ETV Bharat / state

ତାଲାବନ୍ଦ ଘରୁ ଫାଷ୍ଟଫୁଡ ମାଲିକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

author img

By ETV Bharat Odisha Team

Published : Dec 4, 2023, 7:55 AM IST

ତାଲାବନ୍ଦ ଘରୁ ଫାଷ୍ଟଫୁଡ ମାଲିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର
ତାଲାବନ୍ଦ ଘରୁ ଫାଷ୍ଟଫୁଡ ମାଲିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

ଗଞ୍ଜାମର ଗୋପାଳପୁର ଅଞ୍ଚଳରୁ ତାଲାବନ୍ଦ ଘରୁ ଫାଷ୍ଟଫୁଡ ମାଲିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି । ଅଧିକ ପଢନ୍ତୁ


ବ୍ରହ୍ମପୁର: ତାଲାବନ୍ଦ ଘରୁ ଫାଷ୍ଟଫୁଡ ମାଲିକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ଅନ୍ତର୍ଗତ ରେଉ ସାହିରେ ଏକ ଭଡ଼ା ଘର ମଧ୍ୟରୁ ଜଣେ ଫାଷ୍ଟଫୁଡ ମାଲିକଙ୍କ ସନ୍ଦେହ ଜନକ ଅବସ୍ଥାରେ ଗଳିତ ମୃତଦେହ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଛି l ପୋଲିସ ସୂଚନା ଅନୁଯାୟୀ, "ମୃତ ଯୁବକ ଜଣଙ୍କ ହେଲେ ଗଞ୍ଜାମର ଗାଙ୍ଗପୁର ଥାନାର ଖଇରପୁଟି ଗ୍ରାମର ୩୭ ବର୍ଷୀୟ ଜଗନ୍ନାଥ ନାୟକ । ମୃତକ ଜଗନ୍ନାଥ ଗତ ଜୁଲାଇ ମାସରୁ ଗୋପାଳପୁର ବସଷ୍ଟାଣ୍ଡ ଏବଂ ପରେ ବେଳାଭୂମି ଅଞ୍ଚଳରେ ଏକ ଫାଷ୍ଟଫୁଡ ଦୋକାନରୁ ବ୍ୟବସାୟ କରିଆସୁଥିଲେ । ଏଥିସହ ଗତ ତିନି ମାସ ଧରି ଗୋପାଳପୁର NACର ରେଉ ସାହିରେ ଭଡ଼ା ନେଇ ଅନ୍ୟ ତିନି ଜଣ ଯୁବକଙ୍କ ସହ ରହିଆସୁଥିଲେ ।"

ଏହାମଧ୍ୟ ପଢନ୍ତୁ.. ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସରପଞ୍ଚଙ୍କ ପୁଅର ମୃତଦେହ ଉଦ୍ଧାର, କମେଣ୍ଟ ମରାକୁ ବିରୋଧ କରିବାରୁ ହତ୍ୟା !

ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୮ ତାରିଖରେ ମୃତ ଯୁବକର ସାନ ଭାଇ ପୂର୍ଣଚନ୍ଦ୍ର ନାୟକ ଅପରାହ୍ନ ୪ ଟା ସମୟରେ ଫୋନ ଯୋଗେ ଭାଇ ସହ କଥା ହୋଇଥିଲେ ଏବଂ ୨୯ ତାରିଖ ଦିନ ସକାଳ ୫ ଟା ସମୟରେ ପୁଣି ଫୋନ କରିବା ବେଳେ ମୋବାଇଲ ବନ୍ଦ ରହିଥିଲା l ଏହାପରେ ଗୁରୁବାର ଦିନ ସାନ ଭାଇ ଗୋପାଳପୁରରେ ପହଞ୍ଚି ଜଗନ୍ନାଥଙ୍କ ଘରକୁ ଯାଇ ଖୋଜାଖୋଜି କରିବା ସହ ଘର ସମ୍ମୁଖରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ । ତେବେ ଜଗନ୍ନାଥଙ୍କ ମୋଟରସାଇକେଲ ସେଠାରେ ରହିଥିବା ଦେଖି ବାହାରକୁ କୁଆଡ଼େ ଯାଇଥିବା ଭାବି ଫେରି ଯାଇଥିଲେ ।

ହେଲେ ରବିବାର ସକାଳ ସୁଦ୍ଧା ଜଗନ୍ନାଥଙ୍କ କୌଣସି ଖବର ନମିଳିବାରୁ ସକାଳେ ମୃତକଙ୍କ ଭାଇ ପୁଣି ଥରେ ଗୋପାଳପୁର ପହଞ୍ଚି ଭଡ଼ା ଘରୁ ନିକଟକୁ ଯାଇଥିଲେ । ହେଲେ ତାଲାବନ୍ଦ ଘର ମଧ୍ୟରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ଜାଣି ସେ ଏନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରିବାର ବର୍ଗଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ପହଞ୍ଚି କନିଷି ଅତିରିକ୍ତ ତସିଲଦାରଙ୍କ ଉପସ୍ଥିତିରେ ଘରର ତାଲା ଭାଙ୍ଗିଥିଲା । ଏହାପରେ ଘର ମଧ୍ୟରେ ଜଗନ୍ନାଥଙ୍କ ଗଳିତ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲା ପୋଲିସ ।

ଏହାମଧ୍ୟ ପଢନ୍ତୁ.. ନବରଙ୍ଗପୁରରେ ଡବଲ ମର୍ଡର, ଦୁଇ ବର୍ଷର ଶିଶୁ ଓ ପଡୋଶୀଙ୍କୁ ହତ୍ୟା

ଅନ୍ୟପଟେ ସାଇଟିଫିକ ଟିମ ଘଟଣା ସ୍ଥଳରୁ ନମୂନା ସଂଗ୍ରହ ସହ ମୃତଦେହ ନିକଟରେ ପଡ଼ିଥିବା ଏକ ପଥର ସହ ଏକ ଲୁହା କବଜା, ଜଗନ୍ନାଥଙ୍କ ମୋବାଇଲ ଫୋନକୁ ଜବତ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା. ଶ୍ରବଣା ବିବେକ ଏମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି l

ମୃତକଙ୍କ ଭାଇଙ୍କ ପକ୍ଷରୁ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ଉକ୍ତ ଅଭିଯୋଗକୁ ଭିତ୍ତି କରି ୪୯୬/୨୩ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଉକ୍ତ ଘରେ ମୃତ ଜଗନ୍ନାଥଙ୍କ ସହ ରହୁଥିବା ଅନ୍ୟ ଦୁଇ ଯୁବକଙ୍କ ସହ ଯୋଗାଯୋଗ କରାଯାଇ ତଦନ୍ତ କରାଯାଉଥିବା ଜଣାଯାଇଛି । ମୃତ ଜଗନ୍ନାଥଙ୍କ ସହ କୁଲାଡ଼ ନିକଟସ୍ଥ ବାଉଡା ଗ୍ରାମର ରାଜେଶ ପ୍ରଧାନ, ଆସିକା ଅଞ୍ଚଳର କାରିଗର ଜୟନ୍ତ ପଣ୍ଡାଙ୍କ ସହ ରହି ଆସୁଥିଲେ। ତେବେ ମୃତ ଯୁବକ ଜଣକ ବ୍ୟବସାୟ କରିବା ସହ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକର ଏକ ଖବରକାଗଜର ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି ।



ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.