ETV Bharat / state

ବାହାର ରାଜ୍ୟକୁ ହେଉଥିଲା ଗଞ୍ଜେଇ ଚାଲାଣ, ଜଣେ ଗିରଫ

author img

By

Published : Jun 14, 2023, 1:43 PM IST

town police seized ganja
town police seized ganja

ବଲାଙ୍ଗୀର ଦେଇ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । ଘଟଣାସ୍ଥଳରୁ 9 କୁଇଣ୍ଟାଲ 20 କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗିରଫ । ଅଧିକ ପଢନ୍ତୁ

town police seized ganja

ବଲାଙ୍ଗୀର: ନିର୍ଭୟରେ ଚାଲିଥିଲା ଗଞ୍ଜେଇ ବେପାର । ବଲାଙ୍ଗୀର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ । ମାଡି ବସିଲା ଟାଉନ ଥାନା ପୋଲିସ । ଏନେଇ ଘଟଣାସ୍ଥଳରୁ 9 କୁଇଣ୍ଟାଲ 20 କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗିରଫ ହୋଇଥିବା ଜଣାପଡିଛି । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୬ ଲକ୍ଷ ବୋଲି ଜଣାପଡିଛି ।

ସୂଚନା ମୁତାବକ, ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ବଲାଙ୍ଗୀର ଟାଉନ ଥାନା ପୋଲିସ । ଯାହା ପରେ ବଲାଙ୍ଗୀର ଏସପି ଋଷିକେଶ ଖିଲ୍ଲାରୀଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ଅଧିକାରୀ, ଏସଆଇ ଓ ବଲାଙ୍ଗୀର ସାଇବର ସେଲ ମିଳିତ ଭାବରେ ସମ୍ପୃକ୍ତ ଟ୍ରକକୁ ବଲାଙ୍ଗୀର ସମ୍ବଲପୁର ରୋଡରେ ଧରିଥିଲେ । ସେଠାରେ ଟ୍ରକକୁ ଯାଞ୍ଚ କରିବା ପରେ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବାର ଜଣାପଡିଥିଲା । ସେଠାରେ ଟ୍ରକକୁ ଜବତ କରାଯିବା ସହ ଟ୍ରକ ଡ୍ରାଇଭରକୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଏଥିସହ ଟ୍ରକରୁ 9କୁଇଣ୍ଟାଲ 20 କେଜି ଗଞ୍ଜେଇ ପୋଲିସ ଜବତ କରିଛି । ସେହିପରି ଟ୍ରକଟି ପଶ୍ଚିମବଙ୍ଗର ହୋଇଥିବା ବେଳେ କଣ୍ଟାମାଳରୁ ରାୟପୁର ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି ।

ଅନ୍ୟପଟେ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସ ପି ଋଷିକେଶ ଖିଲ୍ଲାରୀ କହିଛନ୍ତି ଯେ, ବିଶ୍ୱସ୍ଥ ସୂତ୍ରରୁ ଖବର ପାଇବା ପରେ ବଲାଙ୍ଗୀର ଟାଉନ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଓ ତାଙ୍କ ଟିମ ଏହା ଉପରେ ପଦକ୍ଷେପ ନେଇଥିଲେ । ବଲାଙ୍ଗୀର ସମ୍ବଲପୁର ରୋଡ଼ ସ୍ଥିତ ଯୁବଦୟ କଲେଜ ନିକଟରେ ଏହି ଟ୍ରକକୁ ଜବତ କରିଥିଲେ । ତେବେ ଏହି ଟ୍ରକର ଡ୍ରାଇଭର ବିହାର ରାଜ୍ୟର ହୋଇଥିବା ବେଳେ କଣ୍ଟାମାଳରୁ ଗଞ୍ଜେଇ ରାୟପୁର ଚାଲାଣ ହେଉଥିଲା ବୋଲି ସେ କହିଛନ୍ତି । ସେହିପରି ଏହି ଟ୍ରକ ସହିତ ଏକ ବୋଲେରୋ ଗାଡ଼ିରେ ଆହୁରି ଚାରି ଜଣ ଯାଉଥିବା ବେଳେ ସେମାନଙ୍କୁ ମଧ୍ୟ ପୋଲିସ ଅଟକ ରଖି ଅଧିକ ତଦନ୍ତ କରୁଥିବାର ସେ ସୂଚନା ଦେଇଛନ୍ତି । ଏଥିସହ ଜବତ ଗଞ୍ଜେଇର ମୂଲ୍ୟ 46 ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.