ଚଢ଼ା ଦରରେ ସାର ବିକ୍ରି ଅଭିଯୋଗ, ଗଜପତିରେ ଚାଷୀ ନିରାଶ

author img

By

Published : Sep 18, 2022, 10:35 PM IST

Updated : Sep 19, 2022, 6:05 AM IST

ଗଜପତିରେ ଚଢ଼ା ଦରରେ ସାର ବିକ୍ରି, ଅସନ୍ତୋଷ ଚାଷୀ

ଗଜପତି ଜିଲ୍ଲାରେ ଅଭାବୀ ସାର ବିକ୍ରି । ପ୍ରତି ପ୍ୟାକେଟ ସାର ପିଛା ସରକାରୀ ଧାର୍ଯ୍ୟ ମୂଲ୍ୟର ଦୁଇଗୁଣ ଦରରେ ବିକ୍ରି କରାଯାଉଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଚଷାପୁଅ । ଅଧିକ ପଢ଼ନ୍ତୁ

ଗଜପତି: ଚାଷୀଙ୍କ ପାଇଁ ଚିନ୍ତା ପାଲଟିଛି ଜମିରେ ସାର ପକାଇବା । ଦରକାର ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ସାର ମିଳିପାରୁନଥିବାରୁ ଚାଷୀଙ୍କ ବ୍ୟାକୁଳତା ବଢ଼ିବାରେ ଲାଗିଛି । ଫଳରେ ଗଜପତି ଜିଲ୍ଲାରେ ଅଭାବୀ ସାର ବିକ୍ରିର ଅଭିଯୋଗ ହୋଇଛି । ପ୍ରତି ପ୍ୟାକେଟ ସାର ପିଛା ସରକାରୀ ଧାର୍ଯ୍ୟ ମୂଲ୍ୟର ଦୁଇଗୁଣ ଦରରେ ବିକ୍ରି କରାଯାଉଛି(Rising prices of fertilisers) । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଚଷାପୁଅ । ସରକାର ସମବାୟ ସମିତି ମାଧ୍ୟମରେ ଯେତିକି ସାର ଯୋଗାଇ ଦେଉଛନ୍ତି ତାହା ନିଅଣ୍ଟ ପଡୁଛି । ତେଣୁ ଚାଷୀମାନେ ଚଢ଼ା ଦରରେ ବାହାରୁ କିଣିବାକୁ ବାଧ୍ୟ ହେଉଛନ୍ତି ।

ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଲାରେ ଚଢା ଦରରେ ସାର ବିକ୍ରି ହେଉଥିବା କଥାକୁ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ସ୍ବୀକାର କରିବାସହ ଆବଶ୍ୟକୀୟ କର୍ମଚାରୀ ଅଭାବ ଯୋଗୁଁ ଚଢଉ କରିବା କଷ୍ଟର ହେଉଥିବା କହିଛନ୍ତି । ସୂଚନା ଅନୁସାରେ ଜିଲ୍ଲାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ । ସେଥିରୁ ରୋଜଗାର କରି ପରିବାର ଚଳାଇଥାନ୍ତି । ହେଲେ ଏବେ ସାର ଅଭାବୀ ଦେଖା ଦେବାରୁ ଆନ୍ଧ୍ର ସୀମାରେ ଥିବା ଏହି ଜିଲ୍ଲାର ଚାଷୀମାନେ ସବୁ ବେଳେ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି ।

ଗଜପତିରେ ଚଢ଼ା ଦରରେ ସାର ବିକ୍ରି ଅଭିଯୋଗ, ଚାଷୀ ନିରାଶ

କେତେବେଳେ ଏଥିପାଇଁ ପ୍ରକୃତି ଦାୟୀ ତ ଆଉ କେତେବେଳେ ସରକାରୀ ବ୍ୟବସ୍ଥା ଦାୟୀ । ତେଣୁ ଏଠାକାର ଚାଷୀ ପୁରୁଷପୁରୁଷ ଧରି ଚାଷ କରି ଆସୁଥିଲେ ମଧ୍ୟ ଆଜି ଯାଏଁ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ କିଛି ବର୍ଷ ହେଲା ଅଦିନିଆ ବର୍ଷା କିମ୍ବା ଅଳ୍ପ ବୃଷ୍ଟି ଯୋଗୁଁ ଚାଷୀମାନେ କ୍ଷତି ସହିଥିଲେ । ଚଳିତ ବର୍ଷ ପାଗ ଅନୁକୂଳ ରହିଛି । ତେଣୁ ନିଜ କ୍ଷେତରେ ଭଲ ଫସଲ କରିବା ଋଣ ପରିଶୋଧ କରିବେ ବୋଲି ଚାଷୀମାନେ ଦିନ ରାତି ଏକାଠି କରିଦେଇଥିଲେ । ହେଲେ ଠିକ୍ ସାର ପକାଇବା ସମୟରେ ସାର ଅଭାବି ବିକ୍ରି ସେମାନଙ୍କୁ ଚିନ୍ତାରେ ପକାଇଛି । ସରକାର ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ସାର ଯୋଗାଇ ଦେଉଛନ୍ତି । ହେଲେ ତାହା ପର୍ଯ୍ୟାପ୍ତ ହେଉନାହିଁ ।

ଫଳରେ ବାହାର ଡିଲରଙ୍କ ଠାରୁ ସାର କିଣିବାକୁ ପଡୁଛି । ଏହାର ଫାଇଦା ନେଇ ଡିଲରମାନେ ପ୍ରକୃତ ମୂଲ୍ୟର ଦୁଇଗୁଣାରେ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏହାକୁ କିଣିବାକୁ ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି କିଣିବାକୁ ବାଧ୍ୟ ହେଉଛନ୍ତି । ନହେଲେ ଜମିରେ ଲାଗିଥିବା ଧାନ ଫସଲ ନଷ୍ଟ ହେବା ଆଶଙ୍କା ରହିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ୟୁରିଆର ଦର ସରକାରୀ ଭାବେ 264ଟଙ୍କା ରହିଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ଏହା 4ଶହରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ।

ସେହିଭଳି ଡିଏଫଇ ସାର 11ଶହ ଟଙ୍କା ରହିଥିବା ବେଳେ 16ଶହ ଏବଂ ପଟାସ୍ 9ଶହ ଟଙ୍କା ରହିଥବାବେଳେ 17ଶହ ଟଙ୍କାରେ ବିକ୍ରି ହେଉଥିବା ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ କହିଛନ୍ତି । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଏହି ବର୍ଦ୍ଧିତ ଦର ପଛରେ ବଡ ବ୍ୟବସାୟୀଙ୍କ ହାତ ରହିଥିବା କହିଛନ୍ତି ଡିଲର । ସେମାନଙ୍କ କହିବା ହେଲା ଚଳିତ ବର୍ଷ ଯେଉଁଠାରୁ ଆମେ ସାର କିଣିଛୁ ସେହିମାନେ ସାର ସହ ଏକ କେମିକାଲ୍ ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି । ଯଦି ଏହାକୁ କେହି ଚାଷୀ ମନାକରେ ତେବେ ସାର ଦିଆଯିବ ନାହିଁ ବୋଲି କହୁଛନ୍ତି ।

ଏନେଇ ଜିଲ୍ଲା କୃଷି ଉପନିର୍ଦ୍ଦଶେକ କୈଳାଶ ଚନ୍ଦ୍ର ବେହେରାଙ୍କ ସହ ଯେଗାଯୋଗ କରାଯିବାରେ ଜିଲ୍ଲାରେ ଚଢା ଦରରେ ସାର ବିକ୍ରି ହେଉଥିବା କଥାକୁ ସ୍ବୀକାର କରିଥିଲେ । ଏହାସହ ଆବଶ୍ୟକୀୟ କର୍ମଚାରୀ ଅଭାବ ଯୋଗୁଁ ଚଢଉ କରିବା କଷ୍ଟର ହେଉଥିବା କହିଛନ୍ତି । ତଥାପି ବିଭିନ୍ନ ଡିଲର ପଏଣ୍ଟରେ ଚଢଉ କରି ତଦାରଖ କରାଯାଇଛି । ଜିଲ୍ଲାର 139 ବିକ୍ରୟ କେନ୍ଦ୍ର ପରିଦର୍ଶନ କରାଯାଇଥିବା ବେଳେ 12ଟି କେନ୍ଦ୍ରରେ ବର୍ଦ୍ଧିତ ଦରରେ ବିକ୍ରି ହେଉଥିବା ନଜରକୁ ଆସିଛି । ସେମାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଜଣକର ଲାଇସେନ୍ସ ରଦ୍ଦ ମଧ୍ୟ କରାଯାଇଥିବା ସେ ସୂଚନା ଦେଇଛନ୍ତି । କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ମନୁଷ୍ୟକୃତ ବିପର୍ଯ୍ୟୟ ଯୋଗୁଁ ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପ୍ରଶାସନ ସାରର ଅଭାବୀ ବିକ୍ରି ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଇଟିଭି ଭାରତ, ଗଜପତି

Last Updated :Sep 19, 2022, 6:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.