ETV Bharat / state

ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନର ରାସ୍ତାରୋକ

author img

By ETV Bharat Odisha Team

Published : Dec 19, 2023, 1:40 PM IST

ନବ ନିର୍ମାଣ କୃଷକ ସଂଗଠନର ରାସ୍ତାରୋକ
ନବ ନିର୍ମାଣ କୃଷକ ସଂଗଠନର ରାସ୍ତାରୋକ

Farmer Organization Road Blocked: ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନର ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ନିକଟରେ ରାସ୍ତାରୋକ । ଅଧିକ ପଢନ୍ତୁ

ନବ ନିର୍ମାଣ କୃଷକ ସଂଗଠନର ରାସ୍ତାରୋକ

ଗଜପତି: ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନର ରାସ୍ତାରୋକ । ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ନିକଟରେ ରାସ୍ତା ଅବରୋଧ । ଦାବି ପୂରଣ ନହେଲେ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଏନେଇ ପାରଳାଖେମୁଣ୍ଡିରୁ ବ୍ରହ୍ମପୁର ଏବଂ ମୋହନା ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ିମଟର ଅଟକି ରହିଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି ।

ତେବେ ଏନେଇ ନବ ନିର୍ମାଣ କୃଷକ ସଂଘ ରାଜ୍ୟ ସଭାପତି କହିଛନ୍ତି, ବିଲ ବାଡ଼ିରେ ମୂଲମଜୁରୀ ଲାଗି ଖଟି ଖଟି ଅଣ୍ଟାପିଠି ଧରିଲା, ଆଉ କାମ କରିବାକୁ ଦେହରେ ବଳ ନାହିଁ । ଏହି ଦାୟରେ ନବୀନ ବାବୁ ଆମକୁ ୫୦୦ ଟଙ୍କା ଭତ୍ତା ଦେଉଛନ୍ତି । ଆନ୍ଧ୍ରପ୍ରଦେଶରେ ଚଳିତ ନୂଆବର୍ଷରୁ ସେମାନେ ଭତ୍ତା ୨୭୫୦ ଟଙ୍କା ପାଇଲେ। ଆମଠୁ ୫ ଗୁଣ ଅଧିକ । ଗୋଆ, ଦିଲ୍ଲୀ, ପଞ୍ଜାବ, ହରିଆନା, ମଣିପୁର, ସିକିମ୍‌ରେ ଭତ୍ତା ୨୮୫୦ ରୁ ୩୫୦୦ ଟଙ୍କା । ତେଲେଙ୍ଗାନାରେ ବିକଳାଙ୍ଗ ଭତ୍ତା ମାସକୁ ୪୦୦୦ ଟଙ୍କା । ରାଜ୍ୟରେ ଅର୍ଥ ଅଭାବ ନାହିଁ ବୋଲି ସରକାର ଚିତ୍କାର କରୁଛନ୍ତି। ଅଥଚ ମନ୍ତ୍ରୀ ଅଶୋକ ପଣ୍ଡା ଭତ୍ତା ବୃଦ୍ଧିର ଯୋଜନା ନାହିଁ ବୋଲି ବିଧାନସଭାରେ କହୁଛନ୍ତି । ଆମକୁ ଶେଷ ଦିନରେ ଚଳିବା ପାଇଁ ଯଦି ସରକାର ଦିହଳ ଲୁଗା, ଦୁଇଟି ମିଲ, ମୁଢ଼ି, ଚୁଡ଼ା ମୁଠେ ପାଇଁ ଦିନକୁ ୭୦ ଟଙ୍କା ହିସାବରେ ମାସକୁ ୨୦୦୦ ଟଙ୍କା ନ ଦେବେ, ତା’ହେଲେ ଗଣତନ୍ତ୍ର ଶାସନରେ ନ୍ୟାୟ କ'ଣ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ନବ ନିର୍ମାଣ କୃଷକ ସଂଗଠନର ପ୍ରାୟଶ୍ଚିତ ସପ୍ତାହ, ରାଜ୍ୟ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ଦାବି

ସେ ଆହୁରି ମଧ୍ୟ କହିଛନ୍ତି, "ସରକାରୀ ନିମୟରେ ଜଣେ ଚାକିରି କଲାବେଳେ ଅବସର ପରେ ତା ଦରମାର ଅଧା ଟଙ୍କା ପେନ୍‌ସନ୍ ପାଉଛି। ସେମିତି ହିସାବରେ ଦେଖିଲେ ଆମେ ବିଲବାଡ଼ି କାମ କରି ୩୧୧ର ଅଧା ୧୫୫ ହିସାବରେ ମାସକୁ ୪୬୫୦ ଟଙ୍କା ପାଇବା କଥା। ଅଥଚ ଆମ ସରକାର ଆମକୁ ୫୦୦ ଦେଇ ଗରୀବ କରି ନିଜକୁ ଗରୀବର ସରକାର ବୋଲି ମିଛ ପ୍ରଚାର କରନ୍ତି। ପଡ଼ୋଶୀ ଦେଶ ନେପାଳରେ ବାର୍ଦ୍ଧକ୍ୟ ଭତ୍ତା ୪୦୦୦ ଟଙ୍କା। କେନ୍ଦ୍ର ସରକାରଙ୍କ ଜଣେ ବଡ଼ କର୍ମଚାରୀ ଦିନକୁ ୪୧୬୬ ଟଙ୍କା ହିସାବରେ ୧ ଲକ୍ଷ ୨୫ ହଜାର ଟଙ୍କା ପାଉଥିବା ବେଳେ ଆମେ ଏ ଦେଶର ମାଲିକ ହୋଇ ଦିନକୁ ୧୭ ଟଙ୍କାରେ ଚଳିବୁ କେମିତି ବୋଲି ପ୍ରଶ୍ନ କରିଛନ୍ତି। ସମସ୍ତେ ନିଜ ଅଧିକାର ପାଇଁ ଦାବି, ଶୋଭାଯାତ୍ରା କରନ୍ତି, ହେଲେ ଆମେ କେବେ ମୁହଁ ଖୋଲିନୁ। କେବଳ ଆପଣଙ୍କୁ ଭୋଟ ଦେଇ ଦେଇ କାନ୍ଧରେ ବୋହି ଚାଲିଛୁ । ଏବେ ଭୋଟବେଳେ ଆମ ହାତରେ ଚାବି । ଆପଣ ଆମ ପାଇଁ ଯେଭଳି ନ୍ୟାୟ କରିଛନ୍ତି, ଆମେ ଭୋଟରେ ଆପଣଙ୍କ ପାଇଁ ସେଭଳି ନ୍ୟାୟ କରିବୁ । ଆମର ଭୋଟ ସଂଖ୍ୟା ପାଖାପାଖି ୫୩ରୁ ୫୫ ଲକ୍ଷ । ଆମେ ସଂକଳ୍ପ କରିଛୁ ଯେପର୍ଯ୍ୟନ୍ତ ଆମ ଭତ୍ତା ୨୦୦୦ ଟଙ୍କା ଘୋଷଣା ନହୋଇଛି ସେଯାଏଁ ଆମେ ଏଥର ଆପଣଙ୍କ ବିଜେଡ଼ି ନେତା ଓ ଦଳକୁ ଭୋଟ ଦେବାକୁ ପସନ୍ଦ କରିବୁ ନାହିଁ ।" ଏଭଳି ଭାବରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.