ETV Bharat / state

ଗଜପତି ମୁଖ୍ୟ ଚିକିତ୍ସାଳୟରେ ଅବହେଳା: O+ ବଦଳରେ ଦେଇଦେଲେ B+ ରକ୍ତ, ରୋଗୀ ଗୁରୁତର

author img

By ETV Bharat Odisha Team

Published : Nov 16, 2023, 1:02 PM IST

transfusion of wrong blood
transfusion of wrong blood

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ୟ ଗ୍ରୁପ୍‌ର ରକ୍ତ ନେଇ ଗୁରୁତର ରୋଗୀ । O+ ପଜିଟିଭ ରକ୍ତ ବଦଳରେ ଦିଆଯାଇଛି B+ ପଜିଟିଭ ଗ୍ରୁପ୍‌ର ରକ୍ତ । ଅଧିକ ପଢ଼ନ୍ତୁ

transfusion of wrong blood

ଗଜପତି: ଗୋଟିଏ ଗ୍ରୁପ ରକ୍ତ ବଦଳରେ ରୋଗୀଙ୍କୁ ଚଢ଼ାଇଲେ ଅନ୍ୟ ଏକ ଗ୍ରୁପ୍‌ର ରକ୍ତ । ଅନ୍ୟ ଗ୍ରୁପର ରକ୍ତ ନେଇ ଗୁରୁତର ରୋଗୀ । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ରୋଗୀଙ୍କର ରକ୍ତ ଗ୍ରୁପ O+ ଥିବା ବେଳେ B+ ଦିଆଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଏସକେସିଜି ସ୍ବୟଂଶାସିତ ମହାବିଦ୍ୟାଳୟର ଭେଙ୍କେଟେଶ୍ବର ବେହେରା ନାମକ ଜଣେ କର୍ମଚାରୀ ମଳକଣ୍ଟକ ରୋଗରେ ଶିକାର ହୋଇଥିଲେ । ତେଣୁ ଚିକିତ୍ସା ପାଇଁ ସେ ଗତ ୩ଦିନ ତଳେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ବେଳେ ସେ ରକ୍ତହୀନତାର ଶିକାର ହୋଇଥିବା ଜଣାପଡିଥିଲା । ଫଳରେ ତାଙ୍କ ବ୍ଲଡ୍‌ ଗ୍ରୁପ୍‌ ଅନୁସାରେ ଗତ ଦୁଇ ଦିନରେ ତାଙ୍କୁ ଦୁଇ ୟୁନିଟ O+ ରକ୍ତ ଦିଆଯାଇଥିବେ ବେଳେ ଗତକାଲି ଆଉ ଗୋଟିଏ ୟୁନିଟ ରକ୍ତ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ହେଲେ ତାଙ୍କୁ O+ ପଜିଟିଭ ବଦଳରେ B+ ପଜିଟିଭ ଗ୍ରୁପର ରକ୍ତ ଦିଆଯାଇଥିଲା ।

ତେବେ ପୀଡିତ ଭେଙ୍କେଟେଶ୍ବର ଦେହକୁ ପ୍ରାୟ ୧୦ମି.ଲି ରକ୍ତ ଯିବା ପରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଏହା ଦେଖି ତାଙ୍କ ସଂପର୍କୀୟ ତୁରନ୍ତ ଡ୍ୟୁଟିରେ ଥିବା ନର୍ସଙ୍କୁ ଖବର ଦେଇଥିଲେ । ଏନେଇ ତୁରନ୍ତ ନର୍ସ ଆସି ରକ୍ତ ଦେବା ପ୍ରକ୍ରିୟାକୁ ବନ୍ଦ କରିଦେଇ ଡାକ୍ତରଙ୍କୁ ଖବର ଦେଇଥିଲେ । ଡ୍ୟୁଟିରେ ଥିବା ଡାକ୍ତର ପହଞ୍ଚି ଦେଖିବା ପରେ ଏହା ରକ୍ତ ଗ୍ରୁପ ବଦଳିବା କାରଣରୁ ସ୍ଥିତି ଗୁରୁତର ହୋଇଥିବା ଜାଣିପାରି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହାପରେ ମେଡିସିନ ବିଶେଷଜ୍ଞ ଏବଂ ଅନ୍ୟ ଡାକ୍ତରମାନେ ପହଞ୍ଚି ଭେଙ୍କେଟେଶ୍ବରଙ୍କ ଚିକିତ୍ସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଭୁଲ ରକ୍ତ ନେଇ ରୋଗୀ ଗୁରୁତର ! ରେଡ଼କ୍ରସ୍ ବ୍ଲଡ ବ୍ୟାଙ୍କରୁ ଆସିଲା ସାଙ୍ଘାତିକ ଅଭିଯୋଗ

ଅନ୍ୟପଟେ ଏନେଇ ଜିଲ୍ଲା ଚିକିତ୍ସାଧିକାରୀ ଡ.ପ୍ରମୋଦ କୁମାର ପଣ୍ଡା କହିଛନ୍ତି,"ବର୍ତ୍ତମାନ ଭେଙ୍କେଟେଶ୍ବରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ବିପଦମୁକ୍ତ ବୋଲି କହିବା ଠିକ ନୁହେଁ । ତାଙ୍କ ଚିକିତ୍ସା ଜାରି ରହିଛି । ଯଦି ତାଙ୍କ ଅବସ୍ଥା ଅଧିକ ଗୁରୁତର ହୁଏ ତାହେଲେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ । ଭିନ୍ନ ଗ୍ରୁପର ରକ୍ତ ଦେବା ଏକ ଗୁରୁତର ଘଟଣା । ତେଣୁ ଏହାର ତଦନ୍ତ ଆରମ୍ଭ ହୋଇଛି । ଏଥିରେ ଯିଏ ଦୋଷୀ ଜଣାପଡ଼ିବ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.