ETV Bharat / state

ଗଜପତିରୁ ଦୁଇ ଗଞ୍ଜେଇ ମାଫିଆଙ୍କୁ ଉଠାଇନେଲା କେରଳ ପୋଲିସ

author img

By

Published : Jul 1, 2023, 8:52 PM IST

illegal cannabis smuggling in gajapati
ଗଜପତିରୁ କେରଳକୁ ବେଆଇନ ଗଞ୍ଜେଇ ଚାଲାଣ

ଗଜପତିରୁ କେରଳକୁ ହେଉଥିଲା ବେଆଇନ ଗଞ୍ଜେଇ ଚୋରା ଚାଲାଣ । ୨ ଜଣଙ୍କୁ ଉଠାଇ ନେଲା କେରଳ ପୋଲିସ । ଅଧିକ ପଢ଼ନ୍ତୁ

ଗଜପତି: ଗଞ୍ଜେଇ ଉତ୍ପତ୍ତିର ଅମରାବତୀ ପାଲଟିଥିବା ଗଜପତି ଜିଲ୍ଲାରେ ଥମୁନି ଚୋରା ଗଞ୍ଜେଇ କାରବାର । ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଟ୍ରକ ଟ୍ରକ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏଥର ଗଜପତି ପୋଲିସ ହାତରେ ନୁହେଁ ବରଂ କେରଳ ପୋଲିସ ହାତରେ ଲାଗିଛନ୍ତି ମାଫିଆ । ଗଜପତିରୁ କେରଳକୁ ଲମ୍ବିଛି ବେଆଇନ ଗଞ୍ଜେଇ କାରବାର ଚେର । ଏହି ଗଞ୍ଜେଇ କାରବାର ଲିଙ୍କରେ ୨ ଜଣ ଅଭିଯୁକ୍ତଙ୍କୁ ଅଡବା ଅଞ୍ଚଳରୁ ଗିରଫ କରି ନେଇଛି କେରଳ ପୋଲିସ । ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଚୁଢ଼ଙ୍ଗପୂର ଗ୍ରାମର ଅରୁଣ ନାୟକ ଓ ଅନ୍ତରବା ଗ୍ରାମର ନମିତା ପରିଛା ।

ସୂଚନା ଅନୁଯାୟୀ, ଗତ ମାସ ୨୩ ତାରିଖରେ କେରଳର ତ୍ରିଶୁର ଜିଲ୍ଲା ନେଡିପୁଡ଼ା ଥାନା ପୋଲିସ ସାଜନ ଥୋମାସ ନାମକ ଯୁବକକୁ ଗିରଫ କରିବା ସହ ତା'ଠାରୁ ୨ ଶହ ୨୧ କେଜି ଗଞ୍ଜେଇ ଜବତ କରିଥିଲା । ବେଆଇନ ଗଞ୍ଜେଇ ଚାଲାଣରେ ସଂପୃକ୍ତିରେ ତ୍ରିଶୁର ଅଞ୍ଚଲରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ତେବେ ଏହି ବେଆଇନ ଗଞ୍ଜେଇ ଚାଲାଣରେ ଫୋନ ପେ ମାଧ୍ୟମରେ ଅର୍ଥ କାରବାର ହୋଇଥିଲା । ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ଅଭିଯୁକ୍ତମାନେ ଗଜପତି ଜିଲ୍ଲାର ଅଡବା ଥାନା ଅଞ୍ଚଳର ବୋଲି ପୋଲିସ ଜାଣିବାକୁ ପାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ବାହାର ରାଜ୍ୟକୁ ହେଉଥିଲା ଗଞ୍ଜେଇ ଚାଲାଣ, ଜଣେ ଗିରଫ

ଗତ ଶୁକ୍ରବାର ତ୍ରିଶୁର ଥାନା ପୋଲିସର ୪ ଜଣିଆ ଟିମ ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଓ ଚୁଢ଼ଙ୍ଗପୁର ଗ୍ରାମରେ ଚଢ଼ାଉ କରି ଗଞ୍ଜେଇ କାରବାରର ମୁଖ୍ୟ ମହିଳା ଅଭିଯୁକ୍ତ ସମେତ ଜଣେ ଅଟୋ ଚାଳକକୁ ଗିରଫ କରିଥିବା ତ୍ରିଶୁର ଜିଲ୍ଲା ନେଡିବୋଡା ଥାନା ଅଧିକାରୀ, ଟି. ଜି ଦିଲ୍ଲୀପ ସୂଚନା ଦେଇଛନ୍ତି । କେରଳର ସାଜନ ଥୋମାସ ଅଡବା ଅଞ୍ଚଳର ନମିତାକୁ ବିବାହ କରି ଏହି ବେଆଇନ ଗଞ୍ଜେଇ କାରବାର ଚଳାଇଥିଲା । ତା' ନାମରେ ଆଗରୁ ମୋହନା ଥାନାରେ ଦୁଇ ଦୁଇଟି ମାମଲା ରହିଥିବା ଜଣାପଡିଛି । ଏହା ପୂର୍ବରୁ ରାଧାକାନ୍ତ ନାୟକ ଓରଫ (ଖ୍ରୀଷ୍ଟଦାସ) ବେଆଇନ ଗଞ୍ଜେଇ କାରବାରରେ ଲିପ୍ତ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତି ଜବତ କରିଥିଲା ଅଡବା ପୋଲିସ । ବର୍ତ୍ତମାନ ଗିରଫ ହୋଇଥିବା ଅଭିଯୁକ୍ତ ମହିଳା ଜଣକ ରାଧାକାନ୍ତଙ୍କ ନିଜ ଶାଳୀ ହୋଇଥିବା ସୂଚନା ମିଳିଛି । ପରିବାରର ଅନ୍ୟ ସଦସ୍ୟମାନେ ବେଆଇନ ଗଞ୍ଜେଇ କାରବାରରେ ଲିପ୍ତ ଥିବା ଅନୁମାନ କରି ପୋଲିସ ତଦନ୍ତକୁ ଜୋରଦାର କରୁଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.