ETV Bharat / state

2024 ନିର୍ବାଚନକୁ ନେଇ ବିଜେଡି ନେତାଙ୍କ ସହ ପ୍ରଣବ ପ୍ରକାଶ ଦାସଙ୍କ ରୁଦ୍ଧଦ୍ବାର ବୈଠକ

author img

By

Published : Jun 18, 2023, 9:53 AM IST

ଜଗତସିଂହପୁର ଜିଲ୍ଲାରେ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । 2024 ସାଧାରଣ ନିର୍ବାଚନରେ ଦଳର ଭଲ ପଦର୍ଶନ ନେଇ ରୁଦ୍ଧଦ୍ବାର ବୈଠକ । ଅଧିକ ପଢ଼ନ୍ତୁ

bjd executive meeting in jagatsinghpur
ଜଗତସିଂହପୁରରେ ବିଜେଡିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଜଗତସିଂହପୁରରେ ବିଜେଡିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଜଗତସିଂହପୁର: ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେଡି ସାଙ୍ଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ ବୈଠକରେ ଅଧ୍ୟକ୍ଷତା କରିଥିଲେ । 2024 ସାଧାରଣ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ତାକୁ ନେଇ ଏକ ରୁଦ୍ଧଦ୍ବାର ବୈଠକ ବସିଥିଲା । ଏଥିରେ ବିଜେଡିର ବରିଷ୍ଠ ନେତା ତଥା ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ, ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ରାଜଶ୍ରୀ ମଲ୍ଲିକ, ତର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରମୁଖ ନେତା କର୍ମୀଙ୍କ ସହ ଆଲୋଚନା କରିଥିଲେ ।

ଜଗତସିଂହପୁର ଜିଲ୍ଲାର 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଗୋଟିଏ ଲୋକସଭା ଆସନ ରହିଛି । ଏହି ସମସ୍ତ ନିର୍ବାଚନ ମଣ୍ଡଳୀରେ କିଭଳି ବିଜେଡିର ସଂଗଠନ ସୃଦୃଢ ହେବ ତାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଦିନକୁ ଦିନ ଜଗତସିଂହପୁର ଜିଲ୍ଲା ବିଜେଡିରେ ଗୋଷ୍ଠୀ ବିବାଦ ଓ ଦଳୀୟ ନେତାଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ଘନେଇବାରେ ଲାଗିଛି । ଏଥିରେ ରୋକ ଲଗାଇବାକୁ ରାଜ୍ୟ ସାଙ୍ଗଠନିକ ଦାୟିତ୍ଵରେ ଥିବା ପ୍ରଣବ ପ୍ରକାଶ ଦାସ ଆସି ପ୍ରୟାସ କରିଥିବା ଆଲୋଚନା ହେଉଛି ।

ତେବେ ଏହି ସାଙ୍ଗଠନିକ ବୈଠକରେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଦେଖିବାକୁ ମିଳି ନଥିଲା । ସେ ସମ୍ପର୍କରେ ବିଜେଡିର କୌଣସି ନେତା ମୁହଁ ଖୋଲିନାହାନ୍ତି । ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ କହିଛନ୍ତି ଯେ, "ଜଗତସିଂହପୁର ଜିଲ୍ଲାରେ ବିଜୁ ଜନତାଦଳର ସ୍ଥିତି ସୁଦୃଢ ରହିଛି । 2019 ସାଧାରଣ ନିର୍ବାଚନରେ ଦଳ ଯେତିକି ଭୋଟ ପାଇଥିଲା ତା'ଠାରୁ ଯଥେଷ୍ଟ ପରିମାଣର ଭୋଟ ବ୍ୟବଧାନ ବଢିବାର ସମ୍ଭାବନା ରହିଛି । ରାଜ୍ୟରେ ବିଜେଡି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗାଁ ଗାଁରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଛି ।"

ଜିଲ୍ଲାର ବିକାଶ କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ଆଗକୁ ବଢିଥିବା ଅରୁଣ ସାହୁ କହିଛନ୍ତି । ଗାଁ ଗାଁରେ ମହିଳା ମାନଙ୍କ ପାଇଁ ଏହି ସରକାର ବହୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ବିଜେଡି ରେକର୍ଡ ସଂଖ୍ୟକ ଭୋଟ ପାଇବ ବୋଲି ସେ ଆଶା ପ୍ରକଟ କରିଥିଲେ । ତେବେ ବିଜେଡିର ଗୋଷ୍ଠୀ ବିବାଦର ପ୍ରଶ୍ନକୁ ପର୍ଯ୍ୟବେକ୍ଷକ ଅରୁଣ ସାହୁ ଏଡାଇ ଦେଇଥିଲେ । ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ଛାମୁଆ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.