ETV Bharat / state

5T ସ୍କୁଲ ଛାତରୁ ଖସିଲା ଅତଡା; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

author img

By

Published : Jul 6, 2023, 11:40 AM IST

Updated : Jul 6, 2023, 2:34 PM IST

5T ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର
5T ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର

5T ଯୋଜନାରେ ନବୀକରଣ ହୋଇଥିବା ହାଇସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

5T ସ୍କୁଲ ଛାତରୁ ଖସିଲା ଅତଡା

ରାଉରକେଲା: ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର । ତାହା ପୁଣି 5T ଯୋଜନାରେ ନବୀକରଣ ହୋଇଥିବା ସ୍କୁଲରେ । ଘଟଣାଟି ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଖୁଣ୍ଟଗାଁ ଉଚ୍ଚ ବିଦ୍ୟାଳୟର । ଗତକାଲି(ବୁଧବାର) ଏହି ସ୍କୁଲର ଛାତରୁ ସିମେଣ୍ଟ ଅତଡା ଖସିଥିଲା । ତେବେ ସୌଭାଗ୍ୟବଶତଃ ଖେଳ ପିରିଅଡ ଥିବାରୁ ଏହି ସମୟରେ ଶ୍ରେଣୀଗୃହରେ କୌଣସି ପିଲା ନଥିଲେ । ଯେଉଁ କାରଣରୁ ଏକ ବଡ଼ ଅଘଟଣ ଟଳି ଯାଇଥିଲା । ବଡ଼ କଥା ହେଉଛି, ୮ ମାସ ତଳେ ଖୁଣ୍ଟଗାଁ ସ୍କୁଲର ରୂପାନ୍ତରଣ ହୋଇଥିଲା । ଏବେ ଛାତରୁ ଅତଡ଼ା ଖସିବା 5T ଅଧିନରେ ହେଉଥିବା କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିମ୍ନମାନର କାମ ଯୋଗୁଁ ଏପରି ଘଟିଥିବା ଅଭିଯୋଗ ହୋଇଛି ।

ଖୁଣ୍ଟଗାଁ ଉଚ୍ଚ ବିଦ୍ୟାଳୟର ଏକ ଶ୍ରେଣୀଗୃହର ଛାତରୁ ପ୍ଲାଷ୍ଟର ତଳେ ଅଜାଡି ହୋଇପଡିଥିଲା । ଏହି ସମୟ ଖେଳ ପିରିୟଡ ହୋଇଥିବାରୁ ପିଲାମାନେ ଶ୍ରେଣୀଗୃହରେ ଉପସ୍ଥିତ ନଥିଲେ । ସମସ୍ତେ ବାହାରେ ଖେଳୁଥିଲେ । ପ୍ଲାଷ୍ଟର ଖସିବା ଘଟଣା ଜଣାପଡିବା ପରେ ଅଭିଭାବକ ନିଜ ପିଲାଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁଁ ପିଲାଙ୍କ ଜୀବନ ଏପରି ବିପଦରେ ପଡିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, 5T ଯୋଜନାରେ ୮ ମାସ ତଳେ ଅତ୍ୟାଧୁନିକ ସୁବିଧା ସହ ଉକ୍ତ ହାଇସ୍କୁଲର ରୂପାନ୍ତରଣ କରାଯାଇଥିଲା । ହେଲେ କେଇଟା ମାସ ନପୁରୁଣୁ ସ୍କୁଲ ଛାତରୁ ପ୍ଲାଷ୍ଟର ଖସିବା 5T ଯୋଜନାର କାର୍ଯ୍ୟପ୍ରଣାଳୀକୁ ପଦାରେ ପକାଇଛି । ଏଥିରୁ ଅନୁମାନ କରିହେଉଛି ଯେ, ସ୍କୁଲ ମଧ୍ୟରେ କେତେ ନିମ୍ନମାନର କାର୍ଯ୍ୟ ହୋଇଛି । ଭାଗ୍ୟବଶତଃ ଛାତ୍ରଛାତ୍ରୀ ବାହାରେ ଖେଳୁଥିବା ବେଳେ ଏହି ଅଘଟଣ ଘଟିଛି, ନଚେତ କ'ଣ ଯେ ହୋଇଥାନ୍ତା ତାହା କହି ହେବ ନାହିଁ । 5T ଯୋଜନାରେ ସ୍କୁଲର ରୂପାନ୍ତରଣ‌ କାମର ଉଚିତ୍ ତଦାରଖ ଅଭାବରୁ ଏହା ଘଟିଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ: ହସ୍ପିଟାଲ ଛାତରୁ ଖସୁଛି ଅତଡା, ହେଲମେଟ ପିନ୍ଧି ଔଷଧ ଦେଉଛନ୍ତି ଫାର୍ମାସିଷ୍ଟ

କାହିଁକି ଓ କେଉଁ ସ୍ଥିତିରେ ନୂତନ ପ୍ଲାଷ୍ଟର ଖସିଲା ତାହା ତଦନ୍ତ ସାପେକ୍ଷ୍ୟ ବୋଲି କୁହାଯାଉଛି । ତେବେ ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲୁ ହେଲେ ସେ ଫୋନ ଉଠାଇ ନଥିଲେ । ରାଜ୍ୟ ସରକାର ସ୍କୁଲର ଭିତ୍ତିଭୂମି ବିକାଶ ଲାଗି ସ୍କୁଲଗୁଡିକୁ 5T ଯୋଜନାରେ ଅନ୍ତର୍ଭୁକ୍ତ କରି ରୂପାନ୍ତରଣ କାର୍ଯ୍ୟ ଚାଲିଥିବା ବେଳେ, ଏଥିରେ କେତେ ନିମ୍ନମାନର କାମ ହେଉଛି ତାହା ସୁନ୍ଦରଗଡ ଜିଲ୍ଲାର ଖୁଣ୍ଟଗାଁ ହାଇସ୍କୁଲରୁ ଅନୁମେୟ କରିହେବ ।

ଇଟିଭି ଭାରତ, ରାଉରକେଲା

Last Updated :Jul 6, 2023, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.