ETV Bharat / state

ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା, ନ୍ୟାୟ ଦାବିରେ ଆଶାକର୍ମୀ ସଂଘର ଥାନା ଘେରାଉ

author img

By

Published : Aug 29, 2022, 8:57 PM IST

asha workers protest demands for justice in paradeep
ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା, ନ୍ୟାୟ ଦାବିରେ ଆଶାକର୍ମୀ ସଂଘ ପକ୍ଷରୁ ଥାନା ଘେରାଉ

ଜଗତସିଂହପୁର ପାରାଦ୍ବୀପ ବନ୍ଦରାଞ୍ଚଳରେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା । ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ଆଦର୍ଶ ଥାନା ଘେରାଉ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ ।

ପାରାଦୀପ: ଆଶାକର୍ମୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ ଘଟଣା (Asha Worker Gang Rape Case) । ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ । ପାରାଦୀପ ଆଦର୍ଶ ଥାନା ଘେରାଉ କରି (asha workers protest) ତିନି ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ୨୬ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦର ଅଞ୍ଚଳରେ ଜଣେ ଆଶାକର୍ମୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା ।

ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା

ଏହି ଘଟଣାକୁ ନେଇ ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ଥାନାରେ ପ୍ରତିବାଦ କରିଥିଲେ । ପୀଡ଼ିତାଙ୍କୁ ସୁରକ୍ଷା ଦେବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏନେଇ ଅଶାକର୍ମୀ କହିଛନ୍ତି, " ଲୋକଙ୍କ ସ୍ବାସ୍ଥ୍ୟ ପାଇଁ କାର୍ଯ୍ୟ କରୁଥିବା ଆଶାକର୍ମୀଙ୍କ ଜୀବନ ଆଜି ଅସୁରକ୍ଷିତ । ପୀଡ଼ିତାଙ୍କୁ ନ୍ୟାୟ ମିଳୁ ଏବଂ ଅଭିଯୁକ୍ତଙ୍କୁ ତୁରନ୍ତ ଦଣ୍ଡ ବିଧାନ କରାଯାଉ ।" ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Asha Worker Gang Rape Case, ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଗିରଫ

ସୂଚନା ମୁତାବକ, ଗତ ୨୬ ତାରିଖରେ ଆଶାକର୍ମୀ ଜଣକ ନୂଆବଜାରରୁ ଘରକୁ ଫେରୁଥିବା ସମୟରେ ଏଭଳି ଘଟଣା ଘଟିଥିଲା । ନିଛାଟିଆ ରାସ୍ତାରେ ଜଣେ ମହିଳାଙ୍କୁ ଏକୁଟିଆ ପାଇ ୪ ଜଣ ଯୁବକ ଏକ ନାଲି ରଙ୍ଗର କାରରେ ନେହେରୁ ବଙ୍ଗଳା ନିକଟ ଜଙ୍ଗଲକୁ ନେଇ ସେଠାରେ ବଳାତ୍କାର କରିଥିବା ସେ ଅଭିଯୋଗ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଆଶା କର୍ମୀଙ୍କୁ ବଳତ୍କାର କରିଥିବା ବେଳେ ଅନ୍ୟ ୩ ଜଣ ତାଙ୍କୁ ସହଯୋଗ କରିଥିଲେ ବୋଲି ଏତଲାରେ ଦର୍ଶାଇଥିଲେ ।

ଏ ସମ୍ପର୍କରେ ଖବର ପାଇବା ପରେ ପାରାଦ୍ବୀପ ଆଦର୍ଶ ଥାନା ପକ୍ଷରୁ ପୀଡିତାଙ୍କୁ ସେଠାରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରାଯାଇଥିଲା । ପୀଡ଼ିତାଙ୍କ ଡାକ୍ତରୀ ମାଇନା ଓ ବୟାନ ରେକର୍ଡ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରି ପଚରା ଉଚରା ଚଳାଇଛି । ଅପର ପକ୍ଷରେ ପୋଲିସ ପୀଡିତାଙ୍କୁ କୁଜଙ୍ଗ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଇ ବୟାନ ରେକର୍ଡ କରାଇଛି । ପୋଲିସ ଏ ପର୍ଯ୍ୟନ୍ତ ମାତ୍ର ୨ ଜଣଙ୍କୁ ଗିରଫ କରିବା ସହ ନାଲି କାରକୁ ଜବତ କରିଛି । ଏବେବି ଅନ୍ୟ ଦୁଇଜଣଙ୍କୁ ଧରିବାରେ ପୋଲିସ ସଫଳ ହୋଇନାହିଁ । ୨୬ ତାରିଖରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହୋଇନଥିବା ଘଟଣାକୁ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ ପ୍ରତିବାଦ କରିଛି ।

ଇଟିଭି ଭାରତ, ପାରାଦୀପ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.