ETV Bharat / state

ମା’ ଝିଅ ମୃତ୍ୟୁର ଖୋଲିଲା ରହସ୍ୟ, ନାଗସାପ ଛାଡି ହତ୍ୟା କରିଥିଲା ସ୍ବାମୀ

author img

By ETV Bharat Odisha Team

Published : Nov 23, 2023, 10:11 PM IST

Updated : Nov 23, 2023, 10:51 PM IST

Man kills wife using snake
Man kills wife using snake

ସନ୍ଦେହ ପାଇଁ ସ୍ବାମୀ ପାଲଟିଲା ସୈତାନ । ପତ୍ନୀ ଓ ୨ବର୍ଷର ଝିଅ ଶୋଇଥିବା ବେଳେ ପାଖକୁ ନାଗସାପ ଛାଡି ହତ୍ୟା । ଅଧିକ ପଢନ୍ତୁ

ମା’ ଝିଅ ମୃତ୍ୟୁର ଖୋଲିଲା ରହସ୍ୟ, ନାଗସାପ ଛାଡି ହତ୍ୟା କରିଥିଲା ସ୍ବାମୀ

ବ୍ରହ୍ମପୁର: ବିଷଧର ସର୍ପକୁ ବ୍ୟବହାର କରି ନିଜର ବିବାହିତ ପତ୍ନୀ ଓ ଦୁଇ ବର୍ଷର ଛୁଆକୁ ହତ୍ୟା । ପତ୍ନୀ ଓ ସନ୍ତାନ ଶୋଇଥିବା ବେଳେ ପାଖକୁ ଛାଡ଼ିଥିଲା ବିଷଧର ନାଗସାପ । ଆଉ ସାପ ଦଂଶନରେ ଶେଷରେ ଆଖି ବୁଜିଛନ୍ତି ମହିଳା ଓ ୨ ବର୍ଷର ଶିଶୁକନ୍ୟା । ଏଭଳି ଛାତିଧରା ଘଟଣା ଗଞ୍ଜାମ ଜିଲ୍ଲାର ଅଢେଇବର ଗ୍ରାମରେ ଘଟିଛି । କବିସୂର୍ଯ୍ୟନଗର ଥାନା ପୋଲିସ ଏଭଳି ଏକ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ କରିଥିବା ବେଳେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡରୁ ନିଜକୁ ରକ୍ଷା କରିବା ଲାଗି ସ୍ବାମୀ ହିଁ ଏପରି ଭୟାନକ କାଣ୍ଡ ଘଟାଇଥିବା ପୋଲିସ କହିଛି ।

ଘଟଣା ରହିଥିଲା ଏଭଳି:- ଗଞ୍ଜାମ ଜିଲ୍ଲାର ଅଢେଇବର ଗ୍ରାମର ବି.ଖଲି ପାତ୍ରଙ୍କ ଦ୍ଵିତୀୟ ଝିଅ ବାସନ୍ତୀ ପାତ୍ରଙ୍କ ସହିତ ଉକ୍ତ ଗ୍ରାମର କେ.ଧନୁ ପାତ୍ରଙ୍କ ସାନ ପୁଅ କେ ଗଣେଶ ପାତ୍ରଙ୍କ ୩ ବର୍ଷ ତଳେ ବିବାହ ହୋଇଥିଲା । ହେଲେ ନିଜର ସ୍ତ୍ରୀଙ୍କ ଉପରେ ସନ୍ଦେହ ହେବା ସହିତ ଏହାକୁ ନେଇ ଗତ ବର୍ଷ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏନେଇ ବାସନ୍ତୀ ନିଜ ସ୍ବାମୀ ଗଣେଶଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ମାମଲାରେ ଗଣେଶ ଥାନାରୁ ଲିଖିତ ପ୍ରତିଶ୍ରୁତି ଦେବା ସହ ଧାରା-୪୧ରେ ଜାମିନରେ ଆସିଥିଲେ । ଏହାପରେ ଉଭୟ ଗତ କିଛି ମାସ ହେଲା ପୁଣି ଏକାଠି ଗଣେଶଙ୍କ ଘରେ ମିଳିତ ରହୁଥିଲେ । ବିଭିନ୍ନ ସମୟରେ ଗଣେଶ ଅଭିଯୋଗକୁ ଫେରାଇ ନେବା ପାଇଁ ବାସନ୍ତୀଙ୍କ ଉପରେ ଚାପ ପକାଇବା ସହ ତାଙ୍କୁ ଓ ଦୁଇ ବର୍ଷର ଝିଅକୁ ଜୀବନରୁ ମାରିଦେବାକୁ ଧମକ ଦେଇ କୁଆଡେ ଆସୁଥିଲେ।

murder
ଅଭିଯୁକ୍ତ ସ୍ବାମୀ

ଗତ ଅକ୍ଟୋବର ମାସ ୭ ତାରିଖ ଭୋର ସକାଳ ୫ଟା ସମୟରେ ନିଜ ଘରେ ଥାଇ ଗଣେଶ ବହୁ ଜୋରରେ ପାଟି କରିବାରୁ ସମସ୍ତ ସାହି ବାସିନ୍ଦା ଘର ସମ୍ମୁଖରେ ଏକାଠି ହୋଇଥିଲେ । ଏହି ସମୟରେ ବାସନ୍ତୀଙ୍କ ବାପା ଖଲି ପାତ୍ର ଘର ଭିତରକୁ ଯାଇ ଦେଖିବା ସମୟରେ ଗଣେଶ ହାତରେ ବାଡ଼ିଟିଏ ଧରି ଗୋଟିଏ ବିଷଧର ନାଗ ସାପକୁ ବାଡଉଛି ଏବଂ ନିକଟରେ ଝିଅ ଓ ନାତୁଣୀ ଶୋଇ ରହିଛନ୍ତି । ସଙ୍ଗେ ସଙ୍ଗେ ସେମାନେ ୧୦୮ ଆମ୍ବୁଲାନ୍ସ ଜରିଆରେ ଉଭୟଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା ।

ଘଟଣାର 5 ଦିନ ପରେ ରୁଜୁ ହୋଇଥିଲା ମାମଲା:- ସାପ କାମୁଡ଼ାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିବା ଘଟଣାକୁ ନେଇ ପ୍ରଥମେ ଅପମୃତ୍ୟୁ ଏବଂ ପରେ ରୁଜୁ ହୋଇଥିଲା ହତ୍ୟା ମାମଲା । ମୃତ ମହିଳାଙ୍କ ପରିବାର ବର୍ଗଙ୍କ ମଧ୍ୟରେ ସନ୍ଦେହ ହେବାରୁ ଘଟଣାର ୫ ଦିନ ପରେ ୧୨ ତାରିଖ ଦିନ ମୃତକଙ୍କ ବାପା ଖଲି ପାତ୍ର ନିଜ ଝିଅ ଓ ନାତୁଣୀକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ୬୧୫/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ଜଣକ ପୋଲସରା ଥାନା ଅନ୍ତର୍ଗତ ମୂକ୍ତାମାଳ ଦେଇପୁରଶାସନରୁ ଜଣେ ସର୍ପ ଧରାଳୀ ଠାରୁ ସାପ ଆଣି ନିଜେ ପତ୍ନୀ ଓ ୨ ବର୍ଷର ଶିଶୁ କନ୍ୟାକୁ କାମୁଡେଇ ମାରିଥିବା ସ୍ବୀକାର କରିଥିଲା ।

ଏହା ବି ପଢନ୍ତୁ- ଶୋଇଥିବା ସମୟରେ ଚୋଟ ମାରିଲା ସାପ, ଆଖି ବୁଜିଲା ନାବାଳକ

ପୂଜା କରିବା ପାଇଁ ଆଣିଥିଲେ ସର୍ପ:- ନିଜର ପତ୍ନୀ ଓ ଝିଅଙ୍କୁ ସାପ କାମୁଡାଇ ମାରିବା ପାଇଁ ଯୋଜନା କରିବା ପରେ ସର୍ପ ଧରାଳୀମାନଙ୍କ ପାଖକୁ ଯାଇ ପୂଜା କରିବା କହି ଏହାକୁ ସଂଗ୍ରହ କରିଥିଲେ । ଆଉ ଶେଷରେ ନିଜର କରିଥିବା ଯୋଜନାକୁ ସଫଳ କରାଇବାରେ ସଫଳ ହୋଇଥିଲେ ଅଭିଯୁକ୍ତ ।

ତଦନ୍ତ ପାଇଁ ସ୍ନେକ ହେଲ୍ପ ଲାଇନର ସହାୟତା:- ଏହି ଘଟଣାର ତଦନ୍ତ ପାଇଁ ପୋଲିସ ସ୍ନେକ ହେଲ୍ପ ଲାଇନର ସହାୟତା ନେଇଥିଲା । ଗତ ରବିବାର ଦିନ ସ୍ନେକ ହେଲ୍ପଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ଦକ୍ଷିଣ ଓଡ଼ିଶା ସଂଯୋଜକ ସ୍ଵାଧୀନ କୁମାର ସାହୁ ସମେତ ୫ ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିଲେ । ଏହାପରେ ୧ ମାସ ଧରି ଶିଥିଳ ପଡିଥିବା ଏହି ମାମଲାଟି ଆଗକୁ ବଢିଥିଲା । ପୋଲିସ ଘଟଣାରେ ଅଧିକ ତଥ୍ୟ ପାଇବାରେ ସହାୟକ ହୋଇଥିଲା ।

ଗିରଫ ହେଲା ଅଭିଯୁକ୍ତ ସ୍ବାମୀ:- ନିଜର ପତ୍ନୀ ଓ ଶିଶୁ କନ୍ୟାକୁ ହତ୍ୟା କରିବା ଘଟଣାରେ ଗୁରୁବାର ଅଭିଯୁକ୍ତ କେ ଗଣେଶ ପାତ୍ରକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ସେହିପରି ସ୍ନେକ ହେଲ୍ପ ଲାଇନ ସବୁବେଳେ ଆଇନକୁ ସମ୍ମାନ ଦେଉଛି ଏବଂ ଆଇନର ସହାୟତା କରିବାକୁ ପ୍ରସ୍ତୁତ ରହିଥିବା ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସୂଚନା ଦେଇଛନ୍ତି । ଯାହାକି ଶେଷରେ ଦେଢ ମାସ ପରେ ଘଟଣାର ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଛନ୍ତି କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ ଓ ତାଙ୍କ ଟିମ । ଏହି ମାମଲାରେ କବିସୂର୍ଯ୍ୟନଗର ଥାନା ଅଢେଇ ବରଗାଁର ଅଭିଯୁକ୍ତ ସ୍ବାମୀ କେ.ଗଣେଶ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସାପ ଧରାଳୀର ବୟାନ:- ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳର ଏଭଳି ଏକ ଭିନ୍ନ ଧରଣର ହତ୍ୟାକାଣ୍ଡ ପଛରେ ମାଆ ଓ ଝିଅଙ୍କ ସାପ କାମୁଡାଇ ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ସ୍ବାମୀ ପୋଲସରା ଅଞ୍ଚଳରୁ ପୂଜା କରିବା ବାହାନା କରି ବିଷାକ୍ତ ସାପକୁ ଆଣିଥିବା ଧରାଳୀଙ୍କ ବୟାନ ମହତ୍ତ୍ବପୂର୍ଣ୍ଣ ବୋଲି କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Nov 23, 2023, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.