ETV Bharat / state

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ଯବାନଙ୍କ ଶେଷକୃତ୍ୟ

author img

By ETV Bharat Odisha Team

Published : Dec 8, 2023, 9:46 AM IST

ଗଞ୍ଜାମରେ ଯବାନଙ୍କୁ ହତ୍ୟା ଘଟଣା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ସମ୍ପନ୍ନ ହେଲା ଯବାନଙ୍କ ଶେଷକୃତ୍ୟ । ଅଧିକ ପଢ଼ନ୍ତୁ

ଗଞ୍ଜାମରେ ଯବାନଙ୍କୁ ହତ୍ୟା ଘଟଣା
ଗଞ୍ଜାମରେ ଯବାନଙ୍କୁ ହତ୍ୟା ଘଟଣା

ବ୍ରହ୍ମପୁର: ଗଞ୍ଜାମରେ ଭାରତୀୟ ସେନାର ଯବାନଙ୍କୁ ହତ୍ୟା ଘଟଣା । ଗୁରୁବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୃତ ଯବାନଙ୍କ ଶେଷକୃତ୍ୟ ଜନ୍ମମାଟିରେ ସମ୍ପନ୍ନ ହୋଇଛି । ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ରାତିରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ଅନ୍ୟପଟେ ଏହି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଯଥାଶୀଘ୍ର ଅନ୍ୟମାନଙ୍କୁ ଧରିବା ପାଇଁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି । ମୃତ ଯବାନଙ୍କ ୧୦ ଦିନର କନ୍ୟା ସନ୍ତାନ ଥିବାବେଳେ ସ୍ବାମୀଙ୍କ ଉଚିତ୍ ନ୍ୟାୟ ଦେବାକୁ ପତ୍ନୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସଂଘବଦ୍ଧ ଆକ୍ରମଣରେ ଆଖି ବୁଜିଲେ ଯବାନ, ଜଣେ ଅଟକ

ସୂଚନା ଥାଉକି, ମୃତ ଯବାନ ହେଲେ ଜି ଡିଲେଶ୍ବର ପାତ୍ର ଏବଂ ଘର ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ କାଲିପଲ୍ଲୀ ଅଞ୍ଚଳରେ । ସେ ଭାରତୀୟ ସ୍ଥଳସେନାର କାର୍ଯ୍ୟରତ ଥିବାବେଳେ କିଛି ଦିନ ହେଲା ଛୁଟିରେ ଘରକୁ ଆସିଥିଲେ । ସେ ଗତ ରବିବାର ଗୋପାଳପୁର ଅଞ୍ଚଳକୁ କ୍ରିକେଟ ଖେଳ ଦେଖିବାକୁ ଯାଇଥିଲେ । ସେଠାରେ କିଛି ଲୋକଙ୍କ ସହ ତାଙ୍କ ସାମାନ୍ୟ କଥାକଟା ଓ ବଚସା ହୋଇଥିଲା । ଏହାପରେ ଖେଳ ଦେଖି ଫେରୁଥିବା ବେଳେ ଚମାଖଣ୍ଡି ଥାନା ଅଞ୍ଚଳର ହରିପୁରଠାରେ କିଛି ଲୋକେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଯବାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବ୍ରହ୍ମପୁର ଏବଂ ପରେ ରାଜଧାନୀର ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ୨୦୨୨ ରାଜଭବନ ଚନ୍ଦୁ ହତ୍ୟା ଘଟଣା, ହତ୍ୟାକାରୀ କାହ୍ନାକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର ଘରୋଇ ହସ୍ପିଟାଲରୁ ତାଙ୍କର ମରଶରୀର ଗାଁରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ଶହ ଶହ ଜନସାଧାରଣ ଏକତ୍ରିତ ହୋଇଥିଲେ । ଏହାପରେ ଗ୍ରାମର ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିଲା । ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି । ଘଟଣାରେ ପୋଲିସ ଜଣକୁ ଅଟକ ରଖିଥିବା ଯଥାଶୀଘ୍ର ଅନ୍ୟମାନଙ୍କୁ ଧରିବା ପାଇଁ ଯବାନଙ୍କ ପରିବାର ବର୍ଗ ଦାବି କରିଛନ୍ତି । ଦୋଷୀଙ୍କ ଖୁବଶୀଘ୍ର ଧରି କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ମୃତକଙ୍କ ପତ୍ନୀ । ତେବେ ଯବାନଙ୍କ ମାତ୍ର ୧୦ ଦିନର ଝିଅ ଥିବାବେଳେ ତାଙ୍କର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।


ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.