ETV Bharat / state

ଉଦଘାଟନର ଦୁଇ ମାସରେ 5T ସ୍କୁଲ କାନ୍ଥ ଫାଟି ଆଁ

author img

By

Published : Jul 7, 2023, 11:48 AM IST

Updated : Jul 7, 2023, 12:33 PM IST

5T ସ୍କୁଲରେ ଅବ୍ୟବସ୍ଥା
5T ସ୍କୁଲରେ ଅବ୍ୟବସ୍ଥା

ଉଦଘାଟନର ଦୁଇ ମାସରେ 5T ସ୍କୁଲ କାନ୍ଥ ଫାଟି ଆଁ । ସ୍କୁଲରେ ଦ୍ୟୁତ ସଂଯୋଗ ହୋଇପାରିନି କି ପାନୀୟ ଜଳର ମଧ୍ୟ ସୁବିଧା ନାହିଁ । ଅଧିକ ପଢନ୍ତୁ

5T ସ୍କୁଲରେ ଅବ୍ୟବସ୍ଥା

ଗଜପତି: ପିଲାଙ୍କୁ ଉତ୍ତମ ଶିକ୍ଷା ଏବଂ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ରାଜ୍ୟରେ 5T ଯୋଜନାରେ ସ୍କୁଲଗୁଡିକୁ ନବୀକରଣ କରାଯାଉଛି । ଏହି କ୍ରମରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଅମେଡା ସରକାରୀ ହାଇସ୍କୁଲର ରୂପାନ୍ତରଣ ହୋଇଥିଲା । କିନ୍ତୁ ଉଦଘାଟନକୁ ମାସ କେଇଟା ନପୁରୁଣୁ ସ୍କୁଲର କାନ୍ଥ ଫାଟି ଆଁ କଲାଣି । ରୂପାନ୍ତରଣ କାର୍ଯ୍ୟରେ 20 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏ ଯାଏଁ ଏଠି ବିଦ୍ୟୁତ ସଂଯୋଗ ହୋଇପାରିନି କି ପାନୀୟ ଜଳର ମଧ୍ୟ ସୁବିଧା ନାହିଁ । ସ୍କୁଲ ରୂପାନ୍ତରଣ କେବଳ ରଙ୍ଗ କାମରେ ହିଁ ସୀମିତ ରହିଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଗଜପତି ଜିଲ୍ଲା ରାୟଗଡ ବ୍ଲକର ଅମେଡା ସରକାରୀ ହାଇସ୍କୁଲ । 2021 ମସିହାରେ ସ୍ଥାପିତ ହୋଇଥିବା ଏହି ହାଇସ୍କୁଲକୁ 5T ଉପକ୍ରମରେ ରୂପାନ୍ତରଣ କରାଯାଇଛି । ଗତ ମେ' 4 ତାରିଖ ଦିନ ଏହାର ଉଦଘାଟନ ହୋଇଥିଲା । ରୂପାନ୍ତରଣ କାର୍ଯ୍ୟରେ 20 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା କେବଳ ରଙ୍ଗ କାମରେ ହିଁ ସୀମିତ ରହିଯାଇଛି । ସ୍କୁଲର ଅନ୍ୟ କୌଣସି ପରିବର୍ତ୍ତନ ହୋଇପାରିନି । 232 ଜଣ ଛାତ୍ରଛାତ୍ରୀ ଥିବା ନୂତନ କୋଠାରେ କେବଳ 9ମ ଓ 10ମ ଶ୍ରେଣୀର ପିଲା ପଢ଼ି ପାରୁଛନ୍ତି । କୋଠାର ମରାମତି ଏବଂ ରଙ୍ଗ କାମ ଏଭଳି ହୋଇଛି ଯେ, ଉଦଘାଟନର ମାତ୍ର 2 ମାସ ମଧ୍ୟରେ ସ୍କୁଲ କାନ୍ଥ ଫାଟି ଆଁ କଲାଣି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏପରି ହୋଇଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ: 5T ସ୍କୁଲ ଛାତରୁ ଖସିଲା ଅତଡା; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ସ୍କୁଲ 5Tରେ ରୂପାନ୍ତରଣ ହେଲେ ସ୍ମାର୍ଟ ହେବ ବୋଲି କୁହାଯାଉଥିବାରୁ ସ୍କୁଲ କାମ ଉଚ୍ଚ ମାନର ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ କିପରି ନିମ୍ନମାନର କାର୍ଯ୍ୟ ହେଉଛି ତାହା ଅମେଡା ସରକାରୀ ହାଇସ୍କୁଲ ଦେଖିଲେ ସ୍ପଷ୍ଟ ହେଉଛି । କେବଳ ସେତିକି ନୁହେଁ, ସ୍କୁଲକୁ ଆସିଥିବା କମ୍ପ୍ୟୁଟର ଏବଂ ବିଜ୍ଞାନ ଉପକରଣ ପ୍ରଭୃତି ସେମିତି ପ୍ୟାକିଂ ହୋଇ ରହିଛି । ଏହି ସାମଗ୍ରୀଗୁଡିକର ସିଲ୍ ମଧ୍ୟ ଖୋଲାଯାଇ ନାହିଁ । ଏଭଳି ସ୍ଥିତିରେ ସ୍କୁଲର ଉଦଘାଟନ କିଭଳି ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ବିଘ୍ନେଶ୍ବର ସାହୁ ଏବଂ ସିଆରସିସି ନରେଶ ପ୍ରଧାନ କହିଛନ୍ତି ଯେ, ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ ହୋଇଛି । କିନ୍ତୁ ତାହା ଆଜି ଯାଏଁ ହୋଇପାରିନି । ବିଦ୍ୟୁତ୍ ସଂଯୋଗ ହେଲେ ହିଁ ସ୍କୁଲର ବଳକା କାମ ହୋଇପାରିବ । ତେଣୁ 5T ସଚିବ ଏବଂ ସରକାରଙ୍କୁ ଖୁସି କରିବା ପାଇଁ ପ୍ରଶାସନ ଅଧପନ୍ତରିଆ କାମରେ ସ୍କୁଲର ଉଦଘାଟନ କରିଥିବା ଅନୁମାନ କରାଯାଇ ପାରୁଛି । ତେବେ ଏହି ହାଇସ୍କୁଲର ସମସ୍ୟା କେବେ ସମାଧାନ ହେଉଛି ତାହା ଦେଖିବାର କଥା ।

ଇଟିଭି ଭାରତ, ଗଜପତି

Last Updated :Jul 7, 2023, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.