ETV Bharat / state

ଗଞ୍ଜାମରେ ଫସଲ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

author img

By ETV Bharat Odisha Team

Published : Dec 7, 2023, 7:49 AM IST

Etv Bharat
Etv Bharat

ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଏକର ଏକର ଜମିରେ ବ୍ୟାପକ ଫସଲ ନଷ୍ଟ । ଗଞ୍ଜାମ ଜିଲ୍ଲାରେ ଏହି ଫସଲ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ


ବ୍ରହ୍ମପୁର: ବାତ୍ୟା ମିଗଜୋମ୍ ପ୍ରଭାବରେ ଭିଜିଛି ଓଡ଼ିଶା । ଗଞ୍ଜାମ ଜିଲ୍ଲାରେ ଗତ ଦୁଇ ଦିନ ଧରି ପାଗ କୋହଲା ରହିବା ସହିତ ମଙ୍ଗଳବାରୁ ଠାରୁ ବର୍ଷା ଜାରି ରହିଛି । ଏହି ବର୍ଷା ଚାଷୀକୂଳକୁ ଖୁବ୍ ପ୍ରଭାବିତ କରିଛି । ବର୍ତ୍ତମାନ ଫସଲ ଅମଳ ସମୟ ଥିବାରୁ ବର୍ଷା ହେବା ଫଳରେ ଏକର ଏକର ଜମିରେ ପାଣି ଲହଡି ଭାଙ୍ଗୁଛି । ତେବେ ବାତ୍ୟା ଜନିତ ବର୍ଷାକୁ ନେଇ ଜିଲ୍ଲା ସ୍ତରରେ ଏକ ପ୍ରସ୍ତୁତି ବୈଠକ କରାଯାଇ କୃଷିଜାତ ଦ୍ରବ୍ୟର ସୁରକ୍ଷା ଲାଗି କୃଷି ବିଭାଗ ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯିବା ସହିତ ଏନେଇ ବ୍ୟାପକ ସଚେତନତା କରାଯାଇଥିଲା । ଯେଉଁ ଚାଷଙ୍କ ଧାନ କଟାଯାଇଛି ତାହାକୁ ଚାଷ ଜମିରେ ନରଖି ଉପଯୁକ୍ତ ସ୍ଥାନରେ ସଂରକ୍ଷଣ କରିବାକୁ ପରାମର୍ଶ ଦିଆଯାଇଥିଲା । ତଥାପି ଅନେକ ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି ଘଟିଥିବା ଆଶଙ୍କା କରାଯାଉଛି ।

ଏହି ପରିପ୍ରେକ୍ଷୀରେ ବୁଧବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଭିଡିଓ କନଫେରନ୍ସ ବୈଠକ ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଫସଲ କ୍ଷୟକ୍ଷତିର ଆକଳନ କରି ପୂର୍ବରୁ ରିପୋର୍ଟ ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ କମ ବର୍ଷା ଯୋଗୁଁ ମଧ୍ୟ ଜିଲ୍ଲାର କେତେକ ସ୍ଥାନରେ ଚାଷ କାର୍ଯ୍ୟର କ୍ଷୟକ୍ଷତି ଘଟିଛି । ଏହି ସମସ୍ତ ତଥ୍ୟ ଆକଳନ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଭରଣା କରିବା ପାଇଁ ନିର୍ଦ୍ଦେଶ ପାଇବା ପରେ ଏହି ସମସ୍ତ ତଥ୍ୟକୁ ଆଧାର କରି ପଦକ୍ଷେପ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ: ଏସଆରସି ମାଗିଲେ ମିଗଜୋମ ପ୍ରଭାବରେ କ୍ଷୟକ୍ଷତି ରିପୋର୍ଟ

ଗଞ୍ଜାମ ଜିଲ୍ଲାରେ ୫-ଟି ଅନ୍ତର୍ଗତ ଚାଲିଥିବା ଆମ କଲେଜର ସ୍ମାର୍ଟ କ୍ଲାସ, ଶୌଚାଳୟ, ପାଠାଗାର ଇତ୍ୟାଦିର କାର୍ଯ୍ୟ ଫେବ୍ରୁଆରୀ ମାସ ସୁଦ୍ଧା ଶେଷ ହେବ । ଯେଉଁ ମହାବିଦ୍ୟାଳୟଗୁଡିକରେ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯିବ ତାହାର ଟେଣ୍ଡର ପ୍ରକ୍ରିୟା ଶେଷ କରି ଯେମିତି ଉତ୍ତମ ମାନର କାର୍ଯ୍ୟ ହୋଇପାରିବ ତାହାକୁ ମଧ୍ୟ ତଦାରଖ କରିବାକୁ କୁହାଯାଇଛି । ମୋ ସ୍କୁଲ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉପଜିଲ୍ଲାପାଳଗଣ ସମୀକ୍ଷା କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି ।

ଏହି ବୈଠକରେ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁଙ୍କ ସମେତ ତିନି ଗୋଟି ଉପଖଣ୍ଡର ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.