ETV Bharat / state

ଶାଶୁଙ୍କୁ ହତ୍ୟା କରି ୨୮ ବର୍ଷ ଧରି ଫେରାର ଥିଲା ଜ୍ବାଇଁ, ବ୍ରହ୍ମପୁରରୁ ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Dec 26, 2023, 6:39 PM IST

Son in Law arrested from Berhampur: ଚେନ୍ନାଇରେ ନିଜ ଶାଶୁଙ୍କୁ ହତ୍ୟା କରି 28 ବର୍ଷ ଧରି ଫେରାର ଥିଲା ଅଭିଯୁକ୍ତ ଜ୍ବାଇଁ । ବ୍ରହ୍ମପୁରରୁ ବାନ୍ଧିଲା ପୋଲିସ । ଅଧିକ ପଢ଼ନ୍ତୁ

ଚେନ୍ନାଇରେ ଶାଶୁଙ୍କୁ ହତ୍ୟା କରି ୨୮ ବର୍ଷ ହେବ ଫେରାର ଥିଲା ଜ୍ବାଇଁ
ଚେନ୍ନାଇରେ ଶାଶୁଙ୍କୁ ହତ୍ୟା କରି ୨୮ ବର୍ଷ ହେବ ଫେରାର ଥିଲା ଜ୍ବାଇଁ

ଚେନ୍ନାଇରେ ଶାଶୁଙ୍କୁ ହତ୍ୟା କରି ୨୮ ବର୍ଷ ହେବ ଫେରାର ଥିଲା ଜ୍ବାଇଁ

ବ୍ରହ୍ମପୁର: କୁହାଯାଏ, ଅପରାଧୀ ଅପରାଧ କରିବା ପରେ ଯେତେ ଚାଲକ୍ ହୋଇଥାଉ ନାଁ କାହିଁକି, ପୋଲିସର ଜାଲରେ ଦିନେ ନା ଦିନେ ଧରାପଡିବ ନିଶ୍ଚିତ । ଏହି ଉକ୍ତିକୁ ପ୍ରମାଣିତ କରିଛି ଚେନ୍ନାଇ ଏବଂ ବ୍ରହ୍ମପୁର ପୋଲିସର ମିଳିତ ଚଢାଉ । ଖବର ଅନୁସାରେ ଜଣେ ଅପରାଧୀ ନିଜ ଶାଶୁଙ୍କୁ ଚେନ୍ନାଇରେ ହତ୍ୟା କରିବା ପରେ ଦୀର୍ଘ ୨୮ ବର୍ଷ ଧରି ଫେରାର ରହିଥିଲା । ଶେଷରେ ଅଭିଯୁକ୍ତ ଜ୍ବାଇଁକୁ ବ୍ରହ୍ମପୁରରୁ ଗିରଫ କରାଯାଇଛି । ୧୯୯୫ ମସିହା ଅଗଷ୍ଟ ମାସ ୯ ତାରିଖରେ ଚେନ୍ନାଇର ଆଡମ୍‌ବକ୍କାମ ଥାନାରେ (Adambakkam Police Station) ରୁଜୁ ହୋଇଥିବା ମାମଲାର ଅଭିଯୁକ୍ତ ବ୍ରହ୍ମପୁରର ହରିହର ପାଟ୍ଟଯୋଶୀକୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ବ୍ରହ୍ମପୁର କୋର୍ଟରେ ହାଜର କରାଯାଇ ଚେନ୍ନାଇ ପୋଲିସ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ୍‌ ଏମ୍‌ ସୂଚନା ଦେଇଛନ୍ତି ।

ଏମିତି ନିଜ ଶାଶୁଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ: ସେଦିନ ଥିଲା ୧୯୯୫ ମସିହା ଅଗଷ୍ଟ ମାସ ୮ ତାରିଖ । ବ୍ରହ୍ମପୁରର ହରିହର ପାଟ୍ଟଯୋଶୀ ପ୍ରେମ ବିବାହ କରି ଚେନ୍ନାଇ ନାଙ୍ଗାନାଲ୍ଲୁର ଅଞ୍ଚଳରେ ନିଜ ଶାଶୁଙ୍କ ଘରେ ରହିଥିଲା । ଦିନେ ହଠାତ୍ କୌଣସି ଏକ ପରିବାରିକ କଳହକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ହରିହର ଏକ ଛୁରୀରେ ନିଜ ୨୧ ବର୍ଷୀୟା ପତ୍ନୀ ଇନ୍ଦିରା, ୨୪ ବର୍ଷୀୟ ଶାଳକ କାର୍ତ୍ତିକ ଏବଂ ୪୮ ବର୍ଷୀୟା ଶାଶୁ ରମାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଏଥିରେ ଶାଶୁ ରମାଙ୍କର ମୃତ୍ୟୁ ଘଟିଥିଲା । ପତ୍ନୀ ଓ ଶାଳକ ଦୁହେଁ ଗୁରୁତର ହୋଇଥିଲେ । ଏହି ଘଟଣା ନେଇ ସ୍ଥାନୀୟ ଆଡମ୍‌ବକ୍କାମ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ସେହିଦିନ ଠାରୁ ଅଭିଯୁକ୍ତକୁ ଖୋଜୁଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଯୁବତୀଙ୍କୁ ପ୍ରେମ କରି ଝିଅରୁ ପୁଅ ହୋଇଥିଲେ, ମିଳାମିଶା ବନ୍ଦ କରିବାରୁ ଜିଅନ୍ତା ଜାଳି ଦେଲେ

ଚେନ୍ନାଇରେ କାମ କରୁଥିବାବେଳେ ହୋଇଥିଲା ପ୍ରେମ ବିବାହ: ବ୍ରହ୍ମପୁର ଅଞ୍ଚଳର ହରିହର ପଟ୍ଟଯୋଶୀ ଚେନ୍ନାଇର ଏକ ବିଜ୍ଞାପନ କମ୍ପାନୀର ପ୍ରିଣ୍ଟିଂ ପ୍ରେସ୍‌ରେ କାର୍ଯ୍ୟ କରୁଥିଲା । ସେହି ସମୟରେ ଚେନ୍ନାଇର ଇନ୍ଦିରା ନାମକ ଯୁବତୀ ଏକ ଟେଲି ମାର୍କେଟିଂ କମ୍ପାନୀର କାର୍ଯ୍ୟ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ୧୯୯୪ ମସିହା ଜୁଲାଇ ୧୪ ତାରିଖରେ ଉଭୟ ବିବାହ କରିଥିଲେ । ହେଲେ ବିବାହର କିଛିଦିନ ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା । ଉଭୟଙ୍କର ମଧ୍ୟରେ ବିବାହ ବିଚ୍ଛେଦ ନେଇ ମଧ୍ୟ ସ୍ଥାନୀୟ କୋର୍ଟରେ ଆବେଦନ କରାଯାଇଥିଲା । ଏହାପରେ ସ୍ତ୍ରୀ ସମେତ ଶାଶୁ ଓ ଶାଳକଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରି ହରିହର ଫେରାର ହୋଇଥିଲା । ଚେନ୍ନାଇ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା । ଏହାରି ମଧ୍ୟରେ ହରିହର ଗତ ୨୮ ବର୍ଷ ମଧ୍ୟରେ ଓଡିଶା ଏବଂ ସୁରତର ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଗିରଫ ପରେ ପୋଲିସ ଜାଣିବାକୁ ପାଇଛି ।

୨୦୦୧ରେ ଦ୍ବିତୀୟ ବିବାହ କରିଥିଲା ଅଭିଯୁକ୍ତ: ପ୍ରଥମ ପତ୍ନୀ ଏବଂ ଶାଳକକୁ ଆକ୍ରମଣ ସହିତ ଶାଶୁକୁ ହତ୍ୟା କରିବା ଘଟଣାରେ ଚେନ୍ନାଇ ପୋଲିସର ବାରମ୍ବାର ଚଢାଉରେ ଅନେକ ସମୟରେ ଗୋଟିଏ ପରେ ଗୋଟିଏ ସ୍ଥାନ ପରିବର୍ତ୍ତନ କରି ରହୁଥିବା ଅଭିଯୁକ୍ତ ହରିହର ପଟ୍ଟଯୋଶୀ ଗତ ୨୦୦୧ ମସିହାରେ ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ନିଜର ସାଙ୍ଗ ଘରେ ଲୁଚି ରହୁଥିବାବେଳେ ଅନ୍ୟ ଜଣେ ମହିଳାଙ୍କ ସଂପର୍କରେ ଆସି ଦ୍ବିତୀୟ ବିବାହ କରିଥିଲା । ଦ୍ବିତୀୟ ପତ୍ନୀଙ୍କୁ ନେଇ ସେ ବ୍ରହ୍ମପୁର ଆସିବା ସହିତ ଏକ ମସଲା ଫ୍ୟାକ୍ଟ୍ରିରେ କାର୍ଯ୍ୟ କରିଥିଲା । ଏହା ପୂର୍ବରୁ କେନ୍ଦ୍ରାପଡାରେ ବଜାଜ ଇନ୍‌ସ୍ୟୁରାନ୍ସ କମ୍ପାନୀର ସେଲ୍ସମ୍ୟାନ୍‌ ଏବଂ ବ୍ରହ୍ମପୁର ସହରରେ ଏକ ଚିଟ୍‌ଫଣ୍ଡ କମ୍ପାନୀର ମ୍ୟାନେଜର ଭାବରେ କାର୍ଯ୍ୟ କରିଥିଲା ହରିହର । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାରମ୍ବାର ପରିବର୍ତ୍ତନ କରୁଥିବା ଯୋଗୁଁ ଗତ ୨୮ ବର୍ଷ ଧରି ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରୁନଥିବା କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଗାଈ ଫସଲ ଖାଇବାରୁ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା!

ସପ୍ତାହେ ଉଦ୍ୟମ ପରେ ଅଭିଯୁକ୍ତକୁ ଧରିଲା ଚେନ୍ନାଇ ଓ ବ୍ରହ୍ମପୁର ପୋଲିସର ମିଳିତ ଟିମ୍: ହତ୍ୟା କରି ଦୀର୍ଘ ୨୮ ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ରହିଥିବା ହତ୍ୟା ଅଭିଯୁକ୍ତକୁ ଯେନତେନ ପ୍ରକାରେ ଗିରଫ କରିବାକୁ ଗତ ସପ୍ତାହେ ଧରି ଉଦ୍ୟମ ରଖିଥିଲା ଚେନ୍ନାଇ ଓ ବ୍ରହ୍ମପୁର ପୋଲିସର ମିଳିତ ଟିମ୍‌ । ଚେନ୍ନାଇରୁ ଆସିଥିବା ଚାରି ଜଣିଆ ପୋଲିସ ଟିମ୍‌ ସହିତ ବ୍ରହ୍ମପୁରର ଗୋଷାଣି ନୂଆଗାଁ ଥାନା ପୋଲିସ ପକ୍ଷରୁ ଗଠିତ ଟିମ୍‌ ଶେଷରେ ଥାନା ଅଞ୍ଚଳର ଅନ୍ଧପସରା ରୋଡ ଏବଂ ରେଳଷ୍ଟେସନ ଅଞ୍ଚଳରେ କଡା ନଜର ରଖି ଶେଷରେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ମିଳିତ ପୋଲିସ ଟିମ୍‌ ପକ୍ଷରୁ ଗିରଫ ପରେ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ବ୍ରହ୍ମପୁର କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଚେନ୍ନାଇ ନିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣ ବିବେକ ଏମ୍‌ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.