ETV Bharat / state

ରଣକ୍ଷେତ୍ର ପାଲଟିଲା ଡ୍ରାଇଭର ସଙ୍ଘର ଧର୍ମଘଟ, ଗୋଳନ୍ଥରା IIC ଆହତ

author img

By

Published : Mar 16, 2023, 9:35 PM IST

Updated : Mar 16, 2023, 9:52 PM IST

Golanthara IIC injured
Golanthara IIC injured

ଡ୍ରାଇଭର ମହାସଂଘର ଦାଦାଗିରି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠର ଜଗନ୍ନାଥପୁର ଛକ ନିକଟରେ ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଆକ୍ରମଣ କରିଥିବା ବେଳେ ଗୋଳନ୍ଥରା ଆଇଆଇସି ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ରଣକ୍ଷେତ୍ର ପାଲଟିଲା ଡ୍ରାଇଭର ସଙ୍ଘର ଧର୍ମଘଟ, ଗୋଳନ୍ଥରା IIC ଆହତ

ବ୍ରହ୍ମପୁର: ରଣକ୍ଷେତ୍ର ପାଲଟିଲା ଡ୍ରାଇଭର ସଙ୍ଘର ଧର୍ମଘଟ । ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଆନ୍ଦୋଳନକାରୀ ଡ୍ରାଇଭର । ଯେଉଁଥିରେ ୬ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଆହତଙ୍କ ମଧ୍ୟରେ ଗୋଳନ୍ଥରା IIC ରହିଛନ୍ତି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠର ଜଗନ୍ନାଥପୁର ଛକ ନିକଟସ୍ଥ ଜଙ୍କସନରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏପରି ଘଟଣା । ଆହତ ପୋଲିସ କର୍ମଚାରୀଙ୍କୁ ବ୍ରହ୍ମପୁର MKCG ମେଡିକାଲେ ଭର୍ତ୍ତି କରାଯାଇଛି ।

ଦ୍ବିତୀୟ ଦିନର ଡ୍ରାଇଭର ସଂଙ୍ଘର ଧର୍ମଘଟ ଆନ୍ଦୋଳନକୁ ହଟାଇ ଜଗନ୍ନାଥପୁର ଛକରେ ଅପରାହ୍ନରେ ପୋଲିସ ପକ୍ଷରୁ ଜାତୀୟ ରାଜପଥରେ ଅଟକି ରହିଥିବା ଟ୍ରକଗୁଡିକୁ ଛାଡି ଦିଆଯାଇଥିଲା । ଗତ ୩୬ ଘଣ୍ଟା ଧରି ଅଟକି ରହିଥିବା ଶହ ଶହ ଟ୍ରକକୁ ପୋଲିସ ଛାଡିଦେବା ପରେ ପ୍ରତିଶୋଧ ପରାୟଣ ହୋଇ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ଆକ୍ରମଣ କରିଥିଲେ ଡ୍ରାଇଭର ସଂଙ୍ଘର କର୍ମକର୍ତ୍ତାମାନେ । ଯେଉଁଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ଓ ଗୋପାଳପୁର ପୋଲିସ ଏସ.ଆଇ ମହେନ୍ଦ୍ର ବେହେରା, ପୁକୁଡ଼ିବନ୍ଧ ଫାଣ୍ଡି ଅଧିକାରୀଙ୍କ ସମେତ ପ୍ରାୟ ୬ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ରଣକ୍ଷେତ୍ର ପାଲଟିଲା ଡ୍ରାଇଭର ସଙ୍ଘର ଧର୍ମଘଟ
ରଣକ୍ଷେତ୍ର ପାଲଟିଲା ଡ୍ରାଇଭର ସଙ୍ଘର ଧର୍ମଘଟ

ଆହତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଧିକ ପୋଲିସ ପହଞ୍ଚିବା ପରେ ଛତ୍ରଭଙ୍ଗ ଦେଇଛନ୍ତି ଅନେକ ଡ୍ରାଇଭର । ଏବେ ବି ଘଟଣାସ୍ଥଳରେ ପରିସ୍ଥିତି ଅଶାନ୍ତ ରହିଛି । ହଠାତ ଡ୍ରାଇଭର ମହାସଂଘର ଏଭଳି ଦାଦାଗିରିକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଗଣତନ୍ତ୍ରରେ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ହୋଇଥିବା ବେଳେ ନିଜ ହକ ପାଇଁ ଏଭଳି ଆଇନକୁ ହାତକୁ ନେବାକୁ ସାଧାରଣ ଜନତା କଦାପି ଗ୍ରହଣ କରିବେ ନାହିଁ ବୋଲି କୁହାଯାଇଛି ।

ଏହା ବି ପଢନ୍ତୁ- ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ହନ୍ତସନ୍ତ ସାଧାରଣ ଯାତ୍ରୀ

ସୂଚନା ଥାଉ କି ସାରା ରାଜ୍ୟରେ ଗତ ଦୁଇ ଦିନ ଧରି ରାଜ୍ୟ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜ୍ୟର ସମସ୍ତ ସ୍ଥାନରେ ଗାଡି ଚାଳକ ଓ କର୍ମଚାରୀମାନେ ଷ୍ଟିଅରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବ୍ରହ୍ମପୁରଠାରେ ହଳଦିଆପଦର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଫଳରେ ରାସ୍ତାରେ ଶହ ଶହ ଟ୍ରକ ଅଟକି ରହିଥିଲା । ରାଜ୍ୟରେ ଟ୍ରକ, ବସ, ଅଟୋଠାରୁ ଆରମ୍ଭ କରି ପ୍ରମୁଖ ସ୍ଥାନରେ ନିଜ ନିଜର ଗାଡିର ଷ୍ଟିଅରିଂ ଛାଡି ରାସ୍ତାରାସ୍ତାକୁ ଓଲ୍ଲାଇଥିବା ଦେଖିବାକୁ ମିଳିଛି ।

ମହାସଙ୍ଘର ସ୍ଥାନୀୟ ଅଞ୍ଚଳର କର୍ମକର୍ତ୍ତା ମାନେ ରାଜପଥ ଅବରୋଧ କରିବା ସହିତ ଆନ୍ଦୋଳନରେ ସାମିଲ ହୋଇ ରାଜପଥରେ ଯାଉଥିବା ଟ୍ରକ, ଅଟୋ ରିକ୍ସା ଏବଂ ବିଭିନ୍ନ ଯାନବାହାନକୁ ଅଟକାଇ ରଖିଥିଲେ । ଯେତେଦିନ ପର୍ଯ୍ୟନ୍ତ ସରକାର ଡ୍ରାଇଭରମାନଙ୍କ ଦାବିକୁ ଶୁଣିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ରାଜରାସ୍ତାରେ ବସି ରହି ଆନ୍ଦୋଳନ ସ୍ଥଳରେ ହିଁ ରୋଷେଇ କରି ଖାଇବେ ବୋଲି ଡ୍ରାଇଭରମାନେ କହିଛନ୍ତି । ମୁଖ୍ୟତଃ ଗାଡି ଚାଳକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସହିତ ପେନସନ ବ୍ୟବସ୍ଥା, ଗାଡି ରହଣି ସ୍ଥଳରେ ଆବଶ୍ୟକୀୟ ସୁବିଧା ଯୋଗାଇବା, ଦୁର୍ଘଟଣା ଜନିତ କ୍ଷତିପୂରଣ ରାଶି ପ୍ରଦାନ କରିବା ଭଳି ଅନେକ ଦାବିକୁ ନେଇ ବିଭିନ୍ନ ଫୋରମରେ ଉପସ୍ଥାପନ କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Mar 16, 2023, 9:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.