ETV Bharat / state

Mahanga Minor Girl Death Case: ଛେଳିଆଗଡ଼ରେ ପହଞ୍ଚି କଟକ ଗ୍ରାମାଞ୍ଚଳ ଏସପିଙ୍କ ତନାଘନା

author img

By

Published : Aug 17, 2023, 10:32 PM IST

Mahanga Minor Girl Death Case
Mahanga Minor Girl Death Case

କଟକ ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା । ଜଗତସିଂହପୁର ଜିଲ୍ଲା ଛେଳିଆଗଡ଼ରେ ପହଞ୍ଚି ତନାଘନା ଆରମ୍ଭ କଲା କଟକ ପୋଲିସ । ଅଧିକ ପଢନ୍ତୁ

Mahanga Minor Girl Death Case: ଛେଳିଆଗଡ଼ରେ ପହଞ୍ଚି କଟକ ଗ୍ରାମାଞ୍ଚଳ ଏସପିଙ୍କ ତନାଘନା

ଜଗତସିଂହପୁର: କଟକ ଜିଲ୍ଲା ମାହଙ୍ଗାର ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଜିଲ୍ଲାରେ ପହଞ୍ଚି ତନାଘନା କରିଛି ପୋଲିସ । କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡାଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଛେଳିଆଗଡ଼ରେ ପହଞ୍ଚି ସମ୍ପୃକ୍ତ ଶିକ୍ଷକ ଓ ତାଙ୍କ ମାଆଙ୍କୁ ପଚରାଉଚରା କରିଛନ୍ତି । ତଦନ୍ତ ପରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦେବେ ବୋଲି କହିଛନ୍ତି ଅତିରିକ୍ତ ଏସପି କୃଷ୍ଣପ୍ରସାଦ ପଟ୍ଟନାୟକ ।

ଜିଲ୍ଲା ମାହାଙ୍ଗା ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ରୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ପରିବାର ଲୋକେ ତରବରିଆ ଭାବରେ ମୃତଦେହକୁ ପୋଡି ଦେଇଥିଲେ । ପରେ ସମ୍ପୃକ୍ତ ଛାତ୍ରୀଙ୍କର ଏକ ହାତଲେଖା ଚିଠି ସହ ଏକ ଅଡିଓ ଭାଇରାଲ ହୋଇଥିଲା। ଏହାପରେ ଛାତ୍ରୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ପ୍ରଶ୍ନ ଉଠିଛି । ଫଳରେ ଛାତ୍ରୀ ମୃତ୍ୟୁ ଘଟଣା ପଛରେ ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ତତ୍ପରତା ଦେଖାଇଛି ।

ଏହା ବି ପଢନ୍ତୁ- ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ପୋଲିସର ତଦନ୍ତ ଆରମ୍ଭ, ନିଜଆଡୁ ମାମଲା ରୁଜୁ କଲା ମହିଳା କମିଶନ

ମୃତ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହିତ କୁଆଡେ ଜଗତସିଂହପୁର ଜିଲ୍ଲା ଛେଳିଆଗଡ଼ର ଶିକ୍ଷକ ଅନୁପ ରାୟଙ୍କ ପ୍ରେମ ସମ୍ପର୍କ ଥିଲା । ଏହା ଜଣା ପଡିବା ପରେ ଛାତ୍ରୀଙ୍କ ଘର ଲୋକେ ଏହାକୁ ବିରୋଧ କରିଥିଲେ। ଫଳରେ ଏ ସମ୍ପର୍କରେ ଦଶମ ଶ୍ରେଣୀ ଛାତ୍ରୀ ଜଣଙ୍କ ଶିକ୍ଷକ ଅନୁପ ରାୟଙ୍କୁ ଚିଠି ଲେଖିଥିଲେ । ସେହି ଚିଠି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ପରିବାର ଲୋକ ଏହି ସମ୍ପର୍କକୁ ବିରୋଧ କରିବା ପରେ ସନ୍ଦେହଜଣକ ଭାବେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ଚପାଇ ଦେବା ପାଇଁ ତରବରିଆ ଭାବେ ଛାତ୍ରୀର ମୃତଦେହକୁ ପରିବାର ପୋଡି ଦେଇଥିବା କୁହାଯାଉଛି ।

ଏଥିରେ ଜଣେ ପ୍ରଭାବଶାଳୀ ନେତାଙ୍କର କୁଆଡେ ହାତ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସମ୍ପୃକ୍ତ ଶିକ୍ଷକଙ୍କର ମାଆଙ୍କ ସହ କଥା ହେଉଥିବା ଅଡିଓ ଭାଇରାଲ ହେବାପରେ ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । କଟକ ଏସପିଙ୍କ ନିର୍ଦ୍ଦେଶରେ ଆଜି ଏକ ସ୍ବତନ୍ତ୍ର ପୋଲିସ ଟିମ ସମ୍ପୃକ୍ତ ଶିକ୍ଷକ ଅନୁପ ରାୟ ଓ ତାଙ୍କ ମାଆଙ୍କୁ ପଚରାଉଚରା କରିଛି। ଦୀର୍ଘ ସମୟ ପଚରା ଉଚାର କରିବା ପରେ ସନ୍ଧ୍ୟାରେ କଟକ ଫେରିଛି ସ୍ବତନ୍ତ୍ର ଟିମ ।

ଏହାକୁ ନେଇ ମଧ୍ୟ ରାଜ୍ୟ ମହିଳା କମିଶନ ଓ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ରିପୋର୍ଟ ତଲବ କରାଯାଇଛି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଶିକ୍ଷକ ଓ ତାଙ୍କ ମାଆଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେପଟେ ତଦନ୍ତ ପରେ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେବେ ବୋଲି କହିଛନ୍ତି ମାମଲାର ତଦନ୍ତ କରୁଥିବା ଅତିରିକ୍ତ ଏସପି କୃଷ୍ଣପ୍ରସାଦ ପଟ୍ଟନାୟକ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.