ETV Bharat / state

ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବ ଗୋହିରା ଜଳଭଣ୍ଡାର; ଉନ୍ନତିକରଣ ପାଇଁ ମିଳିଲା ଅନୁଦାନ

author img

By ETV Bharat Odisha Team

Published : Dec 17, 2023, 7:54 AM IST

Gohira Reservoir: ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ଗୋହିରା ଜଳଭଣ୍ଡାର । ଏଥିପାଇଁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର । ଗୋହିରା ଜଳଭଣ୍ଡାର ପରିଷରରେ ପର୍ଯ୍ୟଟନ ଭିତ୍ତିଭୂମି ର ବିକାଶ ନିମନ୍ତେ 62 ଲକ୍ଷ ଟଙ୍କା ମଞ୍ଜୁର କରିବା ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ସୁବିଧା ଉପଲବ୍ଧ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି ।

ଦେବଗଡର ଅନ୍ୟତମ ଆକର୍ଷଣ ଗୋହିରା ଜଳଭଣ୍ଡାର
ଦେବଗଡର ଅନ୍ୟତମ ଆକର୍ଷଣ ଗୋହିରା ଜଳଭଣ୍ଡାର

Gohira Reservoir

ଦେବଗଡ଼: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଦେବଗଡ଼ ଜିଲ୍ଲା । ପାହଡ ପର୍ବତ ସବୁଜ ବନାନୀ ପରିବେଷ୍ଟିତ ଦେବଗଡ଼ରେ ଅନେକ ମନୋରମ ସ୍ଥାନ ରହିଛି । ତନ୍ମଧ୍ୟରୁ ଅନ୍ୟତମ ଗୋହିରା ଜଳଭଣ୍ଡାର । ଶୀତ ଋତୁ ଆରମ୍ଭରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ଜଳଭଣ୍ଡାର ଏବେ ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବାକୁ ଯାଉଛି । ଏଥିପାଇଁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର । ଗୋହିରା ଜଳଭଣ୍ଡାର ପରିସରରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଲାଗି ସରକାର 62 ଲକ୍ଷ ଟଙ୍କା ମଞ୍ଜୁର କରିବା ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ସୁବିଧା ଉପଲବ୍ଧ କରିବା ନିମନ୍ତେ ପଦକ୍ଷେପ ନେଇଛନ୍ତି ।

ଦେବଗଡ଼ ସହର ଠାରୁ ମାତ୍ର 25 କିଲୋମିଟର ଦୂରରେ ଅବସ୍ଥିତ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଗୋହିରା ଜଳଭଣ୍ଡାର । ସହର ଠାରୁ ସମ୍ବଲପୁର ଅଭିମୁଖେ ଯାଇଥିବା 49 ନମ୍ବର ଜାତୀୟ ରାଜପଥରେ 18 କିଲୋମିଟର ଦୂରରେ ପଡିଥାଏ ଚଟିବରଘାଟ ଛକ । ସେହି ଛକରୁ ବାମପାର୍ଶ୍ଵରେ ମାତ୍ର 7 କିଲୋମିଟର ଗଲେ ପଡେ ଗୋହିରା ଡ୍ୟାମ । ଗୋହିରା ଡ୍ୟାମଟି ତିଳେଇବଣି ବ୍ଲକର ଢୋଲପଡା ପଞ୍ଚାୟତରେ ଅବସ୍ଥିତ । ଦେବଗଡ଼ ଜିଲ୍ଲାରେ ମୁଖ୍ୟତଃ ଚାଷଜମିକୁ ଜଳସେଚନ ଲକ୍ଷ୍ୟରେ 1981 ମସିହାରେ ନିର୍ମାଣ କରାଯାଇଥିଲା ଏହି ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପର ଲମ୍ବ 3550 ମିଟର ରହିଥିବା ବେଳେ, ଉଚ୍ଚତା ରହିଛି 28 ମିଟର । ଏହାଦ୍ବାରା ଜିଲ୍ଲାର ମୋଟ 8000 ହେକ୍ଟର ଜମି ଜଳସେଚିତ ହୋଇଥାଏ । ଗୋହିରା ପ୍ରକଳ୍ପରେ ପାଞ୍ଚଟି ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଆସିଲା ପର୍ଯ୍ୟଟନ ଋତୁ, ବକ୍ର ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ

ଗୋହିରା ଡ୍ୟାମ ଯେ କେବଳ ଏକ ଜଳସେଚନ ପ୍ରକଳ୍ପ ତା' ନୁହେଁ, ପର୍ଯ୍ୟଟନ କ୍ଷେତ୍ରର ଏଠାରେ ରହିଛି ବ୍ୟାପକ ଭିତ୍ତିଭୂମି । ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ସୃଷ୍ଟି ହୋଇଛି ଏକ ବିସ୍ତୀର୍ଣ୍ଣ ଜଳଭଣ୍ଡାର । ଆଉ ଏହି ବିସ୍ତୀର୍ଣ୍ଣ ଜଳଭଣ୍ଡାରକୁ ଘେରି ରହିଛି ଏକାଧିକ ପର୍ବତମାଳା । ଯାହାର ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ । ମୁଖ୍ୟତଃ ଶୀତ ଋତୁରେ ଗୋହିରା ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ଏହାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ଏଠିକାର ଶୀତଳ ପରିବେଶ ଓ ମନୋରମ ଦୃଶ୍ୟ ଉପଭୋଗ କରିବା ତଥା ଜଳଭଣ୍ଡାର ତଟରେ ବଣଭୋଜିର ମଜା ନେବା ପାଇଁ ଏଠାକୁ ପ୍ରତିବର୍ଷ ନଭେମ୍ବର ଠାରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ ପିକନିକ ପାର୍ଟି ଓ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

ଗୋହିରା ଜଳଭଣ୍ଡାରରେ ପର୍ଯ୍ୟଟନର ବ୍ୟାପକ ଭିତ୍ତିଭୂମି ରହିଥିବା ବେଳେ, ଏହାର ବିକାଶ ତଥା ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ପାଇଁ ବହୁବର୍ଷ ହେଲା ଅଞ୍ଚଳବାସୀ ସରକାରଙ୍କ ନିକଟରେ ବାରମ୍ବାର ଦାବି ଜଣାଇ ଆସୁଥିଲେ । ମାତ୍ର ବିଳମ୍ବରେ ହେଲେ ସୁଦ୍ଧା ସରକାର ଏହି ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ଦିଗରେ ପଦକ୍ଷେପ ନେଇଛନ୍ତି । ଜଳଭଣ୍ଡାରକୁ ପର୍ଯ୍ୟଟନ କ୍ଷେତ୍ରରେ ରୂପାନ୍ତରିତ କରି ପର୍ଯ୍ୟଟକଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ସକାଶେ ସରକାର 62 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଜଳସେଚନ ବିଭାଗ, ବନବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗ ଗୋହିରା ଜଳଭଣ୍ଡାରକୁ ପର୍ଯ୍ୟଟନ ସ୍ଥଳୀରେ ରୂପାନ୍ତରିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଗୋହିରା ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମୁଣ୍ଡା ଈଟିଭି ଭାରତ ଆଗରେ ନିଜ ପ୍ରତିକ୍ରିୟା ଦେଇ ପ୍ରକାଶ କରିଛନ୍ତି । ଫଳରେ ଆଗାମୀ ଦିନରେ ଗୋହିରା ଜଳଭଣ୍ଡାର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ନେଇ ଅଞ୍ଚଳବାସୀଙ୍କ ମନରେ ଆଶା ସଂଚାର କରିଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.