ETV Bharat / state

ମନମୋହୁଛି ଗଣ୍ଡାହାତୀ ଜଳପ୍ରପାତ, କିନ୍ତୁ ବିକାଶ କେବେ ?

author img

By ETV Bharat Odisha Team

Published : Jan 8, 2024, 9:48 PM IST

ମନମୋହୁଛି ଗଣ୍ଡାହାତୀ ଜଳପ୍ରପାତ , ହେଲେ ବିକାଶ କେବେ ?
ମନମୋହୁଛି ଗଣ୍ଡାହାତୀ ଜଳପ୍ରପାତ , ହେଲେ ବିକାଶ କେବେ ?

Gandahati Waterfall: ପ୍ରକୃତିର ଗନ୍ତାଘର ହେଉଛି ଗଜପତି । ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି ଗଣ୍ଡାହାତୀ ଜଳପ୍ରପାତ । ଏହାର ବିକାଶ କରିବା ସହ ଇକୋରିଟ୍ରିଟ ପାଇଁ ଦାବି କରିଛନ୍ତି ପର୍ଯ୍ୟଟକ ।

ମନମୋହୁଛି ଗଣ୍ଡାହାତୀ ଜଳପ୍ରପାତ , ହେଲେ ବିକାଶ କେବେ ?

ଗଜପତି: ଜିଲ୍ଲା ହେଉଛି ପର୍ଯ୍ୟଟନର ଗନ୍ତାଘର । ଜିଲ୍ଲାର ରାୟଗଡ ବ୍ଲକରେ ଥିବା ଗଣ୍ଡାହାତୀ ଜଳପ୍ରପାତ ହେଉଛି ସବୁଠାରୁ ଅନ୍ୟତମ । ଏଠାରେ ରାଜ୍ୟ ତଥା ରାଜ୍ୟବାହାରୁ ବହୁ ପର୍ଯ୍ୟଟକଙ୍କ ଭିଡ ଲାଗିରହିଥାଏ । ବଣ ପାହାଡ ଘେରାରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ ଉପଭୋଗ କରିଥାନ୍ତି ପର୍ଯ୍ୟଟକ । ହେଲେ ଏହି ପର୍ଯ୍ୟଟନ ସ୍ଥଳୀର ଯେଉଁଭଳି ଉନ୍ନତି ହେବା କଥା ତାହା ଆଜି ଯାଏଁ ହୋଇପାରିନଥିବାରୁ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଗଣ୍ଡାହାତୀ ଜଳପ୍ରପାତକୁ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସରକାରଙ୍କ ପାଖରେ ସେମାନେ ଦାବି କରିଛନ୍ତି ।

ବିଶେଷ କରି ଡିସେମ୍ବର ଏବଂ ଜାନୁୟାରୀ ଦୁଇ ମାସ ଜିଲ୍ଲାର ବିଭିନ୍ନ ପର୍ଯ୍ୟଚନୀ ସ୍ଥଳୀ ଗୁଡିକରେ ଭିଡ ଦେଖିବାକୁ ମିଳେ । ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିଲେ ମଧ୍ୟ ଗଣ୍ଡାହାତୀ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଏଠାକାର ସୁଦୀର୍ଘ ଜଙ୍ଗଲ ସହ ଜଳପ୍ରପାତର କୁଳୁକୁଳୁ ନାଦ ପର୍ଯ୍ୟଟଙ୍କ ମନକୁ ବେଶ୍ ମନ୍ତ୍ରମୁଗ୍ଧ କରିଛି । ତେଣୁ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଦୈନନ୍ଦିନ ଜୀବନରୁ କିଛିଟା ହାଲୁକା ହେବାକୁ ପିକନିକ ପାଇଁ ଲୋକେ ଏଠାକୁ ଧାଇଁ ଆସିଥାନ୍ତି । ରାଜ୍ୟ ତଥା ପଡୋଶୀ ଆନ୍ଧ୍ରର ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକମାନେ ଏଠାରେ ବଣଭୋଜି କରିବା ପାଇଁ ଆସିଥାନ୍ତି । ଏଠାରେ ଲୋକେ ଜଙ୍ଗଲରେ ବୁଲିବା ସହ ଏଠାକାର ଜଳପ୍ରପାତରେ ଗାଧୋଇବା ଏବଂ ସ୍ମୃତିକୁ ନିଜ କ୍ୟାମେରାରେ କଏଦ କରିଥାନ୍ତି । ପର୍ଯ୍ୟଟକମାନେ ସ୍ଥାନୀୟ ଆଦିବାସୀଙ୍କ ଦ୍ବାରା ପାହାଡି ଇଲାକାରେ ଉତ୍ପାଦିତ ସପୁରୀ, କଦଳୀ,ଭଣ୍ଡା, ପିଜୁଳି ଆଦି ବିଭିନ୍ନ ପ୍ରକାର ଫଳ ଖାଇବାର ସୁଯୋଗ ପାଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ......ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବ ଗୋହିରା ଜଳଭଣ୍ଡାର; ଉନ୍ନତିକରଣ ପାଇଁ ମିଳିଲା ଅନୁଦାନ

ହେଲେ ପର୍ଯ୍ୟଟକମାନେ କହିଛନ୍ତି, "ପ୍ରଥମେ ଏହି ସ୍ଥାନର ନାଁ ଶୁଣି ଆସିବାକୁ ମନ କରିଥିଲୁ । ବର୍ତ୍ତମାନ ଆସି ଦେଖିବା ସହ ନିଜେ ଅନୁଭବ କରୁଛୁ । ଏଠାକାର ପରିବେଶ କିଭଳି ମନୋରମ । ଯଦି ଏଠାରେ ସରକାରଙ୍କ ତରଫରୁ ରାତ୍ରିି ଯାପନ ପାଇଁ ଇକୋରିଟ୍ରିର ବ୍ୟବସ୍ଥା କରାଯାଇଥାନ୍ତା ତାହାଲେ ବହୁତ ସୁବିଧା ହୁଅନ୍ତା । ଏତେ ସୁନ୍ଦର ପରିବେଶ ରହିଥିବା ଏହି ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଆଶାନୁରୂପ ହୋଇନାହିଁ । ତେଣୁ ଏଥିପ୍ରତି ସରକାର ଏବଂ ୫ଟି ଅଧ୍ୟକ୍ଷ ଦୃଷ୍ଟି ଦେବା ଆବଶ୍ୟକ ।"

ଅନ୍ୟପଟେ ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ,"ଶିଳ୍ପ ବିହୀନ ଗଜପତି ଜିଲ୍ଲାର ଅର୍ଥନୈତିକ ଏବଂ ସାମାଜିକ ଉନ୍ନତି କେବଳ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଦ୍ବାରା ହିଁ ସମ୍ଭବ । ହେଲେ ସରକାର ଏହି ପ୍ରକୃତିର ଗନ୍ତାଘର ଗଣ୍ଡାହାତୀର ଯେଭଳି ଉନ୍ନତି କରିବା କଥା ତାହା ଆଜି ଯାଏଁ କରାଯାଇପାରିନାହିଁ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଆହୁରି ଅନେକ କିଛି କରିବାର ଆବଶ୍ୟକତା ରହିଛି । ଯାହାକୁ ସରକାର ଦୃଷ୍ଟି ଦେବା ଜରୁରୀ ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.