚଳରେ ବନ୍ୟାପାଣି କ୍ରମଶଃ ହ୍ରାସ ପାଉଛି । ଯାହାକୁ ନେଇ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ଗତ ଶନିବାର ଦିନ ସନ୍ଧ୍ୟାରେ ତିର୍ତ୍ତୋଲ ନିକଟରେ ମହାନଦୀର ଜଳସ୍ତର 3.5 ମିଟର ରହିଥିବା ବେଳେ ରବିବାର ଏହା ହ୍ରାସ ପାଉଛି । ଫଳରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଵାଭାବିକ ଅବସ୍ଥା ଫେରିବାକୁ ଲାଗିଛି ।

ମହାନଦୀରେ ମାଧ୍ୟମ ଧରଣର ବନ୍ୟା ଯୋଗୁଁ କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର 12ଟି ପଞ୍ଚାୟତରେ ବନ୍ୟାପାଣି ପ୍ରବେଶ କରିଥିଲା । ତରଜଙ୍ଗା ପଞ୍ଚାୟତର କଟକଣା, ଆଦିବାସୀ ପଡା, କୋଲର, ଗୋପିଆକୂଦ, ତିର୍ତ୍ତୋଲ ଆଦିବାସୀ ପଡା, ମଣିଜଙ୍ଗା କୁଜଙ୍ଗ ବ୍ଲକର ଜିଲାନାସି, ହରିପୁର ଆଦି ଗ୍ରାମ ଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲା । ପାଣି ଘେରରେ ବିପଦ ସଂକୁଳ ଅବସ୍ଥାରେ ଶହଶହ ଗ୍ରାମବାସୀ ରହିଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଥିବାରୁ ରବିବାର ସୁଦ୍ଧା ସମସ୍ତ ପ୍ରଭାବିତ ଲୋକେ ନିଜ ଘରକୁ ଫେରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବନ୍ୟା ବିଭୀଷିକା: ବ୍ୟାପକ ପନିପରିବା ଚାଷ ନଷ୍ଟ, ସରକାରୀ ସହାୟତା ଆଶାରେ ଚାଷୀ

ବନ୍ୟା ଯୋଗୁଁ କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର ବିଭିନ୍ନ ଗ୍ରାମର କଚ୍ଚା ଘର ଗୁଡିକ ଭାଙ୍ଗି ଯାଇଥିବାରୁ ପ୍ରଶାସନ ପକ୍ଷରୁ କଚ୍ଚାଘର ଥିବା ବ୍ୟକ୍ତିଙ୍କୁ ପଲିଥିନ ପ୍ରଦାନ କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଡାଇରିଆ ବ୍ୟାପିବାର ସମ୍ଭାବନା ଥିବାରୁ ଦୂଷିତ କୂଅ ଓ ନଳକୂପ ଜଳକୁ ନ ପିଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପାଣି ପିଇବା ପୂର୍ବରୁ ଫୁଟାଇ ହାଲୋଜିନ ବଟିକା ପକାଇ ପିଇବା ପାଇଁ କୁହାଯାଇଛି । ବନ୍ୟା ପାଣି ଖସିଲା ପରେ ପ୍ରଭାବିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ସାପ କାମୁଡ଼ା ରୋଗୀ ଦେଖିବାକୁ ମିଳିଛି ।

ସାପ କାମୁଡ଼ାରେ କିଛି ଲୋକ ଆହତ ହୋଇଛନ୍ତି । ସାପ କାମୁଡ଼ିଥିବା ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାକୁ ଆଣିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବାକୁ ପ୍ରଶାସନ ଅନୁରୋଧ କରିଛି । ବନ୍ୟା ପାଣି ଛାଡ଼ିଗଲା ପରେ ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ ହୋଇଛି । କୁଜଙ୍ଗ ବ୍ଲକ ଅଞ୍ଚଳରେ ହଜାର ହଜାର ଚାଷୀ ନଦୀ ପଠାରେ ପରିବା ଚାଷ କରିଥାନ୍ତି । ବନ୍ୟା ଯୋଗୁଁ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.