ETV Bharat / state

Durga Puja Special: ଦିବ୍ୟ ରୂପରେ ଦର୍ଶନ ଦେଉଛନ୍ତି ମା’ ତାରାତାରିଣୀ, ଜମୁଛି ଭକ୍ତଙ୍କ ଭିଡ

author img

By ETV Bharat Odisha Team

Published : Oct 18, 2023, 10:54 PM IST

ଶାରଦୀୟ ନବରାତ୍ର ପୂଜାକୁ ନେଇ ଉତ୍ସବ ମୁଖରେ ତାରାତାରିଣୀ ପୀଠ
ଶାରଦୀୟ ନବରାତ୍ର ପୂଜାକୁ ନେଇ ଉତ୍ସବ ମୁଖରେ ତାରାତାରିଣୀ ପୀଠ

ଶାରଦୀୟ ନବରାତ୍ର ପୂଜାକୁ ନେଇ ଉତ୍ସବ ମୁଖରେ ତାରାତାରିଣୀ ପୀଠ । ମା’ଙ୍କ ଦୁର୍ଲଭ ବେଶର ଦର୍ଶନ କରିବା ପାଇଁ ଦେଶର କୋଣ ଅନୁକୋଣରୁ ଲାଗୁଛି ଭକ୍ତଙ୍କ ଭିଡ । ଅଧିକ ପଢନ୍ତୁ

ଶାରଦୀୟ ନବରାତ୍ର ପୂଜାକୁ ନେଇ ଉତ୍ସବ ମୁଖରେ ତାରାତାରିଣୀ ପୀଠ

ବ୍ରହ୍ମପୁର: ଶାରଦୀୟ ନବରାତ୍ର ପୂଜାକୁ ନେଇ ଉତ୍ସବ ମୁଖରେ ସାରା ରାଜ୍ୟ । ବିଭିନ୍ନ ଦେବୀ ପୀଠରେ ଚାଲିଛି ମା’ ଜଗତଜନନୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଏହି ଅବସରରେ ରାଜ୍ୟ ତଥା ଦେଶର ପ୍ରମୁଖ ଶକ୍ତିପୀଠ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ମନ୍ଦିରରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା । ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତି ଅନୁଯାୟୀ ପୀଠରେ କରାଯାଉଛି ପୁଜାର୍ଚ୍ଚନା । ମାଆଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦେଖିବାକୁ ମିଳିଛୁ ଭକ୍ତଙ୍କ ସମାଗମ ।

ମା’ ତାରାତାରିଣୀ ପୀଠ ପୂଜକ ବାପୁଜି ରଣା କହିଛନ୍ତି, ‘‘ରାଜ୍ୟ ତଥା ଦେଶର ପ୍ରମୁଖ ଶକ୍ତି ପୀଠ ରୂପେ ପରିଚିତ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାଆ ତାରାତାରିଣୀ ପୀଠ । ଜିଲ୍ଲାର ପୁରଷୋତ୍ତମପୁର ନିକଟବର୍ତ୍ତୀ ରଷିକୁଲ୍ୟା ନଦୀ ତଟର ପର୍ବତ ଶିଖରରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ମା’ ଯୋଗମାୟା । ଏହି ଶାରଦୀୟ ପୂଜା ସମୟରେ ମା’ଙ୍କ ପୁଜାର୍ଚ୍ଚନା ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥାଏ ସମଗ୍ର ଅଞ୍ଚଳ । ମୂଳାଷ୍ଟମୀ ଦିନ ରଷିକୁଲ୍ୟା ନଦୀରୁ ଜଳ ଆଣିବା ପରେ ମା’ଙ୍କର ମହାସ୍ନାନ ପରେ ରୀତିନୀତିରେ ଆରମ୍ଭ ହେଉଥାଏ ଶାରଦୀୟ ପୁଜା ସହ ଷୋଡଶ ଦିନାତ୍ମକ ପୂଜା । ଯାହାକି ମହାଷ୍ଟମୀରେ ଶେଷ ହୋଇଥାଏ । ମା’ଙ୍କ ଏହି ଦୁର୍ଲଭ ଦର୍ଶନ କରିବା ପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ସମାଗମ ହୋଇଥାଏ । ’’

ତାରାତାରିଣୀ ପୀଠର କିମ୍ବଦନ୍ତୀ: ପୌରାଣିକ ମତ ଅନୁଯାୟୀ ମା‘ ସତୀଙ୍କ ଶରୀର ବିଭିନ୍ନ ଅଙ୍ଗ ଯେଉଁ ସ୍ଥାନଗୁଡିକରେ ପଡିଥିଲା ସେହି ଗୁଡିକ ଏକଏକ ଶକ୍ତୀପୀଠ ରୂପେ ପରିଚିତ । ସେହିଭଳି ମାଆ ତାରାତାରିଣୀ ପୀଠର ଅବସ୍ଥିତି ଅନୁଯାୟୀ ମାଆଙ୍କ ସ୍ତନ ଏହି ସ୍ଥାନରେ ପଡି ଥିବାରୁ ଏହାକୁ ଆଧାର ପୀଠ ମଧ୍ୟ କୁହାଯାଏ । ଯାହାକୁ ନେଇ ମା‘ ଦୁଇ ଭଉଣୀ ରୂପରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସାମାଜିକ ଓ ଆଧ୍ୟାତ୍ମିକତାର ବାର୍ତ୍ତା ବାଣ୍ଟିବ ପୂଜା ପେଣ୍ଡାଲ

ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ଓ ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ପ୍ରତ୍ୟେକ ବର୍ଷା ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ମାଆଙ୍କ ନିକଟରେ ଯାହା ମାନସିକ କରାଯାଇଥାଏ ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଅଛି । ଅନ୍ୟପଟେ ପାର୍ବଣ ଉପଲକ୍ଷେ ମାଆଙ୍କ ପୀଠରେ ଭକ୍ତମାନେ ଅଖଣ୍ଡ ଦୀପଦାନ ଜାଳି ପଶୁ ବଳି ଦେବାର ପରମ୍ପରା ରହିଥାଏ । ମାତ୍ର ପଶୁ ବଳି ଉଚ୍ଛେଦ ପରେ ବିଧି ବ୍ୟବସ୍ଥା ଅନୁଯାୟୀ କେବଳ ପୁଷ୍ପାଣ୍ଡ ବଳିରେ ମା’ଙ୍କ ସନ୍ତୁଷ୍ଟ କରୁଛନ୍ତି ଭକ୍ତ । ମାଆଙ୍କର ସକାଳ ଓ ସନ୍ଧ୍ୟା ସମୟର ଆଳତୀକୁ ଦର୍ଶନ କରିବା ପାଇଁ ଜମୁଛି ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.